ନିରାପଦ ନୁହେଁ ମଧ୍ୟାହ୍ନ ଭୋଜନ ! ପରଷା ଯାଉଛି ନିମ୍ନମାନର ଖାଦ୍ୟ, ପରୀକ୍ଷଣ ପରେ ଜଣାପଡିଲା ଖାଦ୍ୟର ମାନ

41

କନକ ବ୍ୟୁରୋ : ସ୍କୁଲରେ ଆପଣଙ୍କ ପିଲା ମଧ୍ୟାହ୍ନ ଭୋଜନ ଖାଉଛନ୍ତି କି ? ଆପଣ କେବେ ଭାବିଛନ୍ତି କି ସ୍କୁଲରେ ଦିଆଯାଉଥିବା ଖାଦ୍ୟ ନିରାପଦ ନା ନୁହେଁ ? ଖାଦ୍ୟ କମିଶନ, ସରକାରଙ୍କ ସାମ୍ନାରେ ରଖିଛନ୍ତି ମଧ୍ୟାହ୍ନ ଭୋଜନର ସତ । ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଦିଆଯାଉଥିବା ଖାଦ୍ୟର ଯାଂଚ୍ ପରେ ଯେଉଁ ତଥ୍ୟ ରଖିଛନ୍ତି, ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । କାରଣ ପିଲାଙ୍କୁ ଦିଆଯାଉଥିବା ଏହି ଖଦ୍ୟ ନିରାପଦ ନୁହେଁ । ଏନେଇ ଚିଠି ଲେଖି ରାଜ୍ୟ ସରକାଙ୍କୁ ଜଣାଇଛନ୍ତି ରାଜ୍ୟ ଖାଦ୍ୟ କମିଶନ୍ର ସଦସ୍ୟ ସଚିବ ।

mid day mealତେବେ ଏଥିପାଇଁ କାହାକୁ କରାଯିବ ଉତ୍ତରଦାୟୀ ? କୁନି କୁନି ପିଲାଙ୍କ ଭାଗ୍ୟକୁ ନେଇ ଖେଳାଯାଉଛି ସଂଘାତିକ୍ ଖେଳ । ସ୍କୁଲ ଗୁଡ଼ିକରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନରେ ନା’ ପୁଷ୍ଟିସାର ଅଛି, ନା’ ଖାଦ୍ୟ ଉପଯୋଗୀ । ଏହା କୌଣସି ମାମୁଲି ଅଭିଯୋଗ ନୁହେଁ, ଖୋଦ୍ ଖାଦ୍ୟ କମିଶନ ଏଭଳି ଏକ ସ୍ପର୍ଶକାତର ପ୍ରସଙ୍ଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏନେଇ ରାଜ୍ୟ ଖାଦ୍ୟ କମିଶନ୍ର ସଦସ୍ୟ, ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି । ଯେଉଁଥିରେ ଲେଖାଯାଇଛି-ସ୍କୁଲ ଗୁଡ଼ିକରେ ଦିଆଯାଇଥିବା ମଧ୍ୟାହ୍ନ ଭୋଜନର ଯାଂଚ୍ ପରେ ରାଜ୍ୟର ଅନେକ ସ୍କୁଲରେ ପିଲାଙ୍କୁ ନିରାପଦ ଖାଦ୍ୟ ଦିଆଯାଉ ନାହିଁ । ଏମିତିକି ଦାୟୀ ସଂସ୍ଥା ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ଜଣାଇଛନ୍ତି ।

-ଖାଦ୍ୟ ନିରାପଦ ନୁହେଁ ଅର୍ଥାତ୍ ପିଲାଙ୍କୁ ଦିଆଯାଉଥିବା ଖାଦ୍ୟ ଉପଯୋଗୀ ନୁହେଁ
-ଖାଦ୍ୟ ନିମ୍ନମାନର ଅର୍ଥାତ୍ ସର୍ବନିମ୍ନ ଆବଶ୍ୟକତା ପୂରଣ କରୁନି ଖାଦ୍ୟର ମାନ
-ପିଲାଙ୍କୁ ଦିଆଯାଉଥିବା ଖାଦ୍ୟରେ ପୃଷ୍ଟିସାର ପରିମାଣକୁ ନେଇ ମଧ୍ୟ ସନ୍ଦେହ ରହୁଛି

ଖାଦ୍ୟ ନିରାପତ୍ତା ଓ ମାନ ଆଇନ ୨୦୦୬ କହୁଛି- ଜଣେ ଯଦି ଏଥିରେ ଖିଲାପ କରେ ତାକୁ ୧ ଲକ୍ଷରୁ ୨୫ ଲକ୍ଷ ଯାଏଁ ଜୋରିମାନ ଦେବାକୁ ପଡ଼ିବ । ଏବଂ ୬ମାସରୁ ୬ବର୍ଷ ଯାଏଁ ଜେଲଦଣ୍ଡାର ବ୍ୟବସ୍ଥା ରହିଛି । କିନ୍ତୁ ଏଭଳି କଡ଼ାକଡ଼ି ଆଇନକୁ ଭ୍ରୁକ୍ଷେପ ନକରି, ସ୍କୁଲ ପିଲାଙ୍କ ଖାଦ୍ୟକୁ ନେଇ ଖେଳାଯାଉଛି ଖେଳ । ଏପଟେ ମନ୍ତ୍ରୀ କହୁଛନ୍ତି- କାର୍ଯ୍ୟାନୁଷ୍ଠାନ ହେବ । ଉପାନ୍ତରୁ ଉପକୂଳ । କୋରାପୁଟରୁ ଆରମ୍ଭ କରି ବାଲେଶ୍ୱର, ଖୋର୍ଦ୍ଧାରୁ ଆରମ୍ଭ କରି ବଲାଙ୍ଗୀର । ଏଭଳି ଅନେକ ଜିଲ୍ଲାରୁ ଆସିଥିବା ରିପୋର୍ଟ ସେହି ସମାନ ମୂଲ୍ୟାଙ୍କନ କରିଛି । ଯାହା ନିଶ୍ଚିତ ଭାବରେ ଚିନ୍ତାର ବିଷୟ ।