ମୋଦିଙ୍କ ନିର୍ବାଚନୀ ଥୋପ ! ବିନା ସୁଧରେ ଚାଷୀଙ୍କୁ ମିଳିବ ୩ଲକ୍ଷ ପର୍ଯ୍ୟନ୍ତ ଋଣ, ଶେଷ ବଜେଟରେ କୃଷଙ୍କୁ ଦେଇପାରନ୍ତି ଉପହାର ।

ଏହି ଯୋଜନା ମୁତାବକ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ପାଇବାର ସୁବିଧା ମିଳିବ । ଯେଉଁ କୃଷକମାନେ ଠିକ ସମୟରେ ଋଣ ପରିଶୋଧ କରିଦିଅନ୍ତି ସେମାନେ ଏହାର ଲାଭ ଉଠାଇ ପାରିବେ । ଚଳିତ ବର୍ଷ ଘୋଷଣା ହେବାକୁ ଥିବା ଅନ୍ତିମ ବଜେଟରେ ଏହାର ଘୋଷଣା କରାଯିବ ବୋଲି ଅନୁମାନ କରାଯାଉଛି ।

338

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ଶେଷ ତଥା ଅନ୍ତରୀଣ ବଜେଟରେ କୃଷକଙ୍କ ପାଇଁ ବଡ଼ ଘୋଷଣା କରି ପାରନ୍ତି ମୋଦି । କୃଷକ ପାଇଁ ନିର୍ବାଚନୀ ଥୋପ ଦେଇ କୃଷି କ୍ଷେତ୍ର ପାଇଁ ଏନଡିଏ ସରକାର ଏକ ନୂତନ ଯୋଜନା ଆଣିବାକୁ ଯାଉଛନ୍ତି ବୋଲି ସୂଚନା ମିଳିଛି । ଯାହାଦ୍ୱାରା ବିନା ସୁଧରେ କୃଷକଙ୍କୁ ଋଣ ଦିଆଯିବ ଏବଂ କୃଷକଙ୍କର ଆୟ ବୃଦ୍ଧି କରାଯିବ । ଏଥିରେ ସୀମାନ୍ତ କୃଷକଙ୍କ ଆୟ ବୃଦ୍ଧି ହେବା ସହ ଋଣରୁ ମୁକ୍ତି ମିଳିବ ବୋଲି କୁହାଯାଉଛି । ଏହି ଯୋଜନା ମୁତାବକ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ପାଇବାର ସୁବିଧା ମିଳିବ । ଯେଉଁ କୃଷକମାନେ ଠିକ ସମୟରେ ଋଣ ପରିଶୋଧ କରିଦିଅନ୍ତି ସେମାନେ ଏହାର ଲାଭ ଉଠାଇ ପାରିବେ । ଚଳିତ ବର୍ଷ ଘୋଷଣା ହେବାକୁ ଥିବା ଅନ୍ତିମ ବଜେଟରେ ଏହାର ଘୋଷଣା କରାଯିବ ବୋଲି ଅନୁମାନ କରାଯାଉଛି । ତେବେ ଏହି ଯୋଜନାକୁ କିଛି ବ୍ୟାଙ୍କ ନାପସନ୍ଦ କରୁଥିବା ଜଣାପଡିଛି । ବ୍ୟାଙ୍କୁ ମନାଇବାକୁ ଚେଷ୍ଟା କରୁଛନ୍ତି କେନ୍ଦ୍ର ସରକାର ।

ସେପଟେ କୃଷି ମନ୍ତ୍ରାଳୟ ଏହି ବିଷୟରେ ନୀତି ଆୟୋଗ ସହ ଆଲୋଚନା କରୁଥିବା ଜଣାପଡ଼ିଛି । ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ବ୍ୟାଙ୍କ ସହ ବିଚାର ବିମର୍ଷ ଚାଲିଛି । ଏହାରି ମଧ୍ୟରେ ସରକାରଙ୍କ ଅନ୍ୟ ଏକ ଯୋଜନା ରହିଛି ଯେ, କୃଷକଙ୍କୁ ବିନା ଗ୍ୟାରେଂଟିରେ ଋଣ ଦିଆଯିବ । ୨ରୁ ୩ ଲକ୍ଷ ପର୍ଯ୍ୟନ୍ତ ଋଣ ସୁବିଧା ପାଇପାରିବେ ଚାଷୀ। ସରକାରଙ୍କ ଦ୍ୱାରା କରାଯାଉଥିବା ଋଣଛାଡ ଯୋଜନା ବିରୁଦ୍ଧରେ ଆରବିଆଇ ରହିଛି । ଆରବିଆଇ ଗଭର୍ଣ୍ଣର ଶଶୀକାନ୍ତ ଦାସ କହିଛନ୍ତି କି, ଋଣଛାଡ ଦ୍ୱାରା କ୍ରେଡିଟ କଲଚର ଏବଂ ଋଣଦାତାଙ୍କ ଉପରେ ପ୍ରତିକୂଳ ପ୍ରଭାବ ପଡିବ । ଅନ୍ୟପଟେ ଏହାକୁ ଲାଗୁ କରି ବିଜେପି ନିର୍ବାଚନୀ ଥୋପ ଛାଡ଼ିବାକୁ ପ୍ରସ୍ତୁତି କରୁଛି ବୋଲି ରାଜନୀତି ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି ।

ଜାତୀୟ ଗଣମାଧ୍ୟମ ସୂଚନା ମୁତାବକ ନୂତନ ଯୋଜନା ପାଇଁ ଧନ ଆବଂଟନରେ ଛୋଟ କୃଷକଙ୍କ ପାଇଁ ସହାୟତା ଉପାୟକୁ ସାମିଲ କରାଯିବ । କିନ୍ତୁ ଏସବିଆଇ ତରଫରୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ରିପୋର୍ଟ ଅନୁଯାୟୀ, ସରକାରଙ୍କୁ କୃଷି ଉତ୍ପାଦନକୁ ବଢାଇବା ଉଚିତ୍ । ଏହାଦ୍ୱାରା କୃଷକଙ୍କର ଆୟ ବଢି ପାରିବ ସେମାନଙ୍କ ମଧ୍ୟରୁ ବହୁ କୃଷକ ଋଣ ଫେରେଇବା ସ୍ଥିତିରେ ନାହାଁନ୍ତି । ତେବେ ସରକାର ଏନେଇ ବିଚାର କରୁଛନ୍ତି । ତେଣୁ ଏହି ଯୋଜନା ଜରିଆରେ ତାଙ୍କର ଆବଶ୍ୟକତା ପୂରଣ ହୋଇ ପାରିବ ବୋଲି କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି ।