ଏସଏଚଜି ମହିଳାଙ୍କ ରଙ୍ଗିନ ମାଛ ଚାଷ: ସହଯୋଗର ହାତ ବଢାଇଛି ମିଶନ ଶକ୍ତି

118

କନକ ବ୍ୟୁରୋ: ଆଦିବାସୀ ଅଧ୍ୟୁଷିତ ଅଂଚଳରେ ମହିଳାଙ୍କୁ ରୋଜଗାର ଦେଇଛି ମିଶନ ଶକ୍ତି । ମହିଳାଙ୍କ ବିକାଶ କ୍ଷେତ୍ରରେ ଶକ୍ତି ବଢିଛି, ସଶକ୍ତ ହୋଇଛି । ଗାଁ ଠାରୁ ସହର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ତିଆରି ହୋଇଛି ଅନେକ ପ୍ରକଳ୍ପ । ସ୍ୱାବଲମ୍ବୀ ହୋଇଛନ୍ତି ହଜାର ହଜାର ସଂଖ୍ୟକ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ।

ଢେଙ୍କାନାଳ କଙ୍କଡ଼ାହାଡ଼ ବ୍ଲକ ଶଶାପଶି ଗାଁ ମହିଳାଙ୍କ ନିଆରା ଉଦ୍ୟମ । ମିଶନ ଶକ୍ତି ସହାୟତାରେ ଆରମ୍ଭ କରିଛନ୍ତି ଅର୍ଣ୍ଣାମେଂଟାଲ ଫିସ ଫାର୍ମିଂ ବା ଅଙ୍ଗିନ ମାଛ ଚାଷ । ପ୍ରଥମେ ନିଜସ୍ୱ ଅର୍ଥରେ ରଙ୍ଗୀନ ମାଛ ଚାଷ ପାଇଁ କୂଅ, ପାଣିକୁଣ୍ଡ, ଆବଶ୍ୟକୀୟ ଯନ୍ତ୍ରାଂଶ ଆଦି ଉପକରଣ ଯୋଗାଡ଼ କରି ଏହି ଚାଷ ଆରମ୍ଭ କରିଛନ୍ତି । ଏଥିପାଇଁ ତାଙ୍କୁ ୨ଲକ୍ଷ ଟଙ୍କା ବ୍ୟୟ କରିବାକୁ ପଡିଛି । ପରେ ପ୍ରାୟ ୨୫ରୁ ୩୦ ପ୍ରଜାତିର ରଙ୍ଗୀନ ମାଛ ଆଣି ଏହି ଚାଷକୁ ଆଗେଇ ନେଇଛନ୍ତି । ପ୍ରଥମ ଥର ପ୍ରାୟ ୫୦ ହଜାର ଟଙ୍କା ଲାଭ ପାଇଥିବା କହିଛନ୍ତି ଏସଏଚଜି ମହିଳା ।

ମାଛ ଚାଷ ସହିତ ମହିମା ଅନୁସୂୟା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ମିଶନ ଶକ୍ତି ଜରିଆରେ ଆରମ୍ଭ କରିଛନ୍ତି କୁକୁଡ଼ା ଚାଷ । ଯାହା ରୋଜଗାରର ଏକ ବଡ଼ ମାଧ୍ୟମ ପାଲଟିଛି । ମିଶନ ଶକ୍ତି ଜରିଆରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ କୁକୁଡ଼ା ଚାଷ ପାଇଁ ସରକାରୀ ସହାୟତା ଆଣି ଏହି ଚାଷ କରିଛନ୍ତି ଏସଏଚଜି ମହିଳା । କୁକୁଡ଼ା ଫାର୍ମର ସମସ୍ତ ରକ୍ଷଣାବେକ୍ଷଣା ଦାୟିତ୍ୱ ନିଅନ୍ତି ଏସଏଚଜି ମହିଳା । କୁକୁଡ଼ାଙ୍କୁ ଦାନା ଦେବା ଠାରୁ ଆରମ୍ଭ କରି ଘର ଗୁଡ଼ିକୁ ପରିଷ୍କାର ପରିଛନ୍ନ ରକ୍ଷାକରିବା ଭଳି କାମ ମହିଳା ମାନେ କରନ୍ତି ।

ମାଛ କୁକୁଡ଼ା ସହ ଠେକୁଆ ଚାଷ ମଧ୍ୟ କରିଛନ୍ତି ଏସଏଚଜି ମହିଳା । ଘର କାମ ସାରି ମହିଳା ମାନେ ଅବସର ସମୟରେ ଏକାଠି ହୋଇ ଏହି ଚାଷ କାମରେ ମନନିବେଶ କରନ୍ତି । ଆଉ ଏହି ଚାଷ ତାଙ୍କୁ ଭଲ ରୋଜଗାର ଦେବ ବୋଲି ଆଶାପୋଷଣ କରିଛନ୍ତି । ମହିଳାମାନଙ୍କର ଏପରି ଉଦ୍ୟମକୁ ସ୍ଥାନୀୟ ଅଂଚଳର ଲୋକେ ଖୁବ୍ ପ୍ରଶଂସା କରିଛନ୍ତି ।