ମାଆ ମଙ୍ଗଳାଙ୍କ ଝାମୁଯାତ୍ରାରେ ଲାଗିଲା କଟକଣା । ଚୈତ୍ର ମାସର ୫ଟି ମଙ୍ଗଳବାରରେ ଶ୍ରଦ୍ଧାଳୁଙ୍କୁ ମନ୍ଦିର ପ୍ରବେଶ ମନା । କରୋନା କଟକଣା ଭିତରେ ନୀତିକାନ୍ତି ସମ୍ପନ୍ନ କରିବେ ସେବାୟତ ।

237

କନକ ବ୍ୟୁରୋ : କାକଟପୁର ମା’ ମଙ୍ଗଳାଙ୍କ ଚୈତ୍ର ପର୍ବ ଝାମୁଯାତ୍ରା ଉପରେ ଲାଗିଲା କରୋନା କଟକଣା । ଭକ୍ତଙ୍କୁ ମନ୍ଦିର ପ୍ରବେଶ ମନା । କୋଭିଡ କଟକଣା ଭିତରେ ଚାଲିବ ମାଆଙ୍କ ନୀତି କାନ୍ତି । ପୁରୀ ଜିଲ୍ଲାର ପ୍ରମୁଖ ଶକ୍ତିପୀଠ ଭାବେ ପରିଚିତ କାକଟପୁର ମା’ ମଙ୍ଗଳା ମନ୍ଦିର । ଏଠାରେ ମାଆଙ୍କ ଚୈତ୍ର ପର୍ବ ଝାମୁଯାତ୍ରା ଅନୁଷ୍ଠିତ ହୁଏ । ଚଳିତବର୍ଷ ୫ଟି ପାଳି ଯାତ୍ରା ଉପରେ ପ୍ରଶାସନିକ କଟକଣା ଲାଗିଛି । ଚଳିତ ମାସ ୩୦ ତାରିଖ ମଙ୍ଗଳବାର ଦିନ ମାଆଙ୍କ ପ୍ରଥମ ପାଳି ଯାତ୍ରା ଅନୁଷ୍ଠିତ ହେବ । ମା’ଙ୍କ ନୀତି କାନ୍ତି, କୋଭିଡ ନିୟମ ମାନି ସେବାୟତମାନେ କରିବେ । କିନ୍ତୁ ଭକ୍ତମାନଙ୍କୁ ମନ୍ଦିର ପ୍ରବେଶ ଉପରେ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।

ଆଜି କାକଟପୁର ଡାକ ବଙ୍ଗଳା ଠାରେ ମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତି ହୋଇଥିବା କାକଟପୁର ତହସିଲଦାର ଚିତରଞ୍ଜନ ବେହେରା କହିଛନ୍ତି । ଝାମୁଯାତ୍ରାର ୫ଟି ପାଳିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ହଜାର ହଜାର ଭକ୍ତ ମାଆଙ୍କ ଦର୍ଶନ କରିବାକୁ ଆସିଥାନ୍ତି । ଏବେ ପୁଣି କରୋନା ସଂକ୍ରମଣ ସଂଖ୍ୟା ବଢିବାରୁ ଝାମୁଯାତ୍ରା ଉପରେ କଟକଣା ଲାଗିଛି । ଝାମୁ ଯାତ୍ରାକୁ ଝାଡି ଦେଲେ ଅନ୍ୟ ଦିନ ମାନଙ୍କରେ ଭକ୍ତମାନେ କରୋନା କଟକଣା ମାନି ମାଆ ମଙ୍ଗଳାଙ୍କ ଦର୍ଶନ କରିପାରିବେ ।