ଗଞ୍ଜାମ ଜିଲ୍ଲାର ଐତିହ୍ୟସ୍ଥଳୀ ମହୁରୀଗଡ । ଦୀର୍ଘ ଦିନ ହେଲା ପଡିରହିଛି ଜରାଜୀର୍ଣ୍ଣ ଅବସ୍ଥାରେ । ପୁନଃରୁଦ୍ଧାର କରିବାକୁ ଦାବି ।

80

କନକ ବ୍ୟୁରୋ: ଗଞ୍ଜାମ ଜିଲ୍ଲାରେ ରହିଛି ରାଜରାଜୁଡା ଅମଳର ଅନେକ ଐତିହ୍ୟ ସମ୍ପର୍ଣ୍ଣ ସ୍ଥଳୀ । ଯାହାକି ବିକାଶ ଠାରୁ ଦୂରରେ ଥିବାରୁ ଲୋକଲୋଚନକୁ ଆସିପାରୁନାହିଁ । କିନ୍ତୁ ଶହଶହ ବର୍ଷ ପୂର୍ବେ ନିର୍ମାଣ ହୋଇଥିବା ସେହି କଳାକୃତିର ଭଗ୍ନାବଶେଷ ଓ କିମ୍ବଦନ୍ତୀ ଆଜି ବି ଉଜ୍ଜୀବିତ ହୋଇ ରହିଛି ।

ରାଜାରାଜୁଡା ଓ ବ୍ରିଟିଶ ଅମଳର କିଛି ଭଗ୍ନାବିଶେଷ ଓ କିମ୍ବଦନ୍ତୀ ଏମିତି ପଡିରହିଛି । ବ୍ରହ୍ମପୁର ସହର ଠାରୁ ପୁରୁଣା ବ୍ରହ୍ମପୁର ପରେ ଲାଠି ଓ ଟାମାଣା ରାସ୍ତାରେ ୧୫ କିଲୋମିଟର ଗଲେ ପଡେ ଏକ ଐତିହ୍ୟ ସମ୍ପର୍ଣ୍ଣ ଗଡ । ଘଂଚ ଜଙ୍ଗଲ ଭିତରେ ଅଣଓସାରିଆ ରାସ୍ତ ଦେଇ ପ୍ରାୟ ୩ କିଲୋମିଟର ଗଲା ପରେ ଦେଖାଯାଏ, ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଏହି ମହୁରୀଗଡ଼ ।

ରାଜା ରାଜୁଡା ଅମଳରେ ମହୁରୀଗଡ ଅନେକ ଖ୍ୟାତି ଥିଲା । କେରାଣ୍ଡିମାଳ ପର୍ବତ ମଝିରେ ପ୍ରାୟ ୫ଶହ ବର୍ଷ ତଳେ ତତ୍କାଳୀନ ମହୁରୀ ରାଜା ଏହି ଗଡ ନିର୍ମାଣ କରିଥିଲେ ବୋଲି କୁହାଯାଏ । ଗଡ ଚାରିପଟେ ରହିଛି ଜଗନ୍ନାଥ ମନ୍ଦିର, ରାଧାକୃଷ୍ଣ ମନ୍ଦିର, ଲକ୍ଷ୍ମୀମନ୍ଦିର ଓ ରାଜାରାଣୀ ପୋଖରୀ । ହେଲେ ଏହା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି । ହୁଏତ ଆଗକୁ ଧୀରେ ଧୀରେ ମହୁରୀଗଡର ନା ଇତିହାସ ପୃଷ୍ଠାରୁ ବି ଲିଭିଯିବ । ଘଂଚ ଜଙ୍ଗଲ ଭିତରେ ମନ୍ଦିର ଲୁଚି ଯାଉଥିବା ବେଳେ ଏଠାରେ ଆଉ ଦିଅଁଙ୍କ ପ୍ରତିମା ନାହିଁ । ତେବେ ବେଳ ଥାଉ ଥାଉ ସରକାର ଏହା ଉପରେ ନଜର ଦେଇ ଏହାର ପୁନଃରୁଦ୍ଧାର କରାଗଲେ, ଏହି ଗଡ଼ ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇପାରିବ ବୋଲି ଦାବି କରନ୍ତି ଅଂଚଳବାସୀ।