ସୁପ୍ରିମ କୋର୍ଟ ପହଞ୍ଚିଲା ମହାରାଷ୍ଟ୍ରର କ୍ଷମତା ଯୁଦ୍ଧ । ସିନ୍ଦେ ଗ୍ରୁପର ୨ ଟି ଆବେଦନ ଉପରେ କାଲି ହୋଇପାରେ ଶୁଣାଣି

130

କନକ ବ୍ୟୁରୋ : ମହାରାଷ୍ଟ୍ର କ୍ଷମତା ଲଢେଇ ଏବେ ଗୁଜରାଟ ଓ ପରେ ଗୌହାଟୀ ଦେଇ ଏବେ ସୁପ୍ରିମ କୋର୍ଟରେ ପହଞ୍ଚିଛି । ବିଦ୍ରୋହୀ ବିଧାୟକ ଗୋଷ୍ଠୀ ସୁପ୍ରିମ କୋର୍ଟରେ ଦୁଇଟି ଆବେଦନ କରିଛି । ଶିବସେନା ପକ୍ଷରୁ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ନେଇ ହୋଇଥିବା ଆବେଦନ ଉପରେ ସିନ୍ଦେ ଗ୍ରୁପ ଚ୍ୟାଲେଞ୍ଜ କରିଛନ୍ତି । ଅନ୍ୟଏକ ଆବେଦନରେ ଶିବସେନା ବିଧାୟକ ଦଳନେତା ଓ ଚିଫ୍ ହ୍ୱିପ୍ ପଦ ବଜାୟ ରଖିବାକୁ ସିନ୍ଦେ ଗ୍ରୁପ ସୁପ୍ରିମ କୋର୍ଟରେ ଆବେଦନ କରିଛନ୍ତି । ଏହି ମାମଲାର ଶୁଣାଣି ସୁପ୍ରିମ କୋର୍ଟରେ ଆସନ୍ତା କାଲି ସକାଳ ୧୦.୩୦ ରେ ହୋଇପାରେ ।

ସେପଟେ ମହାରାଷ୍ଟ୍ର କ୍ଷମତା ଲଢେଇ ଭିତରେ ଆଜି ଖୋଲା ଖୋଲି ପ୍ରବେଶ କରିଛି ବିଜେପି । କେନ୍ଦ୍ର ସରକାରଙ୍କ ତରଫରୁ ବିଦ୍ରୋହୀ ବିଧାୟକଙ୍କ ମଧ୍ୟରୁ ୧୫ ଜଣଙ୍କୁ ୱାଇ ପ୍ଲସ ସୁରକ୍ଷା ଯୋଗାଇ ଦିଆଯାଇଛି । ଏହାସହ ଗତକାଲି ଏକନାଥ ସିନ୍ଦେଙ୍କୁ ମହାରାଷ୍ଟ୍ର ବିଜେପି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଭେଟିଥିବା କଥା କୁହାଯାଉଛି । କେବଳ ସେତିକି ନୁହେଁ ଗୌହାଟୀର ଯେଉଁ ହୋଟେଲରେ ବିଦ୍ରୋହୀ ବିଧାୟକମାନେ ଅଛନ୍ତି ସେମାନଙ୍କୁ ଆସାମ ବିଜେପିର ମନ୍ତ୍ରୀମାନେ ଆଜି ବାରମ୍ବାର ଭେଟୁଥିବା କଥା ମଧ୍ୟ ସାମ୍ନାକୁ ଆସିଛି ।

ଅନ୍ୟପଟେ ମହାରାଷ୍ଟ୍ରରେ ଜାରି ରହିଥିବା ହିଂସକ ପ୍ରଦର୍ଶନକୁ ନଜରରେ ରଖି ରାଜ୍ୟପାଳ ଭଗତସିଂ କୋଶିୱାରୀ କେନ୍ଦ୍ର ଗୃହ ସଚିବଙ୍କୁ ଏକ ଚିଠି ଲେଖିଛନ୍ତି । ଏହି ଚିଠିରେ ସେ ଶିବସେନାର ବିଦ୍ରୋହୀ ୪୭ ଜଣ ବିଧାୟକ ଓ ସେମାନଙ୍କ ପରିବାରକୁ ସୁରକ୍ଷା ଦେବାକୁ ଅନୁରୋଧ କରିଛନ୍ତି । ଏହା ପୂର୍ବରୁ ରାଜ୍ୟପାଳ ମହାରାଷ୍ଟ୍ର ଡିଜିପିଙ୍କୁ ଏନେଇ ଚିଠି ଲେଖିଥିଲେ ।