ମୌସୁମୀର ଲୁଚକାଳି ଖେଳ : ଦିନଟିଏ ପରେ ଅଧା ଓଡ଼ିଶାରୁ ବର୍ଷା ଗାଏବ

183

କନକ ବ୍ୟୁରୋ :  ଜୁନ୍ ଦ୍ବିତୀୟ ସପ୍ତାହରେ ମୌସୁମୀ ଓଡ଼ିଶା ଛୁଏଁ । ହେଲେ ଏଥର ଚତୁର୍ଥ ସପ୍ତାରେ (ଜୁନ୍‌ ୨୧ରେ) ଓଡ଼ିଶା ଛୁଇଁଲା । ପାଣିପାଗ ବିଭାଗ କହିଥିଲା ମୌସୁମୀ ଓଡ଼ିଶା ଛୁଇଁଲେ ତିନି ଦିନ ଭଲ ବର୍ଷା ହେବ । ହେଲେ ଦିନଟିଏ ବର୍ଷା ପରେ ଅଧା ଓଡ଼ିଶାରୁ ବର୍ଷା ଗାଏବ । ରବିବାର ସକାଳ ସୁଦ୍ଧା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନକୁ ଛାଡ଼ିଦେଲେ ରାଜ୍ୟର ବାକି ଅଞ୍ଚଳରେ ବର୍ଷା ହେବନି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କଲାଣି । ‌‌

ମୌସୁମୀ ଓଡ଼ିଶା ଛୁଇଁବା ପରଠାରୁ ହିଁ ଲୁଚକାଳି ଖେଳିବା ଆରମ୍ଭ କରିଦେଲାଣି । ଏପଟେ ପାଣିପାଗ ବିଭାଗ କହୁଛି ଦୀର୍ଘ ଦିନ ହେଲା ବର୍ଷା ନହେଲେ ଆମେ ମୌସୁମୀ ବ୍ରେକ୍ ଦେଲା ବୋଲି କହିଥାଉ । କିନ୍ତୁ ଆମେ ତିନିଦିନ କହିଥିଲୁ, ଦିନଟିଏ ବର୍ଷା ହୋଇଛି । ରବିବାର ବି କିଛି ସ୍ଥାନରେ ବର୍ଷା ହେବ । ଏହାପରେ ଦୁଇଦିନ ବର୍ଷା ନାହିଁ । କିନ୍ତୁ ୨୫ତାରିଖରୁ ପୁଣି ବର୍ଷା ହେବ। ତେଣୁ ଏବେ ମୌସୁମୀ ବର୍ଷା ହେବନି ବୋଲି କହିବା ଠିକ୍ ହେବନି ।

ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ, ଏବେ ଉପକୂଳ ଓ ଉତ୍ତର ଓଡ଼ିଶା ଆକାଶ ମେଘାଛନ୍ନ ‌ରହିବ । ହେଲେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଭଲ ବର୍ଷା ହେ ବ। ରବିବାର ସକାଳ ସୁଦ୍ଧା ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ବୌଦ୍ଧର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ । କିନ୍ତୁ ଏହାପରେ ଦୁଇ ଦିନ ବର୍ଷା ନାହିଁ । ୨୫ତାରିଖ ମଧ୍ୟାହ୍ନ ପରେ ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ କିଛି କିଛି ସ୍ଥାନରେ ବର୍ଷା ହେବ । ୨୬ତାରିଖରେ ଦକ୍ଷିଣ ଓଡ଼ିଶା ସମେତ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ ।

ଗତକାଲି ସଂଧ୍ୟା ସୁଦ୍ଧା ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଥିବାବେଳେ ତାଳଚେରରେ ସର୍ବାଧିକ ୨୦ମିମି, ପାରାଦୀପରେ ୧୨ମିମି, ମାଲକାନଗିରିରେ ୫ମିମି, କୋରାପୁଟରେ ୭.୪ମିମି, ଝାରସୁଗୁଡ଼ାରେ ୧୨.୨ମିମି, ଅନୁଗୁଳରେ ୭.୬ମିମି, ଚାନ୍ଦବାଲିରେ ୧.୫ମିମି, ବାଲେଶ୍ବର ଓ ପୁରୀରେ ୦.୮ମିମି, କେନ୍ଦୁଝରରେ ୩.୩ମିମି, ଭୁବନେଶ୍ବରରେ ୧.୪ମିମି ବର୍ଷା ହୋଇଛି ।