ପରଲୋକରେ ବିଶିଷ୍ଟ ଓଡିଆ ଫିଲ୍ମ ପ୍ରଯୋଜକ ଅମୀୟ ପଟ୍ଟନାୟକ । ପୁରୀ ସ୍ୱର୍ଗଦ୍ୱାରରେ ହେଲା ଶେଷ କୃତ୍ୟ । ଶେଷ ଦର୍ଶନ କଲେ ନେତା, ଅଭିନେତା ଓ ପ୍ରିୟଜନ

41

କନକ ବ୍ୟୁରୋ: ପଂଚଭୂତରେ ଲୀନ ହୋଇଛି ବିଶିଷ୍ଟ ଓଡିଆ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ଅମୀୟ ରଂଜନ ପଟ୍ଟନାୟକଙ୍କ ମରଶରୀର । ଶୋକାକୁଳ ପରିବେଶ ମଧ୍ୟରେ ପୁରୀ ସ୍ୱର୍ଗଦ୍ୱାରରେ ଶେଷ ହୋଇଛି ତାଙ୍କର ଅନ୍ତିମ ସଂସ୍କାର । ମୁଖାଗ୍ନି ଦେଇଥିଲେ ପୁଅ ଅନୁପମ ପଟ୍ଟନାୟକ । ଅପରାହ୍ଣରେ ପୁରୀ ସ୍ୱର୍ଗଦ୍ୱାରରେ ମରଶରୀର ପହଁଚିବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶେଷ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ । ସ୍ୱର୍ଗଦ୍ୱାରରେ ଉପସ୍ଥିତ ଥିଲେ ଅମୀୟ ରଂଜନଙ୍କ ଭାଇ ତଥା ପିସିସି ସଭାପତି ନିରଂଜନ ପଟ୍ଟନାୟକ, ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ଓ ତାଙ୍କ ଶୋକସନ୍ତପ୍ତ ପରିବାର ।

ଗତକାଲି ଦିଲ୍ଲୀର ଏକ ଘରୋଇ ମେଡିକାଲରେ ତାଙ୍କର ଦେହାନ୍ତ ହୋଇଥିଲା । ତାଙ୍କର ମରଶରୀରକୁ ବିମାନ ଯୋଗେ ଦିଲ୍ଲୀରୁ ଭୁବନେଶ୍ୱର ଆସିବା ପରେ ନୟାପଲ୍ଲୀ ସ୍ଥିତ ବାସଭବନକୁ ନିଆଯାଇଥିଲା । ବହୁ ବିଶିଷ୍ଟ ବ୍ୟକ୍ତି, ରାଜନେତା, ଓଡ଼ିଶା ସିନେମା ଜଗତର ଅନେକ କଳାକାର ତାଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

ତାଙ୍କ ପାର୍ଥିବ ଶରୀରକୁ ସମ୍ବାଦ ଭବନକୁ ନିଆଯିବା ପରେ ସେଠାରେ ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଂଜଳି ଦେଇଥିଲେ ସମ୍ବାଦ ପରିବାରର ସଦସ୍ୟ । ଏହା ପରେ ଶେଷ ଯାତ୍ରାରେ ବାହାରିଥିଲା ତାଙ୍କ ପାର୍ଥିବ ଶରୀର । ଅମୀୟଙ୍କ ବିୟୋଗରେ ଓଡ଼ିଶା ସିନେ ଜଗତରେ ଏକ ଶୁନ୍ୟସ୍ଥାନ ସୃଷ୍ଟି ହୋଇଛି ।

 

୧୯୮୫ ମସିହାରେ ‘ମମତା ମାଗେ ମୂଲ’ର ପ୍ରଯୋଜନା କରିବା ସହ ନିର୍ଦ୍ଦେଶନା ଦେଇଥିଲେ ଅମୀୟ । ଏହା ପରେ ହାକିମ ବାବୁ, ଚକା ଆଖି ସବୁ ଦେଖୁଛି, ପୁଅ ମୋର କଳାଠାକୁର, ରାଜା ରାଣୀ, ଆସୁଛି ମୋ କାଳିଆ ସୁନା, ଚକାଡୋଳା କରୁଛି ଲୀଳା, ପରଦେଶୀ ବାବୁ ଭଳି ଅନେକ ସୁପରହିଟ୍ ଫିଲ୍ମ ଭେଟି ଦେଇଥିଲେ ଅମୀୟ । ଓଡିଆ ଫିଲ୍ମ ଜଗତରେ ବହୁ ନୂଆ କଳାକାରଙ୍କୁ ସୃଷ୍ଟି କରିବାରେ ରହିଛି ତାଙ୍କର ବିଶେଷ ଅବଦାନ । ତାଙ୍କ ବିୟୋଗରେ ଓଲିଉଡ୍ରେ ଶୋକର ଛାୟା ଖେଳି ଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମତେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।