କନକ ବ୍ୟୁରୋ : ଅମୃତସରରେ କେମିତି ହେଲା ଦୁର୍ଘଟଣା ? ଏଥିପାଇଁ କାହାକୁ କରାଯିବ ଦାୟୀ ? ଅମୃତସର ମର୍ମନ୍ତୁଦ ରେଳ ଦୁର୍ଘଟଣା ପରେ ଏହି ପ୍ରଶ୍ନ ଉଠିବା ସ୍ୱାଭାବିକ । ରେଳ ଲାଇନର ମାତ୍ର ୭୦ ମିଟର ଦୂରରେ ଆୟୋଜିତ ହେଉଥିଲା ରାବଣ ପୋଡି ଉତ୍ସବ । ପ୍ରବଳ ଲୋକ ଗହଳି ଯୋଗୁଁ  ରେଳ ଲାଇନ ଉପରେ ଠିଆ ହୋଇଥିଲେ ଶତାଧିକ ଲୋକ । ଏଠି ପ୍ରଶ୍ନ ଉଠୁଛି, ଲୋକଙ୍କୁ ରେଳ ଲାଇନ ଉପରେ ଠିଆ ହେବାକୁ କାହିଁକି ଦିଆଗଲା? ଲୋକଙ୍କ ସୁରକ୍ଷା ଦୃଷ୍ଟି ଯଥେଷ୍ଟ ସୁରକ୍ଷାକର୍ମୀ କାହିଁକି ନିୟୋଜିତ କରାଗଲା ନାହିଁ ?

publive-image

ରେଳ ଲାଇନ ନିକଟରେ ଏପରି ଏକ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ନେଇ ବିଭାଗ ପାଖରେ କୌଣସି ସୂଚନା ନଥିଲା । ଆଇନ ଶୃଙ୍ଖଳା ରକ୍ଷା କରିବା ଦିଗରେ ସ୍ଥାନୀୟ ପ୍ରଶାସନ ଉପଯୁକ୍ତ ପଦକ୍ଷେପ ନେଇ ନଥିବା ଅଭିଯୋଗ ମଧ୍ୟ ଉଠୁଛି । ରେଳ ବିଭାଗ ପାଖରେ ତଥ୍ୟର ଅଭାବ ଯୋଗୁଁ ଡ୍ରାଇଭରକୁ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନଥିଲା । ଏପଟେ ଘଟଣାସ୍ଥଳରୁ ୭ଶହ ମିଟର ଦୂରରେ ଥିବା ଫାଟକ ବନ୍ଦ ଥିଲା, କିନ୍ତୁ ଲୋକେ ରେଳ ଲାଇନ ଉପରେ ଭିଡ ଜମାଇଥିଲେ ।

publive-image

ଏନେଇ ନିଜ ସଫେଇରେ ରେଳ ଡ୍ରାଇଭର ଲିଖିତ ଉତ୍ତର ଦେଇଛନ୍ତି ଯେ, ଜଳନ୍ଧରରୁ ଗାଡି ନେଇ ବାହାରି ଥିଲି । ମାନାବାଲାରୁ ମୁଁ ବାହାରିଲି, ହଠାତ୍ ରେଳ ଲାଇନ ଉପରେ ଭିଡ ଦେଖିଲି । ସାଙ୍ଗେ ସାଙ୍ଗେ ବ୍ରେକ ମାରିଲି । କିନ୍ତୁ ଗାଡି ସ୍ପିଡରେ ଥିଲା, ତେଣୁ ତାକୁ ନିୟନ୍ତ୍ରଣ କରିବା ବେଳକୁ ଦୁର୍ଘଟଣା ଘଟି ସାରିଲାଣି । ଗାଡି ରହିବା ଆଗରୁ ପଛପଟୁ ଲୋକମାନେ ଆକ୍ରମଣ କରିବା ଆରମ୍ଭ କରିଦେଲେ । ଗାର୍ଡ ଲୋକମାନେ ମାଡି ଆସୁଥିବା ନେଇ ସୂଚନା ଦେଲେ । ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ମୁଁ ଗାଡିକୁ ଅଟକାଇ ନଥିଲି ।

ଏପଟେ ବିନା ଅନୁମତିରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ନେଇ ମଧ୍ୟ କିଛି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ତେବେ ଏତେବଡ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ତାଙ୍କୁ ଅନୁମତି କିଏ ଦେଇଥିଲା ? ଯଦି ଅନୁମତି ଦିଆଯାଇଛି, ତେବେ ସୁରକ୍ଷା ଓ ଅନ୍ୟ ଆନୁସଙ୍ଗିକ ଦିଗ ପ୍ରତି ପ୍ରଶାସନ କାହିଁକି ଗୁରୁତ୍ୱ ଦେଇ ନାହିଁ ? ଏହି ଦୁର୍ଘଟଣାକୁ ପରେ ପୁଣି ଥରେ ପଂଜାବରେ ରାଜ୍ୟ ଓ କେନ୍ଦ୍ର ମୁହାଁମୁହିଁ ହେଉଥିବା ନଜରକୁ ଆସୁଛି ।