ସରିଲା ପହଣ୍ଡି ବିଜେ ନୀତି । ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି

129

କନକ ବ୍ୟୁରୋ : ନବଦିନାତ୍ମକ ଯାତ୍ରାରେ ଶ୍ରୀଜିଉ । ଧାଡି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ବିଜେ ହୋଇଛନ୍ତି । ନିର୍ଦ୍ଧାରିତ ସମୟର ପୂର୍ବରୁ ନୀତିକାନ୍ତି ଚାଲିଛି । ଭାଇ ଭଉଣୀଙ୍କ ସହ ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ଯିବେ କାଳିଆ ସାଆନ୍ତ । ସେପଟେ, ଭକ୍ତିମୟ ବଡଦାଣ୍ଡରେ ଜଗାପ୍ରେମରେ ପାଗଳ ଶ୍ରଦ୍ଧାଳୁ । ଘଣ୍ଟ, ଶଙ୍ଖ, ମୃଦଙ୍ଗ ତାଳରେ ମୁଖରିତ ଶରଧାବାଲି । ଦୁଇ ବର୍ଷ ପରେ ବଡଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ମିଳନ ହେଉଥିବାରୁ ପ୍ରବଳ ଗହଳି ।

ସୁଦର୍ଶନ, ସୁଭଦ୍ରା, ବଳଭଦ୍ର ଓ ଜଗନ୍ନାଥ ଯଥାକ୍ରମେ ଦେବଦଳନ, ତାଳଧ୍ୱଜ, ନନ୍ଦିଘୋଷ ରଥ ଉପରେ ଅଧିଷ୍ଠିତ ହୋଇଥାନ୍ତି । ପହଣ୍ଡି ଶେଷ ହେବାପରେ ପୁଷ୍ପାଳକ ମହାଜନମାନେ ମଦନମୋହନଙ୍କୁ ଜଗନ୍ନାଥ ରଥରେ ଓ ରାମକୃଷ୍ଣ ବିଗ୍ରହ ଦ୍ୱୟଙ୍କୁ ବଳଭଦ୍ରଙ୍କ ରଥରେ ବିଜେ କରାଇଥାନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଠାକୁରମାନଙ୍କ ନୀଳାଦ୍ରି ବିଜେରେ ଶ୍ରୀମନ୍ଦିରକୁ ଓ ଗୁଣ୍ଡିଚା ଘରକୁ ପହଣ୍ଡି ବିଜେ କରିବା ପୂର୍ବରୁ ପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ବିଜେ କରାଯାଏ । ରଥ ଉପରୁ ପହଣ୍ଡି ବିଜେ କରିବା ପୂର୍ବରୁ ରଥ ଉପରେ ଠାକୁରମାନଙ୍କ କେତେକ ବିଶେଷ ନୀତି ମୁଦିରସ୍ତ, ପତିମହାପାତ୍ର ସେବକମାନଙ୍କଦ୍ୱାରା ସମ୍ପାଦିତ ହୋଇଥାଏ ।

ବାହୁଡା ବିଜେ ସମୟରେ ପତି ମହାପାତ୍ର ସେବକଙ୍କଦ୍ୱାରା ଶ୍ରୀବିଗ୍ରହମାନଙ୍କୁ ଘଷା, ଧଣ୍ଡି, ବିଡି଼ଆ ଆଦି ଅର୍ପଣ କରାଯାଏ । ଏତଦବ୍ୟତୀତ ବାହୁଡା଼ ଦିନ ଗୁଣ୍ଡିଚା ମନ୍ଦିରରେ ଠାକୁରମାନେ ପହଣ୍ଡି ବିଜେରେ ଭିତର ବେଢାରେ ପହଞ୍ଚିବା ପରେ ମୁକ୍ତି ମଣ୍ଡପ ପକ୍ଷରୁ ଏକ ପନ୍ତି ଭୋଗ ହୋଇଥାଏ ଓ ରାଘବ ଦାସ ମଠ ପ୍ରଦତ୍ତ ଫୁଲ ଟାହିୟା ଲାଗି ହୋଇଥାଏ । ମହାପ୍ରଭୁମାନଙ୍କ ପହଣ୍ଡି ପୂର୍ବରୁ ଶ୍ରୀମନ୍ଦିରର କୋଠ ସୁଆଁସିଆ ସେବକମାନେ ଗୁଣ୍ଡିଚା ମନ୍ଦିର ରତ୍ନ ସିଂହାସନ ଏବଂ ସ୍ନାନ ପୂର୍ଣ୍ଣିମାରେ ଶ୍ରୀମନ୍ଦିରସ୍ଥ ରତ୍ନ ସିଂହାସନଠାରେ ଚାରମାଳ ବାନ୍ଧିଥାନ୍ତି । ସିଂହସନରୁ ନେହି ଚାରମାଳ ଉପରେ ଠାକୁରମାନେ ଧିରେ ଧିରେ ପହଣ୍ଡି ବିଜେ କରିଥାନ୍ତି ।

ଏଠାରେ ମଧ୍ୟ ପତିମହାପାତ୍ର ଓ ମୁଦିରଥ ସେବକଙ୍କ ସ୍ୱତନ୍ତ୍ର ନୀତିର ଆବଶ୍ୟକ ପଡିଥାଏ । ଦଇତାପତି, ପୂଜପଣ୍ଡା, ମହାସୁଆର, ପ୍ରତିହାରୀ ପ୍ରମୁଖ ସେବକମାନେ ମୁଖ୍ୟ ବିଗ୍ରହଙ୍କ ସ୍କନ୍ଧ, ଶ୍ରୀମସ୍ତକ, ଶ୍ରୀଭୂଜ ତଳେ ରହିବା ସଙ୍ଗେ ସଙ୍ଗେ ପାଟ ଡୋରିରେ ଆଗ ଓ ପଛରେ ରହି ଧିରେ ଧିରେ ପହଣ୍ଦି ବିଜେ କରିଥାନ୍ତି । କିନ୍ତୁ ସୁଦର୍ଶନ ଓ ସୁଭଦ୍ରା ଦେବୀଙ୍କୁ ଦଇତାପତି ସେବକମାନେ ହସ୍ତ ଓ ସ୍କନ୍ଧରେ ବହନକରି ବିଜେ କରାଇଥାନ୍ତି । ପହଣ୍ଡି ବିଜେ ପୂର୍ବରୁ ଚାରିବାଡ଼ର ବାଡ଼ଗ୍ରାହୀ ଦଇତା ସେବକମାନେ ଉପସ୍ଥିତ ହୋଇଥାନ୍ତି ଓ ପହଣ୍ଡି ସହ ତତପୂର୍ବ ନୀତିରେ ଅଂଶଗ୍ରହଣ କରିଥାନ୍ତି ।