ଆଉ ୩ ମାସ ବଢିଲା ଆଧାର-ପ୍ୟାନ ଲିଙ୍କ ସମୟସୀମା । ଡିସେମ୍ବର ୩୧ ଶେଷ ତାରିଖ ଥିବାବେଳେ ମାର୍ଚ୍ଚ ୩୧କୁ ବଢିଲା ଅବଧି

430

କନକ ବ୍ୟୁରୋ: ବଢିଲା ଆଧାର-ପ୍ୟାନ ଲିଙ୍କ ସମୟସୀମା । ଆଉ ୩ ମାସ ବଢିବା ସହ ଆସନ୍ତାବର୍ଷ ମାର୍ଚ୍ଚ ୩୧ ଯାଏଁ ଘୁଞ୍ଚିଲା ଲିଙ୍କ ସମୟସୀମା । ପୂର୍ବରୁ ଡିସେମ୍ବର ୩୧ ଶେଷ ତାରିଖ ଧାର୍ଯ୍ୟ କରାଯାଇଥିଲା । ଏହାକୁ ମିଶାଇ ଏହି ଶେଷ ତାରିଖ ୮ ଥର ବଢିସାରିଲାଣି । ଏହି ସମୟସୀମା ବୃଦ୍ଧି ସଂପର୍କରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଅଧିନସ୍ଥ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ଟ୍ଵିଟ୍‌ କରି ଘୋଷଣା କରାଯାଇଛି ।

ତେବେ ୨୦୧୮ ଜୁନ ମାସରେ ସରକାର କହିଥିଲେ ଯେ ମାର୍ଚ୍ଚ ୩୧, ୨୦୧୯ ସୁଦ୍ଧା ଆଧାର-ପ୍ୟାନ ଲିଙ୍କ୍ କରିହେବ । କିନ୍ତୁ ସମୟ ସୀମା ବଢାଇବା ପାଇଁ ବିଭିନ୍ନ ମହଲରୁ ଦାବି ହେବା ପରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ଏହି ସମୟସୀମାକୁ ପ୍ରଥମେ ସେପ୍ଟେମ୍ବର ୩୦ ଓ ତାପରେ ପୁଣି ଥରେ ଡିସେମ୍ବର ୩୧କୁ ବଢାଇ ଦେଇଥିଲେ । କିନ୍ତୁ ପୁଣି ଥରେ ଏହି ଶେଷ ତାରିଖକୁ ବଢାଇବାକୁ ସିବିଡିଟି ନିଷ୍ପତ୍ତି ନେଇଛି ।

ଲୋକମାନେ ଏବେ ଅନଲାଇନ ଓ ଅଫଲାଇନରେ ନିଜର ଆଧାର ନମ୍ବର ସହ ପ୍ୟାନ ନମ୍ବରକୁ ଲିଙ୍କ କରିପାରିବେ । ସେମାନେ ଆୟକର ବିଭାଗ େଓ୍ଵବସାଇଟକୁ ଯାଇ ଏହା କରିପାରିବେ । ଏହାଛଡ଼ା ଅଫଲାଇନରେ ସେମାନେ ନିକଟସ୍ଥ ପ୍ୟାନ ସେବା କେନ୍ଦ୍ର, ଏନଏସଡିଏଲ୍‌ କିମ୍ବା ୟୁଟିଆଇଆଇଟିଏସଏଲକୁ ଯାଇ ପ୍ୟାନ ନମ୍ବର ସହ ଆଧାର ଲିଙ୍କ୍‌ କରିପାରିବେ ।