ତ୍ରିବେଣୀ ସଙ୍ଗମରେ ଭକ୍ତିର ବୁଡ ପକାଇବାକୁ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ । ହାଡଭଙ୍ଗା ଥଣ୍ଡାରେ ବି ମାଗଣା ଚା’ ପିଇବାକୁ ଇଚ୍ଛା କରୁନାହାଁନ୍ତି ଲୋକେ

242

ପ୍ରୟାଗରାଜରେ ଆରମ୍ଭ ହୋଇଛି ମହାକୁମ୍ଭ । ଆଜି କୁମ୍ଭମେଳାରେ ସକାଳୁ ସକାଳୁ ପ୍ରଥମ ସାହି ସ୍ନାନ କରିଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ସାହି ସ୍ନାନ ପାଇଁ ତ୍ରିବେଣୀ ସଂଗମରେ ପ୍ରବଳ ଭିଡ ହୋଇଛି । ହିନ୍ଦୁ ଆସ୍ଥାର ସବୁଠାରୁ ବଡ କୁମ୍ଭରେ ଲକ୍ଷ ଲକ୍ଷ ସାଧୁସନ୍ଥଙ୍କ ସମାଗମ ହୋଇଛି । ସଂଗମ ତଟରେ ଚାରିପଟେ ଦେଶର ବିଭିନ୍ନ ଆଖଡାର ଶିବିର ସ୍ଥାପନ ହୋଇଛି ।  ଏହା କୁମ୍ଭର ସବୁଠାରୁ ବଡ ଆକର୍ଷଣ । ବିଶ୍ୱାସ ରହିଛି ଗଙ୍ଗା, ଯମୁନ ଓ ସରସ୍ୱତୀର ସଂଗମ ସ୍ଥଳ ଏହି ପ୍ରୟାଗରାଜରେ ବୁଡ ପକାଇଲେ ମୋକ୍ଷ ପ୍ରାପ୍ତିି ହୋଇଥାଏ । ବୁଡ ପକାଇବା ପାଇଁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଯାତାୟତ ଓ ଟ୍ରାଫିକରେ କୌଣସି ସମସ୍ୟା ନ ହେବା ଲାଗି ୩ ଦିନ ପାଇଁ ସ୍କୁଲ-କଲେଜକୁ ବନ୍ଦ ରଖାଯାଇଛି । ସେପଟେ ଟ୍ରାଫିକ ସମସ୍ୟାକୁ ନେଇ ବି ରାଜ୍ୟ ସରକାରଙ୍କ ପକ୍ଷରୁ ନିୟମାବଳୀ ଜାରି କରାଯାଇଛି । କୁମ୍ଭମେଳାରେ ୧୨ କୋଟିରୁ ଅଧିକ ଭକ୍ତ ଆସିବା ସମ୍ଭାବନା ରହିଛି । ତେଣୁ ଲୋକଙ୍କ ସୁରକ୍ଷା ପାଇଁ ବିଶେଷ ବନ୍ଦୋବସ୍ତ କରାଯାଇଛି ।

 

କୁମ୍ଭ ମେଳାରେ ସ୍ଥାନେ ସ୍ଥାନେ ଶ୍ରଦ୍ଧାଳୁଙ୍କୁ ପାଇଁ ମାଗଣା ଚା’ର ବି ବ୍ୟବସ୍ଥା କରାଯାଇଛି । ଦୋକାନ ଲଗାଇ ଶ୍ରଦ୍ଧାଳୁଙ୍କୁ ଗୋଟି ଗୋଟି କରି ଡକା ଯାଉଛି ଚା ପିଇବାକୁ ହେଲେ ଆସ୍ଥାର ଲାଳସା ଏମାନଙ୍କ ପାଖରେ ଏଭଳି ଭରିରହିଛି କି ଭେଣ୍ଡିଆ ଟୋକାମାନେ ଚାହାର ଚୁସକିର ମଜା ଉଠାଉଥିବା ବେଳେ ବୁଦ୍ଧାମାନେ ଏହାକୁ ଗ୍ରହଣ କରିବାକୁ ରୋକଠୋକ୍ ମନା କରିଦେଉଛନ୍ତି ।

କୁମ୍ଭମେଳା ସମ୍ପର୍କରେ..

ଏହି ମେଳାରେ ସବୁଠାରୁ ରହସ୍ୟମୟ ରଙ୍ଗ ହେଉଛି ନାଗା ସାଧୁଙ୍କ ସାହି ସ୍ନାନ । ନାଗା ସାଧୁଙ୍କ ସମ୍ପର୍କ ଶୈବ ପରମ୍ପରା ସହ ରହିଛି । ନାଗା ସାଧୁ ବି ଆଜି ପ୍ରୟାଗରାଜରେ ସାହି ସ୍ନାନ କରିଛନ୍ତି । ନାଗାଙ୍କ ବିଭିନ୍ନ ଆଖାଡା ଆସି ତ୍ରିବେଣୀ ସଙ୍ଗମରେ ସ୍ନାନ କରିଛନ୍ତି । ସାଧାରଣତଃ- ନାଗା ସାଧୁଙ୍କ ସଂସାର ଓ ଗୃହସ୍ଥ ଜୀବନ ସହ କୌଣସି ସମ୍ପର୍କ ନଥାଏ । ସବୁବେଳେ ଏମାନେ ବ୍ରହ୍ମଚର୍ଯ୍ୟ ପାଳନ କରିଥାନ୍ତି । ଏମାନଙ୍କ ଜୀବନ ସାଧାରଣ ଲୋକଙ୍କ ଜୀବନଠାରୁ ଅନେକ କଠିନ ହୋଇଥାଏ । ନାଗା ସାଧୁମାନେ ଶିବଙ୍କ ଛଡା ଅନ୍ୟ କୌଣସି ଦେବତାଙ୍କୁ ପୂଜା କରିନଥାନ୍ତି । ତ୍ରିଶୂଳ, ଡମ୍ବୁରୁ, ରୁଦ୍ରାକ୍ଷ, ଶଙ୍ଖ, କୁଣ୍ଡଳ, କମଣ୍ଡଳ, କୌପିନ, ଚିଲମ, ବିଭୂତି ହେଉଛି ସେମାନଙ୍କ ପ୍ରଧାନ ବସ୍ତୁ । ନାଗା ସାଧୁମାନେ ମୁଖ୍ୟତଃ ଗୁରୁସେବା, ତପସ୍ୟା, ଆଶ୍ରମ କାମ ଓ ଯୋଗ କ୍ରିୟା କରିଥାନ୍ତି । ନାଗା ସାଧୁଙ୍କୁ ପ୍ରଥମେ ବ୍ରହ୍ମଚାରୀ ହେବାକୁ ଶିକ୍ଷା ଦିଆଯାଇଥାଏ । ଏଥିରେ ପାଶ ହେବା ପରେ ମହାପୁରୁଷ ଦୀକ୍ଷା ଦିଆଯାଇଥାଏ ।

ଶେଷ ପରୀକ୍ଷା ଦିଗମ୍ବର ଓ ଶ୍ରୀଦିଗମ୍ବରର ହୋଇଥାଏ । ଦିଗମ୍ବର କୌପିନ ପିନ୍ଧିଥାନ୍ତି ଓ ଶ୍ରୀଦିଗମ୍ବରଙ୍କୁ ବନା କପଡାରେ ରହିବାକୁ ପଡିଥାଏ । ନାଗା ସାଧୁ ଆଖଡାର ଆଶ୍ରମ ଓ ମନ୍ଦିରରେ ରହିଥାନ୍ତି । ଜପ ତପ ପାଇଁ ହିମାଳୟ କିମ୍ବା ଉଚ୍ଚ ପାହାଡରେ ରହିଥାନ୍ତି । ଆଖଡାର ନିର୍ଦ୍ଦେଶ ଅନୁସାରେ ଏମାନେ ବହୁ ଦୂର ସ୍ଥାନକୁ ଯାଇପାରନ୍ତି । ଏହି ସମୟରେ ବିଭିନ୍ନ ଗାଁ ଓ ସ୍ଥାନରେ ରହି ଛୋଟ ଘର କରି ଧୁନୀ ବି କରିଥାନ୍ତି । ନାଗା ସାଧୁ ହେବା ପାଇଁ ଜଣେ ବ୍ୟକ୍ତିଙ୍କୁ ପ୍ରାୟ ୧୨ ବର୍ଷ ଲାଗିଥାଏ । ଏହି ସମୟରେ କୌପିନ ଛାଡିଦେଲେ ସେମାନେ ଆଉ କିଛି ପିନ୍ଧିନଥାନ୍ତି । ନାଗାଙ୍କ ମଧ୍ୟରେ ବିଭିନ୍ନ ପଦ ବି ରହିଛି । ଆଉ ସବୁଠୁ ବଡ ଓ ମହତ୍ୱପୂର୍ଣ୍ଣ ପଦ ହେଉଛି ସଚିବ । ନାଗା ମାନଙ୍କ ସାତୋଟି ଆଖଡା ରହିଛି । ଏମାନେ ହେଲେ ମହାନିର୍ବାଣୀ, ନିରଞ୍ଜନୀ, ଅଟଳ, ଅଗ୍ନି , ଆନନ୍ଦ ଓ ଆବାହନ ଆଖଡା ।