ସଂସଦରେ ପହଞ୍ଚିଲା ମହାନଦୀ ବିବାଦ ! ବିଜେଡି କହିଲା, ପ୍ରତିଶ୍ରୁତି ଦେଇ ଠକିଦେଲେ କେନ୍ଦ୍ର ସରକାର

22

କନକ ବ୍ୟୁରୋ : ଦିଲ୍ଲୀ ଦରବାରରେ ଉଠିଲା ମହାନଦୀ ପ୍ରସଙ୍ଗ । ଆଜି ସଂସଦ ଭିତରେ ଓ ବାହାରେ ମହାନଦୀ ପ୍ରସଙ୍ଗ ଉଠାଇଛି ବିଜେଡି । ମୁଲତବୀ ନୋଟିସ ଅଣାଯାଇ ମହାନଦୀ ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିଛନ୍ତି ବିଜେଡି ସଂସଦୀୟ ଦଳ ନେତା ଭର୍ତୃହରି ମହତାବ । ସାଂସଦଙ୍କ ଦାବି ଉପରେ ବାଚସ୍ପତି ସୁମିତ୍ରା ମହାଜନ ବିଚାର କରିବେ ବୋଲି କହିଛନ୍ତି । ସେପଟେ ପାର୍ଲାମେଂଟ ବାହାରେ ମଧ୍ୟ ମହାନଦୀକୁ ନେଇ ବିଜେଡି ସାଂସଦ ଧାରଣା ଦେଇଛନ୍ତି ।

mahanadi issue -winter assemblyସଂସଦ ଭିତରେ ଓ ସଂସଦ ବାହାରେ , ସବୁଠି ମହାନଦୀର ତାତି । ବିଜୁ ଜନତା ଦଳର ସଦସ୍ୟ ମାନେ ଦିଲ୍ଲୀ ଦରବାରରେ ମହାନଦୀର କଥା ଉଠାଉଛନ୍ତି । ମୋଦି ସରକାରଙ୍କୁ ମନେ ପକାଇଦେଉଛନ୍ତି, ଛତିଶଗଡ ସହ ମହାନଦୀ ବିବାଦର ସମାଧାନ ପାଇଁ କେନ୍ଦ୍ର ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା କାର୍ଯ୍ୟରେ ପରିଣତ କରୁ । ବିଜେଡି ସାଂସଦଙ୍କ ଦାବି ହେଉଛି, ସଂସଦରେ ମୁଲତବୀ ପ୍ରସ୍ତାବ ଅଣାଯାଇ ମହାନଦୀ ପ୍ରସଙ୍ଗରେ ଆଲୋଚନା ହେଉ । କେନ୍ଦ୍ର ସରକାର ତାଙ୍କ ପକ୍ଷ ରଖନ୍ତୁ ଏବଂ ଛତିଶଗଡର ସଦସ୍ୟ ବି ତାଙ୍କ ମତ ରଖନ୍ତୁ । କିନ୍ତୁ ବାଚସ୍ପତି କହିଥିଲେ, ସେ ଏନେଇ ବିଚାର କରିବେ ।

ମହାନଦୀ ଉପରେ ବନ୍ଧ ତିଆରି କରି ଛତିଶଗଡ ଅତ୍ୟଧିକ ପରିମାଣର ପାଣି ଅଟକାଇଦେଉଛି । ଫଳରେ ହୀରାକୁଦ ଏବଂ ଏହାର ତଳମୁଣ୍ଡରେ ମହାନଦୀରେ ଜଳ ସଙ୍କଟ ଦେଖାଦେଇଛି । ଏହି ଅସୁବିଧା ଆହୁରି ଦୁଇ ଗୁଣ ହୋଇଯାଇଛି , ଯେତିବେଳେ କେନ୍ଦ୍ର ସରକାର ଏହି ବିବାଦର ସମାଧାନ ପାଇଁ ଟ୍ରିବୁନାଲ ଗଠନ କରିବାକୁ ମନା କରିଦେଉଛନ୍ତି । ସୁପ୍ରିମକୋର୍ଟରେ ସତ୍ୟପାଠ ଦେଇ କେନ୍ଦ୍ର ସରକାର କହିଛନ୍ତି, ଓଡିଶା ତଥ୍ୟ ଦେଉନଥିବାରୁ ଟ୍ରିବୁନାଲ ହୋଇପାରିବ ନାହିଁ ।

ମହାନଦୀର ଜଳ ବଂଟନକୁ ନେଇ ଛତିଶଗଡ ଓ ଓଡିଶା ମଧ୍ୟରେ ମତଭେଦ ରହିପାରେ । ଦୁଇ ପଡୋଶୀ ରାଜ୍ୟ ମଧ୍ୟରେ ମତଭେଦ ରହିବା ଅସ୍ୱାଭାବିକ ବି ନୁହେଁ । କିନ୍ତୁ ଏହି ବିବାଦର ସମାଧାନର ବାଟକୁ ଅଟକାଇଦେବା ନିହାତି ଓଡିଶା ପ୍ରତି ଅନ୍ୟାୟ ବୋଲି କୁହାଯିବ ।