ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ନ୍ୟାୟିକ ଲଢ଼େଇ: ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

93

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ସୁପ୍ରିମକୋର୍ଟରେ ପଂହଚିବା ପରେ ଏହି ପ୍ରସଙ୍ଗ ଆହୁରି ଚର୍ଚ୍ଚାକୁ ଆସିଛି । କାମ ଚାଲିବ ନା ବନ୍ଦ ରହିବ, ଏ ନେଇ ଶୁକ୍ରବାର ଆସିପାରେ ସୁପ୍ରିମ ରାୟ । ବିଚାରପତି ଜଷ୍ଟିସ ବି.ଏସ ଗଭାଇ ଓ ଜଷ୍ଟିସ ହୀମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ଆଗରେ ଆବଦେନକାରୀଙ୍କ ଓକିଲ ଓ ପ୍ରତିପକ୍ଷ ଓକିଲ ପ୍ରକଳ୍ପ ସମ୍ପର୍କରେ ଦୃଢ ଯୁକ୍ତି ଉପସ୍ଥାପନ କରିଛନ୍ତି ।

ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଆଇନର ଲଢେଇ ଆରମ୍ଭ ହୋଇଛି । ସୁପ୍ରିମକୋର୍ଟରେ ଦୁଇଟି ଲିଭ ପିଟିସନ ଦାଖଲ କରି ଆବେଦନକାରୀ ଦର୍ଶାଇଥିଲେ ବେଆଇନ ଭାବେ ଓଡିଶା ସରକାର ଶ୍ରୀମନ୍ଦିର ଚାରିପଟେ ଖନନ କରୁଛନ୍ତି ଏବଂ ଏହାଦ୍ୱାରା ମନ୍ଦିର ପ୍ରତି ବିପଦ ରହିଛି । ସେପଟେ ରାଜ୍ୟ ସରକାରଙ୍କ ଓକିଲ ବି ଦର୍ଶାଇଛନ୍ତି ସବୁ କାମ ଆଇନ ଅନୁସାରେ କରାଯାଉଛି ଏବଂ ଭକ୍ତଙ୍କ ସୁବିଧା ପାଇଁ ଏ ସବୁ ହେଉଛି ।

କୋର୍ଟରୁମରେ ଆବେଦନକାରୀଙ୍କ ଓକିଲ ମହାଲକ୍ଷ୍ମୀ ପାଭନୀ କହିଥିଲେ-
-ସଂରକ୍ଷିତ ଅଂଚଳରେ କୌଣସି ପ୍ରକାର କାମ କରିବାକୁ ହେଲେ କ୍ଷମତାପ୍ରାପ୍ତ ସଂସ୍ଥାଠାରୁ ଏନଓସି ଆଣିବା କଥା
-ରାଜ୍ୟ ସରକାର ଏଥିପାଇଁ ଜାତୀୟ ସ୍ମାରକୀ ପ୍ରାଧିକରଣଙ୍କ ଠାରୁ ନୋ ଅବଜେକ୍ସନ ସାର୍ଟିଫିକେଟ୍ ଆଣିଛନ୍ତି
-ହେଲେ ଆଇନ ଅନୁସାରେ ଏଏସଆଇ ହିଁ କୌଣସି ନିର୍ମାଣ କାମ ପାଇଁ ଏନଓସି ଦେବାକୁ କ୍ଷମତାପ୍ରାପ୍ତ ସଂସ୍ଥା
-ନିରୀକ୍ଷଣ ରିପୋର୍ଟ କହୁଛି, ଖନନ ସ୍ଥଳରେ ଅପୂରଣୀୟ କ୍ଷତି ହୋଇଛି

ସେହିଭଳି ଆଉ ଜଣେ ଆବେଦନକାରୀଙ୍କ ଓକିଲ ବିନୟ ନଭାରେଙ୍କ ଯୁକ୍ତି ଥିଲା,
-ଯାହା ହେଉଛି ତାକୁ ଖନନ ବୋଲି କୁହାଯିବ
-ଏହା ହେଉଚି ଶହ ଶହ ବର୍ଷର ପ୍ରାଚୀନ କୀର୍ତି, ଏହାର କାମ ବାହାର ଲୋକଙ୍କୁ ଦିଆଯାଇପାରିବ ନାହିଁ
-ନିଷିଦ୍ଧାଂଚଳରେ ନିର୍ମାଣ କାମ ଚାଲିଥିବା ଏଏସଆଇ ଅଫିସରଙ୍କ ରିପୋର୍ଟ କହୁଛି
-ସରକାର ମେଘନାଦ ପାଚେରୀକୁ ଲାଗି ପଶ୍ଚିମ ଦ୍ୱାରରେ ୩୦ ଫୁଟର ଅଧିକ ଗଭୀରତାରେ କିଛି କାମ କରୁଛନ୍ତି
– ଖନନ ଦ୍ୱାରା ଶ୍ରୀମନ୍ଦିରରେ ଓ ପାଚେରୀରେ ଫାଟ ସୃଷ୍ଟି ହୋଇଛି
-ଆମସାର ଆକ୍ଟ ଧାରା ୨୦ ‘କ’ରେ ସ୍ପଷ୍ଟ ଭାବେ କୁହାଯାଇଛି ୧୦୦ ମିଟର ଭିତରେ କୌଣସି ନିର୍ମାଣ ହୋଇପାରିବ ନାହିଁ

ସେପଟେ ଓଡିଶା ସରକାରଙ୍କ ପକ୍ଷରୁ ଯୁକ୍ତି ରଖିଥିଲେ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା । ତାଙ୍କର ଯୁକ୍ତି ଥିଲା ଓଡିଶା ସରକାର ଆଇନ ଅନୁସାରେ କାମ କରୁଛନ୍ତି ଏବଂ ଭକ୍ତଙ୍କ ସୁବିଧା ପାଇଁ ସବୁ କାମ କରାଯାଉଛି । କୋର୍ଟରୁମରେ ଓଡିଶା ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଜେନେରାଲ ଯୁ୍କ୍ତି ରଖି କହିିଥିଲେ

-ଆମସାର ଆଇନ ଅନୁସାରେ ନ୍ୟାସନାଲ ମନୁମେଂଟ ଅଥରିଟି ଏବଂ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗର ନିର୍ଦ୍ଦେଶକ କ୍ଷମତାପ୍ରାପ୍ତ ସଂସ୍ଥା
-ଶ୍ରୀମନ୍ଦିର ପାଖରେ କରାଯାଉଥିବା କାମ ଆଇନ ଅନୁସାରେ ନିର୍ମାଣ ନୁହେଁ
-ଡ୍ରେନ କାମ, ଲୋକଙ୍କ ପାଇଁ ଶୌଚାଳୟ ତିଆରି କିମ୍ବା ପାଣି ଯୋଗାଣ ପାଇଁ ମରାମତି କାମ ଆଇନ ଅନୁସାରେ ନିର୍ମାଣ କାମ ଭିତରେ ଆସୁନାହିଁ
-ରାଜ୍ୟ ସରକାର କେବଳ ଭକ୍ତଙ୍କୁ ସୁବିଧା ଦେବାକୁ ଚାହୁଁଛନ୍ତି, ଯେଉଁଥିପାଇଁ ଏନଏମଏର ଅନୁମତି ରହିଛି

ସେହିଭଳି ପିନାକୀ ମିଶ୍ରଙ୍କ ଯୁକ୍ତି ଥିଲା-
-ପ୍ରତ୍ୟେକ ବର୍ଷ ରଥଯାତ୍ରାରେ ପୁରୀକୁ ୧୫ରୁ ୨୦ ଲକ୍ଷ ଲୋକ ଆସିଥାନ୍ତି
-ପୂର୍ବରୁ ଏଠାରେ ଦଳାଚକଟା ଭଳି ଘଟଣା ଘଟିସାରିଛି
-ଏଥିପାଇଁ ସଂପୃକ୍ତ ଅଂଚଳକୁ ଖାଲି କରିବା ସହ ଭକ୍ତଙ୍କ ପାଇଁ ସୁବିଧା ବଢାଯିବାର ଆବଶ୍ୟକତା ରହିଛି

ପୁରୀ ପରିକ୍ରମା ପ୍ରକଳ୍ପ ନେଇ ବିବାଦ ବଢୁଥିବାବେଳେ ଏବେ ସମସ୍ତଙ୍କ ନଜର ରହିଛି ଶୁକ୍ରବାରଦିନ କି ରାୟ ଦେଉଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟଳୟ ।