ଜଗନ୍ନାଥଙ୍କ ପହଣ୍ଡି : ଝୁଲି ଝୁଲି ରଥାରୁଢ଼ ହେବାପାଇଁ ପହଣ୍ଡିରେ ଭାବ ବିନୋଦିଆ କାଳିଆ ସାଆନ୍ତ

161

କନକ ବ୍ୟୁରୋ : କୁହାଯାଏ ‘ ଦୋଳେ ଚ ଦୋଳଗୋବିନ୍ଦମ, ଚାପେ ଚ ମଧୁସୁଦନମ୍‌ । ରଥେ ତୁ ବାମନମ ଦୃଷ୍ଟ୍ଵା ,ପୁର୍ନଜନ୍ମ ନ ଲଭ୍ୟତେ’ । ଲୀଳାମୟ ଶ୍ରୀଜଗନ୍ନାଥ ପତିତଜନଙ୍କୁ ଉଦ୍ଧରିବା ପାଇଁ ରଥାରୁଢ଼ ହୋଇ ବଡଦାଣ୍ଡରେ ଭକ୍ତଙ୍କ ମେଳରେ ଯାତ୍ରା କରିଥାନ୍ତି ।

ଆଉ ସେହି ପରଂବ୍ରହ୍ମ ନାରାୟଣଙ୍କୁ ରଥାରୁଢ଼ ଅବସ୍ଥାରେ ଏହି ଚର୍ମ ଚକ୍ଷୁରେ ଦର୍ଶନ କଲେ ଏହି ଭବ ସାଗରରୁ ପାର ହେବା ସହିତ ଆଉ ପୁର୍ନଜନ୍ମ ମିଳି ନ ଥାଏ। ଆତ୍ମା ମୋକ୍ଷ ଲାଭ କରିଥାଏ । ଏହା ପଛରେ ରହିଛି କୋଟି କୋଟି ଜଗନ୍ନାଥ ଭକ୍ତଙ୍କ ବିଶ୍ୱାସ । ଆଉ ସେହି ଭକ୍ତ- ଭଗବାନ ବିଶ୍ୱାସର ମହାନ ପର୍ବ ହେଉଛି ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା । ଲୀଳାମୟ ପୁରୁଷ ଶ୍ରୀଜଗନ୍ନାଥଙ୍କ ଏହି ଗୁଣ୍ଡିଚା ଯାତ୍ରା ଦେଖିବା ପାଇଁ ଲୋକାରଣ୍ୟ ହୋଇ ଉଠିଛି ବଡ଼ଦାଣ୍ଡ । ଭକ୍ତଙ୍କ ଗୁହାରି, ଆନନ୍ଦର ଅଶ୍ରୁରେ ଆଜି ଏକ ବିଚିତ୍ର ଶୋଭା ଧାରଣ କରିଛି ବଡ଼ଦାଣ୍ଡ ।

ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ମା ସୁଭଦ୍ରାଙ୍କ ଦେବଦଳନ ରଥରେ ବିଜେ କରାଯାଇଥିଲା। ସୁଦର୍ଶନଙ୍କ ପରେ କାମପାଳ ଶ୍ରୀବଳଭଦ୍ର ଧାଡ଼ି ପହଣ୍ଡିରେ ଆସି ତାଳଧ୍ୱଜ ରଥରେ ଆସୀନ ହେବା ପରେ କାମ୍ପିଲ୍ୟବାସିନୀ ମା ସୁଭଦ୍ରାଙ୍କୁ ଆଣି ଦର୍ପଦଳନ ରଥରେ ବିଜେ କରାଯାଇଛିି । ତା ପରେ କାଳିଆ ସାଆନ୍ତେ ଝୁଲି ଝୁଲି, ଦୋଳାୟିତ ଟାହିଆର ଅପୂର୍ବ ଶୋଭାରେ ଦର୍ଶକମାନଙ୍କୁ ବିମୋହିତ କରି ଧୀରେ ଧୀରେ ରଥ ଉପରକୁ ବିଜେ କରିଛନ୍ତି ।

ରଥାରୁଢ଼ ହେଉଛନ୍ତି ଶ୍ରୀଜୀଉ ନିଳାଦ୍ରୀସିଂହ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ଓ ରଥବିଜେ ସମୟରେ ହରିବୋଲ ହୁଳହୁଳିି, ଜୟ ଜଗନ୍ନାଥ ଧ୍ୱନିରେ ଗଗନପବନ ମୁଖରିତ ହୋଇଛି । କିଏ ବଡ଼ଦାଣ୍ଡରେ କାଳିଆ ଠାକୁରଙ୍କ ଆଗରେ ନୃତ୍ୟ ପରିବେଷଣ କରି ତାଙ୍କ ଭକ୍ତି ନୈବେଦ୍ୟ ଅର୍ପଣ କରୁଛି ତ କିଏ ରଥ ସମ୍ମୁଖରେ ମୁରୁଜର ବଣ୍ଣାଳୀ ତୋଳି ତାର ଭକ୍ତିି ପ୍ରଦର୍ଶନ କରୁଛି । କିଏ ହନୁମାନ ରୂପରେ ବଡଦାଣ୍ଡରେ ବୁଲୁଛି ତ କିଏ ଭକ୍ତଙ୍କୁ ପାଣି ଯୋଗାଇ ଦେଇ କାଳିଆ ସାଆନ୍ତଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଛିି ।