ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଦିଲ୍ଲୀ ପୋଲିସର ସମନ । ସୋସିଆଲ ମିଡ଼ିଆରେ ଗୃହମନ୍ତ୍ରୀଙ୍କ ଏଡିଟେଡ ଭିଡ଼ିଓ ପକାଇ ଅଡୁଆରେ ରେବନ୍ତ ରେଡ୍ଡୀ ।

309

କନକ ବ୍ୟୁରୋ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ ଦିଲ୍ଲୀ ପୋଲିସର ସମନ । ସୋସିଆଲ ମିଡ଼ିଆରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଏଡିଟେଡ ଭିଡ଼ିଓ ଭୁଲ ଢଙ୍ଗରେ ପୋଷ୍ଟ କରିଥିବା କାରଣରୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ ସମନ ଜାରି କରିଛି ଦିଲ୍ଲୀ ପୋଲିସ । ସମନ ଜାରି କରିବା ସହ ରେବନ୍ତ ରେଡ୍ଡୀଙ୍କୁ ହାଜର ହେବାକୁ କୁହାଯାଇଛି । ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନକୁ ଅନ୍ୟ ଜଣଙ୍କର ବୟାନ ସହ ଯୋଡି ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ରେବନ୍ତ ରେଡ୍ଡୀଙ୍କୁ ମହଙ୍ଗା ପଡିଛି ।

ଆସନ୍ତା ମେ’ ୧ ତାରିଖରେ ରେବନ୍ତ ରେଡ୍ଡୀଙ୍କୁ ହାଜର ହେବାକୁ କୁହାଯାଉଛି । ଯେଉଁଠି ତାଙ୍କୁ ଏ ପ୍ରସଙ୍ଗରେ ପଚରାଉଚରା କରିବ ଦିଲ୍ଲୀ ପୋଲିସ । କେବଳ ରେବନ୍ତ ରେଡ୍ଡୀଙ୍କୁ ନୁହେଁ ବରଂ ଯେକେହିବି ଗୃହମନ୍ତ୍ରୀଙ୍କ ଭିଡ଼ିଓକୁ ଭୁଲ ଢଙ୍ଗରେ ଉପସ୍ଥାପନ କରି ଏହାକୁ ସୋସିଆଲ ମିଡ଼ିଆରେ ଭାଇରାଲ କଲେ ତାଙ୍କୁ ପଚରାଉଚରା କରାଯିବ ବୋଲି ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି । ଏହି ମାମଲାରେ ୫ ଜଣଙ୍କୁ ଚିହ୍ନଟ କରାଯାଇଛି । ଯେଉଁଥିରେ ରେବନ୍ତ ରେଡ୍ଡୀ ମଧ୍ୟ ରହିଛନ୍ତି । ଶନିବାର ଏହି ଘଟଣାକୁ ନେଇ ପୋଲିସ ପକ୍ଷରୁ ଏଫଆଇଆର ଦାୟର କରାଯାଇଥିଲା । ଏହି ଫେକ୍ ଭିଡ଼ିଓରେ ଗୃହମନ୍ତ୍ରୀ ଅମିତ ଶାହ ଅନୁସୂଚିତ ଜାତି, ଅନସୂଚିିତ ଜନଜାତି ଓ ଅନ୍ୟ ପଛୁଆବର୍ଗଙ୍କ ପାଇଁ ଥିବା ସଂରକ୍ଷଣ ଶେଷ କରିବା ପକ୍ଷ ନେଉଥିବା ଉଲ୍ଲେଖ ରହିଛି । ଏହି ଫେକ୍ ଭିଡ଼ିଓ ଦ୍ୱାରା ଶାନ୍ତି ଭଙ୍ଗ ଓ ସାମାଜିକ ବ୍ୟବସ୍ଥା ପ୍ରଭାବିତ ହେବାର ସମ୍ଭାବନା ରହିଛି । ଯେଉଁ ଭିଡ଼ିଓକୁ ନେଇ ଆପତ୍ତି ଉଠାଇଥିଲା ବିଜେପି । ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନକୁ ବିକୃତ ଢଙ୍ଗରେ ଉପସ୍ଥାପନ କରାଯାଉଥିବା ନେଇ ଅଭିଯୋଗ ଆଣିଥିଲା ଦଳ ।