ଶୁଖି ଗଲାଣି ଚିରସ୍ରୋତା ମହେନ୍ଦ୍ରତନୟା ନଦୀ । ବଢିଲା ଜଳ ଚିନ୍ତା, ନଦୀ ଶୁଖିଗଲେ କେମିତି ହେବ ଜଳ ଯୋଗାଣ ।

140

କନକ ବ୍ୟୁରୋ : ଶୁଖିଲା ପଡିଛି ଚିରସ୍ରୋତା ମହେନ୍ଦ୍ରତନୟା ନଦୀ । ପାରଳାଖେମୁଣ୍ଡି ସମେତ ଆଖପାଖ ଅଂଚଳରେ ଦେଖା ଦେଲାଣି ଜଳାଭାବ । ମହେନ୍ଦ୍ରତନୟା ନଦୀ ଜଳ ଉପରେ ନିର୍ଭର କରୁଥିବା ଗୋଷାଣୀ ଓ ରାୟଗଡ଼ ବ୍ଳକର ହଜାର ହଜାର ହେକ୍ଟର ଜମିରେ ଚାଷ କରିଥିବା ଚାଷି ଏବେ ଚିନ୍ତାରେ ।

ଶୁଖିଲା ପଡିଛି ଚିରସ୍ରୋତା ମହେନ୍ଦ୍ରତନୟା ନଦୀ । ଗଜପତି ଜିଲ୍ଲାର ରାୟଗଡ଼, ଗୋଷାଣି ବ୍ଳକ୍ ଓ ପାରଳାଖେମୁଣ୍ଡି ସହର ତଟ ଦେଇ ଆନ୍ଧ୍ରକୁ ବହି ଯାଇଛି ମହେନ୍ଦ୍ରଗିରିରୁ ବାହାରି ଥିବା ମହେନ୍ଦ୍ରତନୟା । ଏହି ନଦୀର ପାଣିରେ ଶୋଷ ମେଣ୍ଟାନ୍ତି ଏସବୁ ଅଂଚଳବାସୀ । ବୃନ୍ଦାବନ ପ୍ୟାଲେସ୍ ନିକଟରେ ଜଳ ଯୋଗାଣ ପ୍ରକଳ୍ପ କରି ରାୟଗଡ, ଗୋଷାଣୀ ସମେତ ପାରଳାଖେମୁଣ୍ଡି ବାସିନ୍ଦାଙ୍କୁ ପିଇବା ପାଣି ଯୋଗାଇ ଦେଉଛି ଜନ ସ୍ୱାସ୍ଥ୍ୟ ବିଭାଗ । କିନ୍ତୁ ଚଳିତ ବର୍ଷ ନଦୀ ଶୁଖିଯିବାରୁ ଜେସିବି ଯୋଗେ ନଦୀକୁ ଖୋଳି ଜଳଧାରକୁ ବ୍ୟବହାର କରୁଛି ଜନସ୍ୱାସ୍ଥ୍ୟ ବିଭାଗ । ଆଗାମି ଦିନରେ ବର୍ଷା ନହେଲେ ଖରା ବଢିବା ସହ ଜଳ ସଂକଟ ଉତ୍କଟ ହେବା ନିଶ୍ଚିତ ହୋଇଯାଇଛି ।

ବର୍ଷା ଦିନେ ମହେନ୍ଦ୍ରତନୟା ଜଳକୁ ସଂରକ୍ଷଣ କରି ରଖିବା ପାଇଁ ବ୍ୟବସ୍ଥା ନାହିଁ । ତେଣୁ ସବୁ ପାଣି ଆନ୍ଧ୍ରକୁ ଚାଲି ଯାଉଛି । ଆନ୍ଧ୍ର, ଆପସରା ପ୍ରକଳ୍ପ ଯୋଗେ ପାଣି ସଂଚୟ କରି ଖରା ଦିନେ ବ୍ୟବହାର କରୁଛି, ଆଉ ଓଡିଶାର ଲୋକେ ଜଳକଷ୍ଟ ଭୋଗୁଛନ୍ତି । ଆନ୍ଧ୍ରର ପ୍ରକଳ୍ପ ପରେ ଓଡିଶା ସରକାର ଡମ୍ବାପୁର ଓ ଚମ୍ପାପୁର ପ୍ରକଳ୍ପ ନିର୍ମାଣ ପାଇଁ ନିଷ୍ପତି ନେଇଥିଲେ । ୧୩ ବର୍ଷ ତଳୁ ଡମ୍ବାପୁର ପ୍ରକଳ୍ପ ହୋଇଥିଲେ ବି ଏଯାଏଁ କାର୍ଯକ୍ଷମ ହୋଇ ପାରିନାହିଁ । ଚମ୍ପାପୁର ପ୍ରକଳ୍ପର ରୂପରେଖ ଏଯାଏଁ ସ୍ଥିର ହୋଇ ପାରିନାହିଁ ।

ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ଓ ଜନ ସ୍ୱାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ମହେନ୍ଦ୍ରତନୟା ଜଳକୁ ସଂରକ୍ଷଣ କରିବା ସହ ପାନୀୟ ଜଳ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି ।