ହାତ ଓ ଗୋଡରେ ପଡିଛି ଲୁହାର ବେଡି ! ମାନସିକ ଭାରସାମ୍ୟ ହରାଇଥିବା ରମେଶଙ୍କର ଚିକିତ୍ସା ପାଇଁ ବାଧକ ସାଜିଛି ଅର୍ଥ

29

କନକ ବ୍ୟୁରୋ : ହାତ ଓ ଗୋଡରେ ପଡିଛି ଲୁହାର ବେଡି । ୧୨ ବର୍ଷ ତଳେ ହରାଇଛନ୍ତି ମାନସିକ ସ୍ଥିରତା । ଏମିତି ଅବସ୍ଥା ହେଉଛି କାକଟପୁର ଅଂଚଳର ରମେଶ ସାସମଲଙ୍କର । ପରିବାର ଚଳାଇବାକୁ ଅସମ୍ଭବ ହେଉଥିବା ବେଳେ ରମେଶଙ୍କର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଏବେ ପ୍ରଶ୍ନ ଉଠୁଛି ଜିଲ୍ଲା ସମାଜ ମଙ୍ଗଳ ବିଭାଗ କରୁଛି କ’ଣ ।

ହାତ ଓ ଗୋଡରେ ଲୁହାର ଶିକୁଳି । ଦେହରେ ଗୋଟିଏ ଲୁଙ୍ଗି ଆଉ କାନ୍ଧରେ ପଡିଛି ୨ଟି ଗାମୁଛା । ପୁରୀ ଜିଲ୍ଲା କାକଟପୁର ବ୍ଲକ୍ ବାଣିଆ ଗାଁର ରମେଶ ସାସମଲ । ତାଙ୍କ ବୟସ ୫୦ ବର୍ଷ । ହେଲେ ମାନସିକ ଭାରସାମ୍ୟ ହରାଇଥିବାରୁ ଅନେକ ସମୟରେ କରୁଛନ୍ତି ହିଂସ୍ର ଆଚରଣ । ଖାଇବାକୁ ଦେଲେ ଖାଉନାହାନ୍ତି । ଘର ଲୋକଙ୍କୁ ଦେଖିଲେ ସବୁବେଳେ ଚିଡଚିଡ ହେଉଛନ୍ତି, ବେଡି ଖୋଲିଲେ ମାରି ଗୋଡାଉଛନ୍ତି । ରମେଶଙ୍କର ଏପରି ଅବସ୍ଥା ଦେଖି ପରିବାର ଲୋକେ ଅସହାୟ ହୋଇ ପଡ଼ିଛନ୍ତି ।

ସ୍ତ୍ରୀ ଓ ୨ ଝିଅଙ୍କୁ ନେଇ ରମେଶଙ୍କ ସଂସାର । ରାଜ୍ୟ ବାହାରେ ଏକ କମ୍ପାନୀରେ ଠିକା କାମ କରି ବେଶ୍ ଦୁଇ ପଇସା ରୋଜଗାର ବି କରୁଥିଲେ ରମେଶ । ହେଲେ ହଠାତ୍ ସବୁ କିଛି ବଦଳି ଗଲା । ୧୨ ବର୍ଷ ତଳେ ରମେଶ ହରାଇ ବସିଲେ ମାନସିକ ଭାରସାମ୍ୟ । ଯାହାକୁ ଦେଖିଲେ ମାରି ଗୋଡାଇଲେ । ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଚିକିତ୍ସା କରାଇବା ପରେ ବି ସୁଧୁରିଲାନି ରମେଶଙ୍କ ଅବସ୍ଥା । ଦିନକୁ ଦିନ ଅଧିକ ହିଂସ୍ର ହେବାରୁ ବାଧ୍ୟ ହୋଇ ବେଡି ପକାଇ ରଖିଲେ ପରିବାର ଲୋକେ । ସର୍ବସ୍ୱାନ୍ତ ହୋଇ ପଡିଥିବା ରମେଶଙ୍କ ପରିବାର ପାଇଁ ପେଟକୁ ଦାନା ମିଳିବା ମୁସ୍କିଲ ହୋଇ ପଡିଥିବା ବେଳେ ଚିକିତ୍ସା ପାଲଟିଛି ସାତସପନ । ମାନସିକ ଭାରସାମ୍ୟ ହରାଇଥିବା ରମେଶଙ୍କ ଗରିବ ପରିବାର ପାଇଁ ନା ଅଛି ରାସନ୍ କାର୍ଡ, ନା ଅଛି ଦିବ୍ୟାଙ୍ଗ ଭତା । ଏଠାରେ ପ୍ରଶ୍ନ ଉଠୁଛି ପୁରୀ ଜିଲ୍ଲା ସମାଜମଙ୍ଗଳ ବିଭାଗ କରୁଛି କଣ ?