କେମିତି ଆରମ୍ଭ ହୋଇଥିଲା ୱାନ ଡେ କ୍ରିକେଟ୍? ଜାଣନ୍ତୁ, ୫୦ ବର୍ଷ ତଳର କାହାଣୀ ।

298

କନକ ବ୍ୟୁରୋ: ଆଜିର ଦିନରେ କ୍ରିକେଟକୁ ନେଇ ସମସ୍ତେ ଉତ୍ସାହିତ । ବିଶେଷକରି ଫଟାଫଟ କ୍ରିକେଟର ମଜା ଲୁଟିବାକୁ ଯୁବପୀଢୀମାନେ ବେଶ ପସନ୍ଦ କରୁଛନ୍ତିି । ହେଲେ ଦିନ ଥିଲା କ୍ରିକେଟ ମାନେ କେବଳ ଟେଷ୍ଟ କ୍ରିକେଟକୁ ବୁଝୋଉଥିଲା । କ୍ରିକେଟ ଜନ୍ମ ନେବା ପରଠାରୁ ଦୀର୍ଘ ବର୍ଷ ଧରି ଖେଳାଳିମାନେ ଟେଷ୍ଟ ଫର୍ମାଟରେ କ୍ରିକେଟ୍ ଖେଳିଆସୁଥିଲେ । ହେଲେ ଏବେ କ୍ରିକେଟରୁ ଅନେକ ରୂପ । ଦିନିକିଆ, ଟି-୨୦ ପରେ ଏବେ ବିଶ୍ୱର କିଛି ଯାଗାରେ ଟି-ଟେନ୍ ମ୍ୟାଚ୍ ମଧ୍ୟ ଖେଳାଗଲାଣି ।

ହେଲେ ୫୦ ବର୍ଷ ତଳେ କେମିତି ଆରମ୍ଭ ହୋଇଥିଲା ଦିନିକିଆ କ୍ରିକେଟ୍, ତା ଆଜି ବି ଅନେକ ଲୋକଙ୍କୁ ଅଜଣା । ତେଣୁ ଆଜି ଆମେ ସେହି ୱାନଡେ କ୍ରିକେଟର ଜନ୍ମକାହାଣୀ ବିଷୟରେ ଆପଣଙ୍କୁ କହିବୁ, ଯାହା ଆପଣ କାହାଠୁ କେବେ ବି ଶୁଣିନଥିବେ । ଦୀର୍ଘ ୫୦ ବର୍ଷ ତଳେ ଅର୍ଥାତ ୧୯୭୧ ମସିହାରେ ଜନ୍ମ ନେଇଥିଲା ଦିନିକିଆ କ୍ରିକେଟ୍ । ତା ପୁଣି ଏକ ଅଜବ ଘଟଣା ଭିତରେ । ୧୯୭୦ ମସିହାରେ ଇଂଲଣ୍ଡ ଦଳ ଆଶେଷ ସିରିଜ୍ ଖେଳିବାକୁ ଅଷ୍ଟ୍ରେଲିଆ ଯାଇଥାଏ । ଦୁଇ ଦଳ ଭିତରେ ସେତେବେଳେ ୬ ମ୍ୟାଚ୍ ବିଶିଷ୍ଟ ଆଶେଷ ସିରିଜ୍ ଖେଳାଯିବାକୁ ଥାଏ । ଏହି ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ କିନ୍ତୁ ଡ୍ର ହୋଇଯାଇଥିଲା । ଏହାପରେ ଇଂଲଣ୍ଡ-ଅଷ୍ଟ୍ରେଲିଆ ଭିତରେ ତୃତୀୟ ଟେଷ୍ଟ ପର୍ଥରେ ଖେଳାଗଲା । ହେଲେ ପ୍ରବଳ ବର୍ଷା କାରଣରୁ ଏହି ମ୍ୟାଚ୍ ମଧ୍ୟ ବାତିଲ ହୋଇଯାଇଥିଲା । ତେଣୁ ଏହାର କ୍ଷତିକୁ ପୂରଣ କରିବାକୁ ଯାଇଁ ଉଭୟ ଦେଶର କ୍ରିକେଟ୍ ବୋର୍ଡ ପ୍ରଥମ ଥର ପାଇଁ ୪୦ ଓଭର ବିଶିଷ୍ଟ ଏକ ମ୍ୟାଚ୍ ଆୟୋଜନ କରିବାକୁ ଇଚ୍ଛା କରିଥିଲେ ।

ଆଉ ଏହା ସହିତ ୧୯୭୧ ମସିହା ଜାନୁଆରୀ ୫ ତାରିଖରେ ପ୍ରଥମ ଥର ପାଇଁ ଖେଳାଯାଇଥିଲା ବିଶ୍ୱର ପ୍ରଥମ ଦିନିକିଆ ମ୍ୟାଚ୍ । ଆଉ ଏହି ମ୍ୟାଚ ଦେଖିବାକୁ ସେତେବେଳେ ଲୋକଙ୍କର ପ୍ରବଳ ଆଗ୍ରହ ମଧ୍ୟ ଦେଖିବାକୁ ମିଳିଥିଲା । ସେତେବେଳେ ଏହି ମ୍ୟାଚକୁ ମାତ୍ର ୨୦ ହଜାର ଲୋକ ଦେଖିବେ ବୋଲି ଅନୁମାନ କରାଯାଇଥିଲା । ହେଲେ ମେଲବଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଏହାଠାରୁ ଦୁଇଗୁଣ ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଥିଲା । ଏହି ମ୍ୟାଚର ଏପରି ଲୋକପ୍ରିୟତା ଦେଖି ଆଇସିସି ମଧ୍ୟ ଏହାକୁ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚର ମାନ୍ୟତା ଦେଇଥିଲା । ଆଉ ସେବେଠୁ ଆରମ୍ଭ ହୋଇଥିଲା ଦିନିକିଆ ମ୍ୟାଚ୍ ।

ପ୍ରଥମେ ପ୍ରଥମେ ୱାନଡେ କ୍ରିକେଟ୍ ୬୦ ଓଭର ବିଶିଷ୍ଟ ହେଉଥିଲା । ଅର୍ଥାତ ପ୍ରତିଦଳ ଗୋଟିଏ ଇଂନିସରେ ୬୦ ଓଭର ବ୍ୟାଟିଂ କରୁଥିଲା । ହେଲେ ଲାଇଟ୍ ଅଭାବରୁ ଭାରତ ଭଳି ଉପମହାଦ୍ୱୀପରେ ଏହି ମ୍ୟାଚ୍ ଆୟୋଜନ ସମ୍ଭବ ହେଉନଥିଲା । ସେତେବେଳେ ଷ୍ଟାଡିୟମରେ ଫ୍ଲଡ ଲାଇଟ୍ ଭଳି ସୁବିଧା ମଧ୍ୟ ରହୁନଥିଲା । ତେଣୁ ସମୟ ବଦଳିବା ସହିତ ଏବେ ଦିିନିକିଆ କ୍ରିକେଟ୍ ୫୦ ଓଭର ବିଶିଷ୍ଟ ହେବା ସହିତ ଡେ-ନାଇଟ୍ ମ୍ୟାଚ୍ ବି ଖେଳାଯାଉଛି । ୧୯୭୧ ମସିହାରୁ ଆଜି ପଯ୍ୟନ୍ତ ବିଶ୍ୱର ବିଭିନ୍ନ ଷ୍ଟାଡିୟମରେ ଅନେକ ୱାନଡେ ମ୍ୟାଚ୍ ଖେଳାସରିଲାଣି । ୱାନଡେ ମ୍ୟାଚର ଲୋକପ୍ରିୟତାକୁ ଦେଖି ଆଇସିସି ବିଶ୍ୱକପ୍ କ୍ରିକେଟର ଆୟୋଜନ ମଧ୍ୟ କରୁଛି । ଯାହା ଆଜିର ଦିନରେ କ୍ରିକେଟ ଜଗତର ସବୁଠୁ ବଡ ଟୁଣ୍ଣାମେଂଟ ଭାବେ ଗଣା । ଦିିନିକିଆ ମ୍ୟାଚ୍ ପରେ ଏବେ ଟି-୨୦ ଓ ଟି-ଟେନର ଜମାନା ମଧ୍ୟ ଆରମ୍ଭ ହୋଇଛି..ହେଲେ ଦୀର୍ଘ ୫୦ ବର୍ଷ ଧରି ଦିନିକିଆ ମ୍ୟାଚ ନିଜର ଲୋକପ୍ରିୟତା ବଜାୟ ରଖିଛି ।