ସିଏସଇ ରିପୋର୍ଟରେ ବଡ ଖୁଲାସା : ଭାରତର ଗାଁମାନଙ୍କରେ ୩୩ ପ୍ରତିଶତ ଲୋକ ଗରିବ,ସହରରେ …..

243

କନକ ବ୍ୟୁରୋ : ସିଏସଇ (ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭାରଭମେଣ୍ଟ) ର ରିପୋର୍ଟ ମୁତାବକ ଦେଶର ସ୍ଥିତି ପୂର୍ବବର୍ଷ ତୁଳନାରେ ଖରାପ ହେବାରେ ଲାଗିଛି । ଦେଶର ପର୍ଯ୍ୟାବରଣ ସ୍ଥିତିକୁ ନେଇ ସିଏସଇ ଏକ ରିପୋର୍ଟ ପ୍ରକାଶ କରିଛି । ଏହି ରିପୋର୍ଟରେ ଅନେକ ମାପଦଣ୍ଡକୁ ସାମିଲ କରାଯାଇଛି । ଏହି କ୍ରମରେ ଗତବର୍ଷ ତୁଳନାରେ ଗରିବୀ ସଂଖ୍ୟା ବୃଦ୍ଧି ପାଇଛି ।

ରିପୋର୍ଟ ମୁ୍ତାବକ ଭାରତର ଗାଁ ମାନଙ୍କରେ ରହୁଥିବା ଲୋକଙ୍କ ମଧ୍ୟରୁ ୩୩ ପ୍ରତିଶତ ଲୋକ ଗରିବ ସୀମାରେଖା ତଳେ ରହିଛନ୍ତି । ଏହି ରିପୋର୍ଟରେ ଗରିବ ମାପଦଣ୍ଡକୁ ଟଙ୍କା ଆଧାରରେ ହିସାବ କରାଯାଇ ନାହିଁ ମାତ୍ର ସେମାନଙ୍କର ଖାଦ୍ୟପେୟ,କେତେ ପରିମାଣର ପିଲା ସ୍କୁଲ ଯାଉଛନ୍ତି, ବିଜୁଳି ସଂଯୋଗ ରହିଛି କି ନାହିଁ, ଶିଶୁ ଓ ମାଙ୍କ ସ୍ୱାସ୍ଥ୍ୟାବସ୍ଥା, ପିଇବା ପାଣିର ସୁବିଧା, ବ୍ୟାଙ୍କରେ ଖାତା ଅଛି କି ନାହିଁ ଏହି ଆଧାରରେ ଗରିବଙ୍କ ସଂଖ୍ୟା ସ୍ଥିର କରାଯାଇଛି । ଏହାକୁ ବହୁମୁଖୀ ଦାରିଦ୍ର୍ୟ ବୋଲି କୁହାଯାଇଛି । ଏହି ଅଧାରରେ ଦେଶରେ ଏବେ ବି ୨୫ ପ୍ରତିଶତ ପରିବାର ଗରିବ ।

ଏହି କ୍ରମରେ ରାଜ୍ୟମାନଙ୍କ କଥା ଯଦି କୁହାଯିବ ତେବେ ସବୁଠାରୁ ଅଧିକ ଗରିବ ପରିବାର ବିହାରରେ ଅଛନ୍ତି । ବିହାରରେ ୫୨ ପ୍ରତିଶତ ଲୋକ ବହୁମୂଖୀ ଦାରିଦ୍ର୍ୟତା ଭିତରେ ରହିଛନ୍ତି । ବିହାର ତଳକୁ ରହିଛି ଝାଡଖଣ୍ଡ, ଏଠାରେ ୪୨ ପ୍ରତିଶତ ଲୋକ ବହୁମୂଖୀ ଦାରିଦ୍ର୍ୟତା ଭିତରେ ରହିଛନ୍ତି । ସେହିକ୍ରମରେ ମଧ୍ୟପ୍ରଦେଶରେ ୩୬ ପ୍ରତିଶତ ଓ ସବୁଠାରୁ କମ ଗରିବ ଲୋକ ରାଜଧାନୀ ଦିଲ୍ଲୀରେ ରହିଛନ୍ତି । ଦିଲ୍ଲୀରେ ମାତ୍ର ୫ ପ୍ରତିଶତ ଲୋକ ଗରିବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି ।