ଆମାଜନ୍ ଡେଲିଭରି ବୟର କଳା କାରନାମା ! ଡେଲିଭରି ନାଁରେ ଆଇଏଏସଙ୍କ ଘରେ ପଶି କଲା ଲୁଟ୍ ।

1,135

କନକ ବ୍ୟୁରୋ : ଆଇଏଏସଙ୍କ ଘରେ ଲୁଟିଲା ଆମାଜନ୍ ଡେଲିଭରି ବୟ । ରାଜଧାନୀରେ ରହୁଥିବା ଜଣେ ଆଇଏଏସଙ୍କ ଘରେ ପଶି ଅନଲାଇନ୍ ସଂସ୍ଥା ଆମାଜନର ଡେଲିଭରି ବୟ, ୬ ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା ଓ ନଗଦ ଟଙ୍କା ଲୁଟି ନେଇଥିଲା । ଆଜି ପୋଲିସ ହାତରେ ଧରାପଡିଛି ଲୁଟେରା । ଜାଣନ୍ତୁ ଆଇଏଏସ୍ ଘରେ କେମିତି ଲୁଟିଥିଲା ଆମାଜନ୍ ବୟ ।

ଆଇଏଏସଙ୍କ ଘରେ ଲୁଟ୍ । କଳାକନା ବୁଲାଇଲା ଆମାଜନ୍ ବୟ । ଆପଣ ଅନଲାଇନ୍ ଅର୍ଡର କରୁଛନ୍ତି କି? ତେବେ ଘରକୁ ଜିନିଷ ନେଇ ଆସୁଥିବା ଡେଲିଭରି ବୟକୁ ସାବଧାନ । ଘରେ ପଶି କଳାକନା ବୁଲାଇ ଦେଇପାରନ୍ତି ଏଭଳି ଡେଲିଭରି ବୟ । ଆଦିତ୍ୟ ପ୍ରସାଦ ସାହୁ । ଆମାଜନ୍ ଡେଲିଭରି ବୟ । କମିଶନରେଟ୍ ପୋଲିସ ହାତରେ ଧରାପଡିଥିବା ଏହି ଯୁବକ ଅନଲାଇନ୍ ସଂସ୍ଥା ଆମାଜନ୍ ପାଇଁ ଡେଲିଭରି ବୟ ଭାବେ କାମ କରନ୍ତି । ଭୁବନେଶ୍ୱରରେ ରହୁଥିବା ଜଣେ ଆଇଏଏସଙ୍କ ଘରେ ଲକ୍ଷାଧିକ ଟଙ୍କାର ଲୁଟ୍ କରିଛି ଆଦିତ୍ୟ ଏବଂ ତାର ଦୁଇ ସହଯୋଗୀ । ପୋଲିସ ତାଠାରୁ ସାଢେ ୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର, ନଗଦ ଅଢେଇ ଲକ୍ଷ ଟଙ୍କା ଏବଂ ଲାପଟପ୍ ଓ ମୋବାଇଲ ଜବତ କରିଛି ।

ନଭେମ୍ବର ୨୧ । ଆଇଏଏସ୍ ପ୍ରଣବଜ୍ୟୋତି ଦାସଙ୍କ ଘର, ୪ ଆର୍-୧୬, ୟୁନିଟ୍-୮ । ସମୟ-ଦିନ ପ୍ରାୟ ୨ଟା । ତିନି ଦିନ ତଳେ ଘରକୁ ଅନଲାଇନ୍ ସାମଗ୍ରୀ ନେଇ ଆସିଥିବା ଆମାଜନ୍ ଡେଲିଭରି ବୟ ଆଦିତ୍ୟ, ଆଇଏଏସଙ୍କ ଘର ରେକି କରିଥିଲା । ଘରକୁ କିଏ ଆସୁଛି? କେତେବେଳେ ଆସୁଛି? ଘରେ କେହି ରହୁଛନ୍ତି କି ନାହିଁ? ସିକ୍ୟୁରିଟି ଗାର୍ଡ କେତେବେଳେ କୁଆଡେ ଯାଉଛି? ଟିକିନିଖ ଘଟଣା ଉପରେ ନଜର ରଖିବା ପରେ ଲୁଟ୍ କରିବାକୁ ଆଙ୍କିଥିଲା ବ୍ଲୁପ୍ରିଂଟ୍ । ଘଟଣା ଦିନ ଆଦିତ୍ୟ, ଘର ଆଗପଟେ ରହି ସିକ୍ୟୁରିଟି ଗାର୍ଡ ଉପରେ ନଜର ରଖିଥିଲା ଏବଂ ପଛପଟୁ ଦୁଇ ଜଣ ପଶି ତାଲା ଭାଂଗି ଘରେ କଳାକନା ବୁଲାଇଦେଇଥିଲେ । ଦିନ ଦିପହରେ ଜଣେ ଆଇଏଏସଙ୍କ ଘରେ ପଶି ଆମାଜନ୍ ଭଳି ଏକ ବଡ ଅନଲାଇନ୍ ସଂସ୍ଥାର ଡେଲିଭରି ବୟଙ୍କ ଏଭଳି ଲୁଟକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି ।