ବିଜେଡି ବନାମ ବୈଜୟନ୍ତ ! ମାହାଙ୍ଗାରେ ଦଳର ଦୁଇ ଗୋଷ୍ଠୀ ମୁହାଁମୁହିଁ

41

କନକ ବ୍ୟୁରୋ : ଦଳ ଭିତରେ ଏକପ୍ରକାର ଏକଘରିକିଆ ହୋଇଯାଇଥିବା ସାଂସଦ ବୈଜୟନ୍ତ ପଣ୍ଡା ମାହାଙ୍ଗାରେ ହଟହଟା ହୋଇଛନ୍ତି । ଅଣ୍ଡା ମାଡ଼ ସହ ଟେକା ଓ ଚପଲ ଫିଙ୍ଗିଛନ୍ତି ନିଜ ଦଳର କର୍ମୀ । ପାନୀୟ ଜଳ ପ୍ରକଳ୍ପ ଉଦଘାଟନ କରିବାକୁ ଯାଇ ବୈଜୟନ୍ତ ଯେଉଁଭଳି ପ୍ରତିବାଦର ସମ୍ମୁଖୀନ ହେଲେ ତାହା କେନ୍ଦ୍ରାପଡା ସାଂସଦ ଓ ମାହାଙ୍ଗା ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ଭିତରେ ଥିବା ବିବାଦକୁ ସାମ୍ନାକୁ ଆଣିଛି । କାରଣ ମାହାଙ୍ଗାରେ ବୈଜୟନ୍ତଙ୍କୁ ଖୋଲାଖୋଲି ବିରୋଧ କରିଛନ୍ତି ବିଧାୟକଙ୍କ ସମର୍ଥକ । ଆଉ ଏ ପୁରା ବିବାଦରୁ ଦଳ ନିଜକୁ ଦୂରେଇ ରଖିବା ବିଜେଡିରେ ବୈଜୟନ୍ତଙ୍କ ପ୍ରଭାବ ହ୍ରାସ ପାଉଥିବା ନେଇ ସଂକେତ ଦେଉଛି ବୋଲି ଚର୍ଚ୍ଚା ହେଉଛି ।
ଖବର କାଗଜରେ ଦଳକୁ ଆତ୍ମସମୀକ୍ଷା କରିବାକୁ ବାରମ୍ବାର ପରାମର୍ଶ ଦେଇ ବିବାଦ ଘେରକୁ ଆସିଛନ୍ତି ବୈଜୟନ୍ତ । ପରେ ତାଙ୍କୁ ସଂସଦୀୟ ଦଳର ମୁଖପାତ୍ର ପଦବୀରୁ ବି ହଟାଇ ଦିଆଗଲା । ଏବଂ ଏବେ ଦଳୀୟ ସଂଗଠନର ଏଭଳି ଖୁଲମଖୁଲ୍ଲା ପ୍ରତିବାଦ ଏବଂ ଦଳ ଏ ପ୍ରସଙ୍ଗରେ ଦୂରେଇ ରହିବା ସାଂସଦଙ୍କ ପତିଆରା ହ୍ରାସ କରିଥିବା ନେଇ ଚର୍ଚ୍ଚା ହେଉଛି ।