୫-ଟି ସ୍କୁଲର ରକ୍ଷାଣବେକ୍ଷଣ କରିବେ ମିଶନ ଶକ୍ତି ମହିଳା । ଆଗାମୀ ୩ ବର୍ଷରେ ୫୦ ହଜାର ଏସଏଚଜିଙ୍କୁ ଏସଏମଇରେ ପରିଣତ କରିବାକୁ ଲକ୍ଷ୍ୟ ।

4,061

କନକ ବ୍ୟୁରୋ : ୫-ଟି ସ୍କୁଲର ଦାୟିତ୍ୱ ନେବେ ମିଶନ ଶକ୍ତି ମହିଳା । ସ୍କୁଲର ରକ୍ଷାଣବେକ୍ଷଣ କରିବେ ମିଶନ ଶକ୍ତିର ମା’ । ସେହିଭଳି ଜଙ୍ଗଲ ବିଭାଗର ବିଭିନ୍ନ ଦାୟିତ୍ୱ ନେବା ସହ ନିଆଁ ଲିଭାକାର୍ଯ୍ୟରେ ବି ସେମାନେ ନିୟୋଜିତ ହେବେ । ଆସନ୍ତା ତିନି ବର୍ଷ ମଧ୍ୟରେ ରାଜ୍ୟର ୫୦୦୦୦ ଏସଏଚଜିଙ୍କୁ ଏସଏମଇରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ଏନେଇ ବରିଷ୍ଠ ଅଧିକାରୀ ସମ୍ମିଳନୀରେ ସୂଚନା ଦେଇଛନ୍ତି ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ।

ଏହାସହ ମିଶନ ଶକ୍ତି ମହିଳାଙ୍କ ପାଇଁ ପ୍ରତ୍ୟେକ ଜିଲ୍ଲାରେ ନିର୍ମାଣ ହେବ ଇଣ୍ଡରଷ୍ଟ୍ରିଆଲ ପାର୍କ । ଆସନ୍ତା ତିନି ବର୍ଷ ଭିତରେ ଏହାକୁ କାର୍ଯ୍ୟକ୍ଷମ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଜିଲ୍ଲାପାଳ ମାନଙ୍କୁ ଜମି ଚିହ୍ନଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମିଶନ ଶକ୍ତି ମହିଳାଙ୍କୁ ନୂଆ ସରକାରୀ କାମ ଦିଆଯାଉଛି । ବର୍ତ୍ତମାନ ୧୫ ଟି ବିଭାଗରେ କାମ କରୁଛନ୍ତି ମିଶନ ଶକ୍ତି ମହିଳା ।

ସେହିଭଳି ମହିଳା ଓ ଶିଶୁ କଲ୍ୟାଣ, ମିଶନ ଶକ୍ତି ବିଭାଗର ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ କହିଛନ୍ତି, ଏବେ ଓଡ଼ିଶାରେ ମିଶନ ଶକ୍ତିର ମହିଳା କେବଳ ବଡି ଆଚାର ପାମ୍ପଡରେ ସୀମିତ ନୁହଁନ୍ତି, ବରଂ ସମସ୍ତେ ଉଦ୍ୟୋଗୀ ହେଲେଣି । ଦେଶ ବିଦେଶରେ ଓଡ଼ିଶାର ମିଶନ ଶକ୍ତି ମା’ ମାନଙ୍କ ହାତ ତିଆରି ସାମଗ୍ରୀ ପହଞ୍ଚୁଛି । ଆଗକୁ ମହିଳାଙ୍କୁ କିଭଳି ଅଧିକ ମାତ୍ରାରେ ଉଦ୍ୟୋଗୀ କରାଯାଇପାରିବ ତାହା ଉପରେ ଗୁରୁତ୍ୱ ଦେଉଛୁ ।