ସୁପ୍ରିମକୋର୍ଟ ପହଞ୍ଚିଲା ମହାରାଷ୍ଟ୍ର ରାଜନୀତି: ଉପବାଚପ୍ସତିଙ୍କ ନୋଟିସ ଉପରେ ରହିତାଦେଶ ପାଇଁ ସିନ୍ଦେ ଗୋଷ୍ଠୀର ଆବେଦନ

190

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଜାରି ରାଜନୈତିକ ଛକାପନଝା ଏବେ ସୁପ୍ରିମକୋର୍ଟ ପହଂଚିଯାଇଛି । ମହାରାଷ୍ଟ୍ରରେ ଜାରି ରାଜନୈତିକ ସଂକଟ ଯୋଗୁଁ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ଏଥିରେ ଖାଲି ରାଜନୈତିକ ଲଢେଇ ଲଢାଯାଉ ନାହିଁ, ଏବେ ଆଇନଗତ ଲଢେଇ ମଧ୍ୟ ଆରମ୍ଭ ହୋଇଯାଇଛି । ଆଜି ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପ୍ରକ୍ରିୟା ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ଯାଇଛନ୍ତି ଏକନାଥ ଗୋଷ୍ଠୀ । ମହାରାଷ୍ଟ୍ର ବିଧାନସଭାର ଉପବାଚସ୍ପତି ନରହରି ଜିରୱାଲଙ୍କ ବିଦ୍ରୋହୀ ବିଧାୟକଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ କାହିଁକି ତାଙ୍କୁ ଅଯୋଗ୍ୟ ଘୋଷଣା କରାଯିବ ନାହିଁ ତାର କାରଣ ଦର୍ଶାଇବାକୁ ନୋଟିସ ଜାରି କରିଛନ୍ତିି । କୋର୍ଟରେ ଅଜୟ ଚୌଧୁରୀଙ୍କୁ ଶିବସେନାର ବିଧାୟକ ଦଳ ନେତା ଚୟନ ନିଷ୍ପତିକୁ ମଧ୍ୟ ଚାଲେଞ୍ଜ କରାଯାଇଛି ।

ଆସନ୍ତାକାଲି ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହୋଇପାରେ । ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜେବି ପାରଦିବାଲାଙ୍କ ଖଣ୍ଡପୀଠ ଏହି ମାମଲର ଶୁଣାଣି କରିବେ । ଶିବସେନାର ବିଧାୟକ ଦଳ ନେତା ଭାବେ ଏକନାଥ ସିନ୍ଦେଙ୍କୁ ଅଯୋଗ୍ୟ ଘୋଷଣା କରିବା ନିଷ୍ପତି ଓ ସୁନୀଲ ପ୍ରଭୁଙ୍କୁ ଶିବସେନାର ମୁଖ୍ୟ ସଚେତକ କରାଯିବା ନିଷ୍ପତିକୁ ଚାଲେଞ୍ଜ କରାଯାଇଛି । ଏହାଛଡା ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନରେ ଶିନ୍ଦେ ଶିବିରରୁ ପଠାଯାଇଥିବା ଅବିଶ୍ୱାସ ପ୍ରସ୍ତାବକୁ ଉପବାଚସ୍ପତି ନରହରି ଜିରୱାଲଙ୍କ ଦ୍ୱାର ଖାରଜ କରାଯିବା କଥା ମଧ୍ୟ ଉଲ୍ଲେଖ ରହିଛି । ଆବେଦନରେ ସିନ୍ଦେ ଗୋଷ୍ଠୀ ଦାବି କରିଛନ୍ତି, ଉପବାଚସ୍ପତିଙ୍କୁ ପଦରୁ ହଟାଇବା ପ୍ରସ୍ତାବ ଉପରେ ନିର୍ଣ୍ଣୟ ନହେବା ଯାଏଁ, ବିଧାୟକଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ନହେଉ । ଏଥିପାଇଁ ମହାରାଷ୍ଟ୍ର ବିଧାନସଭାର ଉପବାଚସ୍ପତିଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଅନୁରୋଧ କରିଛନ୍ତି ଏକନାଥ ସିନ୍ଦେ ଓ ବିଦ୍ରୋହୀ ବିଧାୟକ ।