ଓସିଏ ସଭାପତି ନିର୍ବାଚନରେ ବିଧାୟକ ପ୍ରଣବ ପ୍ରକାଶ । ନିର୍ଦ୍ୱନ୍ଦ୍ୱରେ ହେବେ କି ନିର୍ବାଚିତ?

89

କନକ ବ୍ୟୁରୋ: ଓସିଏ ସଭାପତି ନିର୍ବାଚନ ପାଖେଇ ଆସୁଥିବା ବେଳେ ଏଥର ଏହା ଉପରେ ଖାଲି କ୍ରୀଡ଼ାପ୍ରେମୀ ନୁହେଁ ବରଂ ରାଜନୈତିକ ବ୍ୟକ୍ତିଙ୍କ ନଜର ମଧ୍ୟ ରହିଛି । କାରଣ ଏଥର ଓସିଏ ସଭାପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ୨୮ ତାରିଖରେ ଏହି ନିର୍ବାଚନ ହେବ କିନ୍ତୁ ତା ପୂର୍ବରୁ ପୁରୀରେ ବସିଥିବା ଗୋପନ ବୈଠକରେ ପ୍ରଣବ ପ୍ରକାଶଙ୍କ ସଭାପତି ହେବା ରାସ୍ତା ପରିଷ୍କାର ହୋଇଛି ।

  • ଓସିଏ ସଭାପତି ନିର୍ବାଚନରେ ପ୍ରଣବପ୍ରକାଶ
  • ନିର୍ଦ୍ୱନ୍ଦ୍ୱରେ ହେବେ କି ନିର୍ବାଚିତ?

ଦୀର୍ଘଦିନ ଧରି ଅଣରାଜନୈତିକ ବ୍ୟକ୍ତିଙ୍କ ହାତରେ ଥିବା ଓଡିଶା କ୍ରିକେଟ ଆସୋସିଏନ, ଓସିଏର ମଙ୍ଗ ଧରିବେ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଦୀର୍ଘଦିନ ଧରି ଓସିଏକୁ ନିଜ କବଜାରେ ରଖିଥିବା ଆଶୀର୍ବାଦ ବେହେରାଙ୍କ ଗୋଷ୍ଠୀ ପକ୍ଷରୁ ପ୍ରାର୍ଥୀ ହେବେ ପ୍ରଣବ ପ୍ରକାଶ । ୨୮ ତାରିଖରେ ଏହି ନିର୍ବାଚନ ହେବ । କିନ୍ତୁ ତା ପୂର୍ବରୁ ପୁରୀରେ ବସିଥିବା ଗୋପନ ବୈଠକରେ ପ୍ରଣବ ପ୍ରକାଶ ଦାସଙ୍କ ସଭାପତି ହେବା ରାସ୍ତା ପରିଷ୍କାର ହୋଇଛି । ପ୍ରଣବଙ୍କ ସହ ସମ୍ମାନଜନକ ସାଧାରଣ ସମ୍ପାଦକ ପଦବୀ ପାଇଁ ଆଶୀର୍ବାଦଙ୍କ ପୁଅ ସଂଜୟ ବେହେରା ପୁଣି ଥରେ ନିର୍ବାଚନ ଲଢିବେ । ସେହିଭଳି ବର୍ତ୍ତମାନ ଓସିଏର ସଭାପତି ଥିବା ପଙ୍କଜ ଲୋଚନ ମହାନ୍ତି ଉପସଭାପତି ହେବେ ।

ସେପଟେ ପ୍ରଣବପ୍ରକାଶ ଦାସ ଓସିଏ ସଭାପତି ଭାବେ ନିର୍ବାଚନ ଲଢିବା ସ୍ପଷ୍ଟ ହେବା ପରେ ପ୍ରତିପକ୍ଷ ଗୋଷ୍ଠୀ ବି ଉତ୍ସାହିତ ଅଛନ୍ତି । ପ୍ରଣବପ୍ରକାଶଙ୍କ ଭଳି ନେତା ସଭାପତି ହେଲେ ରାଜ୍ୟରେ କ୍ରିକେଟର ଉନ୍ନତି ହେବ ବୋଲି କହିଛନ୍ତି ପୂର୍ବତନ ଉପ ସଭାପତି ନବ ପଟ୍ଟନାୟକ । ତେବେ ସେ ନିର୍ବାଚନ ଲଢିବେ କି ନାହିଁ ଆଗାମୀ ଦିନରେ ଜଣାଇବେ ବୋଲି କହିଛନ୍ତି ।

ପୁରୀରେ ବସିଥିବା ଓସିଏର ଗୁପ୍ତ ବୈଠକ ହୋଇଥିଲା । ଏଥିରେ ଓସିଏର ସମସ୍ତ କର୍ମକର୍ତ୍ତାଙ୍କ ସହ ଅଧିକାଂଶ ସଦସ୍ୟ ଯୋଗଦେଇଥିଲେ । ତେଣୁ ସଭାପତି, ଉପସଭାପତି ଓ ସାଧାରଣ ସମ୍ପାଦକ ନିର୍ବାଚନରେ ଏଥର ଟକ୍କର ଦେଖିବାକୁ ମିଳିନପାରେ । ଓସିଏ ନିର୍ବାଚନ ପାଇଁ ଜାରି ଭୋଟର ତାଲିରାରେ ଯାଜପୁରରୁ ତାଲିକାଭୁକ୍ତ ହୋଇଥିଲେ ପ୍ରଣବ ପ୍ରକାଶ । ପୁରୀ ବୈଠକରେ ପ୍ରଣବଙ୍କ ସପକ୍ଷରେ ସମର୍ଥନ ମିଳିବା ପରେ ପ୍ରଣବ ଓସିର ମଙ୍ଗ ଧରିବା ଏକପ୍ରକାର ସ୍ପଷ୍ଟ ହୋଇଛି ।