ଶିକ୍ଷକତାରୁ ଅବସର ପରେ ସଫଳ ଚାଷୀ । ଅନ୍ୟ ଚାଷୀ ଓ ଯୁବପିଢିଙ୍କ ପାଇଁ ପ୍ରେରଣା

138

କନକ ବ୍ୟୁରୋ: ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଆମ୍ବ ବଗିଚା । ବଗିଚାରେ ଲାଗିଛି ପାଖାପାଖି ୨୫୦ରୁ ଅଧିକ ଆମ୍ବଗଛ । ଅବସର ସମୟକୁ ଉପଯୋଗ କରି ଆମ୍ବ ଚାଷରେ ସଫଳ ହୋଇଛନ୍ତି ଝାରସୁଗୁଡ଼ା ଲଖନପୁରର ଚେମାକାନ୍ତ ପ୍ରଧାନ । ସ୍ଥାନୀୟ ବଜାର ସହ ପଡ଼ୋଶୀ ରାଜ୍ୟ ଛତିଶଗଡ଼କୁ ଆମ୍ବଯୋଗାଣ କରନ୍ତି । ଏହି ଆମ୍ବ ଚାଷରୁ ସେ ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ।

  • ଶିକ୍ଷକତାରୁ ଅବସର ପରେ ସଫଳ ଚାଷୀ
  • ଅନ୍ୟ ଚାଷୀ ଓ ଯୁବପିଢିଙ୍କ ପାଇଁ ପ୍ରେରଣା

ଆଠ ଏକର ବିସ୍ତିଣ୍ଣ ବଗିଚାରେ ଲାଗିଛି ଆମ୍ରପଲ୍ଲୀ, ଦଶେରୀ, ମଲ୍ଲିକା, ଲଙ୍ଗଡା, ବାଇଗଣପଲେଇ ଭଳି ପ୍ରାୟ ୨୫୦ ଆମ୍ବ ଗଛ । ସବୁ ଗଛରେ ଫଳିଛି ପେନ୍ଥା ପେନ୍ଥା ଆମ୍ବ । ଝାରସୁଗୁଡ଼ା ଜିଲ୍ଲା ଲଖନପୁରରୁ ମାଉଲିବେର୍ଣ୍ଣାକୁ ଯିବା ରାସ୍ତାରେ  ଏହି ବଗିଚା ପଡ଼ିଥାଏ । ଏହାର ମାଲିକ ହେଉଛନ୍ତି ଜଣେ ଅବସରପ୍ରାପ୍ତ ଶିକ୍ଷକ ଚେମାକାନ୍ତ ପ୍ରଧାନ । ଚେମାକାନ୍ତ ଏହି ଆମ୍ବ ବିକ୍ରି କରି ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ବଗିଚାରେ ସ୍ଥାନୀୟ ଅଂଚଳର ପ୍ରାୟ ୫ଜଣଙ୍କୁ ନିଯୁକ୍ତି ଦେଇଛନ୍ତି । ବଜାରରେ ବହାରୁ ଆସୁଥିବା ଆମ୍ବ ମୂଲ୍ୟ କେଜି ପ୍ରତି ୧୦୦ରୁ ୧୫୦ ଟଙ୍କା ରହୁଥିବା ବେଳେ ସମାନ ଧରଣର ଆମ୍ବ ୫୦ରୁ ୬୦ ଟଙ୍କାରେ ବିକ୍ରି କରୁଛନ୍ତି ଚେମାକାନ୍ତ । ଚେମାକାନ୍ତଙ୍କ ବଗିଚାରେ ଫଳୁଥିବା ଆମ୍ବ ସୁସ୍ୱାଦୁ ଓ କମ୍ ଦରରେ ମିଳୁଥିବାରୁ ସ୍ଥାନୀୟ ଅଂଚଳରେ ଏହାର ଚାହିଦ ଅଧିକ ରହିଛି । ସ୍ଥାନୀୟ ବଜାର ସହ ଝାରସୁଗୁଡ଼ା, ବ୍ରଜରାଜନଗର, ସୁନ୍ଦରଗଡ଼, ସମ୍ବଲପୁର ତଥା ପଡ଼ୋଶୀ ରାଜ୍ୟ ଛତିଶଗଡ଼କୁ ଅମ୍ବ ବିକ୍ରି ପାଇଁ ପଠାଉଛନ୍ତି ସଫଳ ଚାଷୀ ।

  • ଅବସରପ୍ରାପ୍ତ ଶିକ୍ଷକଙ୍କ ଫଳ ବଗିଚା
  • ବଗିଚାରେ ଲାଗିଛି ୨୫୦ରୁ ଅଧିକ ଆମ୍ବ ଗଛ

ଶିକ୍ଷକତା ସମୟରେ ଏକ ଫଳ ବଗିଚା ତିଆରି କରିବାର ସ୍ୱପ୍ନ ଦେଖିଥିଲେ ଚେମାକାନ୍ତ । ଅବସର ପରେ ପାରମ୍ପାରିକ ଧାନ ଚାଷ ବ୍ୟତିତ କିଛି ସ୍ୱତନ୍ତ୍ର ଚାଷ ପାଇଁ ଯୋଜନା କରିଥିଲେ । ତେଣୁ ଉଦ୍ୟାନ କୃଷି ବିଭାଗ ତଥା ବିଭିନ୍ନ ନର୍ସରୀରୁ କିଛି କିଛି ଆମ୍ବ ଚାରା ଆଣି ରୋପଣ କରୁଥିଲେ । ଯାହା କିଛି ବର୍ଷ ପରେ ଏଭଳି ଏକ ସୁନ୍ଦର ବଗିଚାର ରୂପ ନେଇଥିଲା । ଅବସର ପରେ ଚେମାକାନ୍ତ ନିଜର ସମସ୍ତ ସମୟ ଏହି ବଗିଚାରେ ହିଁ ଦେଉଛନ୍ତି । ପ୍ରକୃତି ଓ ପରିବେଶ ପାଇଁ କିଛି କରିବା ଉଦ୍ଦେଶ୍ୟରେ ସେ ଏହି ଫଳ ବଗିଚା ଆରମ୍ଭ କରିଥିବା କୁହନ୍ତି ଅବସରପ୍ରାପ୍ତ ଶିକ୍ଷକ ଚେମାକାନ୍ତ ।

ବର୍ତ୍ତମାନ ସମୟରେ ପ୍ରାୟ ଅଧିକାଂଶ ଲୋକ ଚାକିରୀ କରିବା ଅଶାରେ ଚାଷ କାମରୁ ମୁହଁ ଫେରାଉଛନ୍ତି ।  ଆଉ ଚାକିରି ନପାଇଁ ସମୟ ନଷ୍ଟ କରୁଛନ୍ତି । ଏଭଳି ସ୍ଥିତିରେ ଚେମାକାନ୍ତଙ୍କ ଭଳି ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସଫଳ ଆମ୍ବ ଚାଷ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିବ ନିଶ୍ଚୟ ।