ପୁଣି ୫ଦିନ ବଢିଲା ସିସୋଦିଆଙ୍କ ଇଡି ରିମାଣ୍ଡ, ମାର୍ଚ୍ଚ ୨୨ରେ କୋର୍ଟରେ ହେବେ ହାଜର

77

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଅଭିଯୁକ୍ତ ଭାବେ ଇଡି ହେପାଜତରେ ଥିବା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଇଡି ତରଫରୁ ସିସୋଦିଆଙ୍କୁ ଆଜି କୋର୍ଟରେ ହାଜର କରାଯାଇ ପୁଣି ୭ଦିନ ରିମାଣ୍ଡ ମାଗିଥିଲା । ହେଲେ କୋର୍ଟ ଏହି ମାମଲାରେ ସିସୋଦିଆଙ୍କ ଇଡି ରିମାଣ୍ଡକୁ ୫ଦିନ ବଢାଇ ଦେଇଛନ୍ତି । ଏବେ ସିସୋଦିଆଙ୍କୁ ଇଡି ପୁଣି ମାର୍ଚ୍ଚ ୨୨ ତାରିଖରେ କୋର୍ଟରେ ହାଜର କରିବ । ସେପଟେ ସିସୋଦିଆଙ୍କ ଓକିଲ କୋର୍ଟକୁ କହିଛନ୍ତି କି ଜେରା ନାମରେ ଇଡି ସିସୋଦିଆଙ୍କୁ କେବଳ ଏଠି ସେଠି ବସାଉଛି ଓ ଗତ ୭ଦିନ ମଧ୍ୟରେ କେବଳ ୧୧ ଘଣ୍ଟା ପଚରା ଉଚରା କରିଛି ।

ଅନ୍ୟପଟେ ଇଡି ତରଫରୁ କୋର୍ଟକୁ କୁହାଯାଇଛି କି ଯାଂଚ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡରେ ପହଂଚିଛି । ଯଦି ଏବେ ରିମାଣ୍ଡ ପାଇଁ ଅନୁମତି ନମିଳିବ ତେବେ ସମସ୍ତ ପରିଶ୍ରମ ବେକାର ଯିବ ବୋଲି ଇଡି ତରଫରୁ କୁହାଯାଇଛି । ଏହାସହ ସିସୋଦିଆଙ୍କୁ ସିସିଟିଭି ନଜରରେ ରଖି ପଚରାଉଚରା କରାଯାଉଛି । ଏବେ ଏହି ମାମଲାରେ ଅନ୍ୟ ୨ଜଣଙ୍କର ୧୮ ଓ ୧୯ ତାରିଖରେ ବୟାନ ରେକର୍ଡ କରାଯିବ । ହେଲେ ସିସୋଦିଆ କହିଛନ୍ତି କି ଗତ ରିମାଣ୍ଡ ଅବଧି ମଧ୍ୟରେ ତାଙ୍କୁ ବହୁତ କମ୍ ଜେରା କରାଯାଇଛି ।

ସୂଚନା ଥାଉକି ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଏବେ ଇଡି ଓ ସିବିଆଇର ହେପାଜତରେ ରହିଛନ୍ତି ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ତାଙ୍କୁ ଫେବୃଆରୀ ୨୬ ତାରିଖରେ ଗିରଫ କରିଥିଲା ସିବିଆଇ । ଏହାପରେ ଜେଲରେ ତାଙ୍କୁ ଇଡି ଜେରା କରିବା ସହ ପୁଣି ଗିରଫ କରିଥିଲା ।