ଭଗତ ସିଂହ କୋଶିଆରୀ ଦେବେ ଇସ୍ତଫା! ବିଭିନ୍ନ ରାଜ୍ୟ ପାଇଁ ନିଯୁକ୍ତ ହୋଇପାରନ୍ତି ନୂଆ ରାଜ୍ୟପାଳ ।

108

କନକ ବ୍ୟୁରୋ: ମହାରାଷ୍ଟ୍ର ରାଜ୍ୟପାଳ ପଦରୁ ଶୀଘ୍ର ଇସ୍ତଫା ଦେଇପାରନ୍ତି ଭଗତ ସିଂହ କୋଶିଆରୀ । ଜାତୀୟ ଗଣମାଧ୍ୟମରେ ନୂଆ ରାଜ୍ୟପାଳ ନିଯୁକ୍ତି ନେଇ ଆଲୋଚନା ଆରମ୍ଭ ହୋଇଯାଇଛି । ଅନେକ ସ୍ଥାନରେ ରାଜ୍ୟପାଳଙ୍କ ୫ ବର୍ଷର କାର୍ଯ୍ୟକାଳ ମଧ୍ୟ ପୂରା ହୋଇସାରିଛି । ସେମାନଙ୍କ କାର୍ଯ୍ୟକାଳକୁ କିଛି ଦିନ ପାଇଁ ବୃଦ୍ଧି କରାଯାଇଛି । ଏହି ତାଲିକାରେ ଅଛନ୍ତି ଅରୁଣାଚଳ ପ୍ରଦେଶ ରାଜ୍ୟପାଳ ବିଡି ମିଶ୍ରା, ଆସାମ ରାଜ୍ୟପାଳ ଜଗଦୀଶ ମୁଖୀ । ବିଡି ମିଶ୍ରାଙ୍କ ପାଖରେ ମେଘାଳୟ ଏହଂ ଜଗଦୀଶ ମୁଖୀଙ୍କ ପାଖରେ ନାଗାଲାଣ୍ଡର ଅତିରିକ୍ତ ଦାୟିତ୍ୱ ରହିଛି । ଦୁଇ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଜାରିରହିଛି ।

ସେହିଭଳି ସିକ୍କିମ ରାଜ୍ୟପାଳ ଗଙ୍ଗାପ୍ରସାଦ ଏବଂ ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କାର୍ଯ୍ୟକାଳ ମଧ୍ୟ ୪ ବର୍ଷରୁ ଅଧିକ ହୋଇସାରିଛି । ୫ ବର୍ଷ ପୂରଣ ହେବା ପାଇଁ ଆଉ କିଛି ମାସର ସମୟ ଏବେ ବି ବାକି ଅଛି । ଭଗତ ସିଂହ କୋଶିଆରାଙ୍କ କାର୍ଯ୍ୟକାଳ ମଧ୍ୟ ଆହୁରି ଅଢେଇ ବର୍ଷ ବାକିରହିଛି । ତେଣୁ ଆଶା ରହିଛି ଯେ ଅନେକ ସ୍ଥାନରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ମିଳିପାରେ ।

ତେବେ ରାଜ୍ୟପାଳ ପଦ ପାଇଁ ବିଜେପିର ଅନେକ ବରିଷ୍ଠ ନେତା ରେସରେ ଅଛନ୍ତି । ଗତ ବର୍ଷ ମାର୍ଚ୍ଚ ମାସରେ ୮ ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଥିଲେ । ନଭେମ୍ବର ମାସରେ ପଶ୍ଚିମବଙ୍ଗ ରାଜ୍ୟପାଳ ଭାବେ ସିବି ଆନନ୍ଦ ବୋଷଙ୍କୁ ନିଯୁକ୍ତି ମଳିଥିଲା । ଏସବୁ ଭିତରେ ଆଗକୁ ବିଭିନ୍ନ ରାଜ୍ୟ ପାଇଁ ନୂଆ ରାଜ୍ୟପାଳ ନିଯୁକ୍ତ ନେଇ ଆଭାସ ମିଳୁଛି ।