ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ଲଢ଼େଇ : ଆଜି ହୋଇପାରେ ଶୁଣାଣି, ବିଦ୍ରୋହୀ ଗୋଷ୍ଠୀର ଆବେଦନର ବିଚାର କରିବେ ଦୁଇ ଜଣିଆ ଖଣ୍ଡପୀଠ

79

କନକ ବ୍ୟୁରୋ : ମହାରାଷ୍ଟ୍ର ଲଢ଼େଇ ସୁପ୍ରିମକୋର୍ଟରେ ପହଞ୍ଚିସାରିଛି । ଉପବାଚସ୍ପତିିଙ୍କ ନୋଟିସକୁ ଚ୍ୟାଲେଞ୍ଜ କରି ସିନ୍ଦେ ଗୋଷ୍ଠୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହି ଆବେଦନକୁ କୋର୍ଟ ଗ୍ରହଣ ବି କରିଛନ୍ତି । ଆଜି ଏହି ମାମଲାର ଶୁଣାଣି ହୋଇପାରେ । ବିଦ୍ରୋହୀ ପକ୍ଷରୁ ଆଇନଜୀବୀ ହରିଶ ସାଲଭେ ଓ ଶିବସେନା ପକ୍ଷରୁ କୋର୍ଟରେ ମାମଲା ପରିଚାଳନା କରିବେ ଅଭିଷେକ୍ ମନୁ ସିଂଘଭି । ମହାରାଷ୍ଟ୍ର ସରକାରର ପକ୍ଷ ରଖିବେ ଆଇନଜୀବୀ ଦେବଦତ କାମତ ଓ ଉପ-ବାଚସ୍ପତିଙ୍କ ପକ୍ଷରୁ ଆଇନଜୀବୀ ରବି ଶଂକର ଜନ୍ଧ୍ୟାଲା ।

ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜେବି ପାରଦିବାଲାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ଏହି ମାମଲାରେ ୭ଟି ପକ୍ଷ ସାମିଲ ହେବେ । ଉପବାଚସ୍ପତି, ରାଜ୍ୟ ବିଧାନସଭା ସଚିବ, ମହାରାଷ୍ଟ୍ର ସରକାର, ନୂଆ ବିଧାୟକ ଦଳ ନେତା, ନୂଆ ମୁଖ୍ୟ ସଚେତକ, ଭାରତ ସଂଘ, ମହାରାଷ୍ଟ୍ର ଡିଜିପି । ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପ୍ରକ୍ରିୟା ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ଯାଇଛନ୍ତି ଏକନାଥ ଗୋଷ୍ଠୀ । ମହାରାଷ୍ଟ୍ର ବିଧାନସଭାର ଉପବାଚସ୍ପତି ନରହରି ଜିରୱାଲ, ବିଦ୍ରୋହୀ ବିଧାୟକଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ କାହିଁକି ତାଙ୍କୁ ଅଯୋଗ୍ୟ ଘୋଷଣା କରାଯିବ ନାହିଁ ତାର କାରଣ ଦର୍ଶାଇବାକୁ ନୋଟିସ ଜାରି କରିଛନ୍ତିି ।

କୋର୍ଟରେ ଅଜୟ ଚୌଧୁରୀଙ୍କୁ ଶିବସେନାର ବିଧାୟକ ଦଳ ନେତା ଚୟନ ନିଷ୍ପତିକୁ ମଧ୍ୟ ଚାଲେଞ୍ଜ କରାଯାଇଛି । ଶିବସେନାର ବିଧାୟକ ଦଳ ନେତା ଭାବେ ଏକନାଥ ସିନ୍ଦେଙ୍କୁ ଅଯୋଗ୍ୟ ଘୋଷଣା କରିବା ନିଷ୍ପତ୍ତି ଓ ସୁନୀଲ ପ୍ରଭୁଙ୍କୁ ଶିବସେନାର ମୁଖ୍ୟ ସଚେତକ କରାଯିବା ନିଷ୍ପତିକୁ ଚାଲେଞ୍ଜ କରାଯାଇଛି । ଏହାଛଡା ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନରେ ସିନ୍ଦେ ଶିବିରରୁ ପଠାଯାଇଥିବା ଅବିଶ୍ୱାସ ପ୍ରସ୍ତାବକୁ ଉପବାଚସ୍ପତି ନରହରି ଜିରୱାଲଙ୍କ ଦ୍ୱାରା ଖାରଜ କରାଯିବା କଥା ମଧ୍ୟ ଉଲ୍ଲେଖ ରହିଛି । ଆବେଦନରେ ସିନ୍ଦେ ଗୋଷ୍ଠୀ ଦାବି କରିଛନ୍ତି, ଉପବାଚସ୍ପତିଙ୍କୁ ପଦରୁ ହଟାଇବା ପ୍ରସ୍ତାବ ଉପରେ ନିର୍ଣ୍ଣୟ ନହେବା ଯାଏଁ, ବିଧାୟକଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ନହେଉ । ଏଥିପାଇଁ ମହାରାଷ୍ଟ୍ର ବିଧାନସଭାର ଉପବାଚସ୍ପତିଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଅନୁରୋଧ କରିଛନ୍ତି ଏକନାଥ ସିନ୍ଦେ ଓ ବିଦ୍ରୋହୀ ବିଧାୟକ ।