ରାତି ପାହିଲେ ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ! ଭୋଟ ଗଣତି ପୂର୍ବରୁ ଜନାଦେଶକୁ ନେଇ ବଢୁଛି ଉତ୍କଣ୍ଠା ।

167

କନକ ବ୍ୟୁରୋ : ରାତି ପାହିଲେ ଆସିବ ନିର୍ବାଚନ ଫଳାଫଳ । ସକାଳ ୮ଟାରୁ ଆରମ୍ଭ ହୋଇଯିବ ଭୋଟ୍ ଗଣତି । ଆଉ ଅପରାହ୍ନ ହେଲା ବେଳକୁ ଏକ ପ୍ରକାର ସ୍ପଷ୍ଟ ହୋଇଯିବ, କେଉଁ ରାଜ୍ୟରେ କିଏ କରିବ ସରକାର? କେଉଁ ଦଳକୁ ମିଳିବ କେତୋଟି ଆସନ । ସନ୍ଧ୍ୟାରେ ବିଧିବଦ୍ଧ ଭାବରେ ଫଳାଫଳ ଘୋଷଣା କରିବେ ନିର୍ବାଚନ କମିଶନ । ଫଳାଫଳକୁ ନେଇ ରାଜନୈତିକ ଦଳ ଗୁଡ଼ିକ ମଧ୍ୟରେ ଯେମିତି ଟେନସନ୍, ସାଧାରଣ ଜନତାଙ୍କ ଭିତରେ ସେତିକି ଉତ୍କଣ୍ଠା । କାରଣ ଏହି ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ୨୦୧୯ ସାଧାରଣ ନିର୍ବାଚନର ଦିଗ ନିର୍ଣ୍ଣୟ କରିବ ବୋଲି କୁହାଯାଉଛି । ତେଣୁ ନିର୍ବାଚନ ଫଳାଫଳ ଉପରେ ପୁରା ଦେଶବାସୀଙ୍କ ନଜର ରହିଛି । ଆଉ ନିର୍ବାଚନର ଫଳାଫଳ ଶୀଘ୍ର ଓ ସଠିକ୍ ଭାବରେ ଆପଣଙ୍କ ପାଖରେ ପହଂଚାଇବା ପାଇଁ ପ୍ରସ୍ତୁତ ରହିଛି କନକ ନ୍ୟୁଜ୍ ଟିମ୍ ।

୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳର ଟିକିନିକି ଖବର ସହ ଆପଣଙ୍କ ପାଖରେ ପହଂଚିବ କନକ ନ୍ୟୁଜ୍ ଟିମ୍ । ଏହି ନିର୍ବାଚନ ଫଳାଫଳ ଉପରେ ରହିଛି ପୁରା ଦେଶର ନଜର । କୁହାଯାଉଛି, ସାଧାରଣ ନିର୍ବାଚନ ପୂର୍ବରୁ ଦେଶର ମୁଡ୍ ପରଖିବ ଏହି ବିଧାନସଭା ଫଳାଫଳ ।

ପ୍ରସ୍ତୁତି ସରିଛି ଫଳକୁ ଅପେକ୍ଷା । ଇଭିଏମ୍ ଖୋଲିଲେ ଭାଗ୍ୟ ଖୋଲିବ । କଡ଼ା ସୁରକ୍ଷା ଭିତରେ ଷ୍ଟ୍ରଙ୍ଗ ରୁମରେ ଥିବା ଏହି ଇଭିଏମ୍ ଗୁଡ଼ିକରେ ବନ୍ଦ ରହିଛି ନେତାଙ୍କ ଭାଗ୍ୟ ଏବଂ ରାଜନୈତିକ ଦଳର ଭବିଷ୍ୟତ । ଆସନ୍ତାକାଲି ୮ରେ ଖୋଲିବ ଏହି ସବୁ ଇଭିଏମ୍ । ଭୋଟ୍ ଗଣତି ସହ ୫ଟି ରାଜ୍ୟର ନୂଆ ରାଜନୈତିକ ଚିତ୍ର ବି ସ୍ପଷ୍ଟ ହୋଇଯିବ । ଆଉ ଏହି ରାଜନୈତିକ ଚିତ୍ର ୨୦୧୯ ପୂର୍ବରୁ ଦେଶର ମୁଡ ପରଖିବ ।

ଏକଜିଟ୍ ପୋଲର ଆକଳନ କହୁଛି, ଲଗାତର ୩ଥର ଶାସନ ଗାଦିରେ ରହି ଆସିବା ବିଜେପି ପାଇଁ ଛତିଶଗଡ଼ର ଗଣିତ ରମଣ ସିଂଙ୍କୁ ଅଡୁଆ ସ୍ଥିତିରେ ପକାଇବାକୁ ଯାଉଛି । କାରଣ ଏଠି ବିଜେପି ଓ କଂଗ୍ରେସ ଭିତରେ କଡ଼ା ମୁକାବିଲାର ଆକଳନ କରିଛି ଏଗଜିଟ୍ ପୋଲ ରିପୋର୍ଟ ।

ବୁଥ ବାହୁଡା ମତକୁ ଯଦି ବିଶ୍ୱାସକୁ ନିଆଯାଏ, ରାଜସ୍ଥାନରେ ସବୁଠୁ ବଡ ବିପର୍ଯ୍ୟୟ ସାମ୍ନା କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି । କାରଣ ଏଠି ବସୁନ୍ଧରା ରାଜେଙ୍କ କ୍ଷମତାକୁ ଫେରିବା କଷ୍ଟକର ବ୍ୟାପର ଥିବା ସର୍ଭେ ରିପୋର୍ଟ କହୁଛି । କିନ୍ତୁ ନେତାଙ୍କ ଯୁକ୍ତି ଏକଜିଟ୍ ପୋଲ ରିପୋର୍ଟ ଫମ୍ଫା ମାଠିଆ ।

ଏପଟେ ଫଳାଫଳ ଆସିଲେ ସ୍ପଷ୍ଟ ହୋଇଯିବ କେତେ ସୁରକ୍ଷିତ ବିଜେପିର ମଧ୍ୟପ୍ରଦେଶ ଗଡ଼ । ଦୀର୍ଘ ବର୍ଷ ଧରି ଶାସନ ଗାଦିରେ ବସିଥିବା ଶିବରାଜ ସିଂ ଚୌହାନ, ଲୋକଙ୍କ ମନ ଜିଣିବାରେ ସଫଳ ହୋଇଛନ୍ତି ନା’ ସରକାର ବିରୋଧୀ ହାୱାକୁ ପାଥେୟ କରି କ୍ଷମତା ଦଖଲ କରିବାରେ କଂଗ୍ରେସ ସଫଳ ହେଉଛି ।

କାର୍ଯ୍ୟକାଳର ଢ଼େର ପୂର୍ବରୁ ବିଧାନସଭାକୁ ଭଙ୍ଗ କରିଥିବା ଟିଆରଏସ୍ ମୁଖ୍ୟ ଚନ୍ଦ୍ରଶେଖର ରାଓ, ବିଧାନସଭା ନିର୍ବାଚନ ଫଳାଫଳରୁ ପାଇବେ କି ଶୁଭ ସଂକେତ ? ପୁଣି ଥରେ ତେଲେଙ୍କାନାର ଶାସନ ଭାର ତାଙ୍କ ହାତରେ ରହିବ ନା’ କଂଗ୍ରେସ ମେଂଟ କେସିଆରଙ୍କ ସୁନେଲି ସ୍ପପ୍ନକୁ ଧୁଳିସାତ କରିଦେବ, ତାହା ଆସନ୍ତାକାଲି ସ୍ପଷ୍ଟ ହୋଇଯିବ । ୨୦୧୯ ମହାମୁକାବିଲା ପୂର୍ବରୁ ୨୦୧୮ର ଅଗ୍ନି ପରୀକ୍ଷା ହିଁ ସ୍ପଷ୍ଟ କରିବ, କେଉଁ ଦଳ ଆଡକୁ ଲଢ଼ୁଛି ଜନମତ । ଏବେ ଅପେକ୍ଷା ଫଳାଫଳକୁ । ଯେତେବେଳେ ସ୍ପଷ୍ଟ ହୋଇଯିବ ପୁରା ଚିତ୍ର ।