ଗୋ ସୁରକ୍ଷା ପାଇଁ ମଦ ବୋତଲ ପ୍ରତି ଦେବାକୁ ହେବ ୧୦ଟଙ୍କା ଅଧିକ, ଜାଣନ୍ତୁ କେଉଁ ରାଜ୍ୟ ସରକାର ଆଣିଲେ ଏଭଳି ନିୟମ

386

କନକ ବ୍ୟୁରୋ : ଦେଶ ରାଜନୀତିରେ ଗୋରୁ ଏବେ ଏକ ପ୍ରମୁଖ ପ୍ରସଙ୍ଗ ହୋଇସାରିଛି । ପ୍ରଥମେ ଏହି ପ୍ରସଙ୍ଗଙ୍କୁ କେବଳ ବିଜେପି ଅଗ୍ରାଧିକାର ଦେଉଥିବା କଥା ଆଲୋଚନା ହେଉଥିବା ବେଳେ ଏବେ କଂଗ୍ରେସ ବି ଏହି ପ୍ରସଙ୍ଗକୁ ଆଗକୁ ନେଇଛି । ପ୍ରତି ବଜେଟରେ ଗୋରୁମାନଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର କିଛି ନା କିଛି ବ୍ୟୟ ବରାଦ କରୁଛନ୍ତି । ଏହାକୁ ଦେଖି ଏବେ ରାଜ୍ୟ ସରକାରମାନେ ବି ଗୋ ସୁରକ୍ଷା ପାଇଁ ରାଜ୍ୟ ବଜେଟରେ ବ୍ୟୟବରାଦ ଆରମ୍ଭ କରିଦେଲେଣି । ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଓ କର୍ଣ୍ଣାଟକର ବିଜେପି ସରକାର ପରେ ଏବେ ହିମାଚଳର କଂଗ୍ରେସ ସରକାର ମଧ୍ୟ ଗୋ ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି । ହେଲେ ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଏକ ନୂଆ ଢଙ୍ଗରେ ଗୋ ସୁରକ୍ଷା ପାଇଁ ପାଣ୍ଠି ଯୋଗାଡ କରିବାକୁ ନିୟମ ଆଣିଛନ୍ତି ।

ହିମାଚଳ ପ୍ରଦେଶରେ ସୁଖବିନ୍ଦର ସିଂ ସୁଖୁ ସରକାର ଶୁକ୍ରବାର ଦିନ ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ୫୩,୪୧୩ କୋଟି ଟଙ୍କାର ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି । ଏହି ବଜେଟରେ ଗୋ ସଂରକ୍ଷଣ ପାଇଁ ମଦ ଉପରେ କାଉ ଟ୍ୟାକ୍ସ ଲଗାଇଛନ୍ତି । ସରକାର କହିଛନ୍ତି କି ପ୍ରତିଟି ମଦ ବୋତଲରେ ୧୦ ଟଙ୍କା କାଉ ସେସ୍ ବା ଗୋ ସଂରକ୍ଷଣ କର ଲାଗିବ । ଏଭଳି ଭାବେ ୧ହଜାର କୋଟି ଟଙ୍କା ଆଦାୟ କରାଯିବ ଓ ତାହା କେବଳ ଗୋ ସୁରକ୍ଷା ପାଇଁ ବ୍ୟୟ ହେବ ।

ବଜେଟ୍ ଉପସ୍ଥାପନ ବେଳେ ହିମାଚଳ ମୁଖ୍ୟମନ୍ତ୍ରୀ କହିଥିଲେ କି ହିମାଚଳ ବ୍ୟତୀତ ଏହା ପୂର୍ବରୁ ଅନେକ ରାଜ୍ୟ ସରକାର ରାଜ୍ୟରେ ଗୋ ଉପକର ଆଦାୟ କରୁଛନ୍ତି । ଏହି ରାଜ୍ୟମାନଙ୍କ ମଧ୍ୟରେ ପଞ୍ଜାବ, ଉତ୍ତର ପ୍ରଦେଶ, ରାଜସ୍ଥାନ ଓ କେନ୍ଦ୍ର ଶାସିତ ପ୍ରଦେଶ ଚଣ୍ଡିଗଣ ରହିଛି । ଏହାସହ ଚଳିତ ବଜେଟରେ ସୁଖୁ ସରକାର ରାଜ୍ୟରେ ୩୦ ହଜାର ନିଯୁକ୍ତି ପାଇଁ ଘୋଷଣା କରିଛନ୍ତି ।