ଜଗତସିଂହପୁରରେ ଉତ୍କଟ ପାନୀୟ ଜଳ ସମସ୍ୟା । ବାଲିକୁଦା-ଏରସମାର ବିଭିନ୍ନ ଗାଁରେ ନଳକୂଅରୁ ବାହାରୁଛି ଆଇରନ୍ ମିଶା ଗୋଳିଆ ପାଣି ।

127

କନକ ବ୍ୟୁରୋ: ଗ୍ରୀଷ୍ମ ପ୍ରବାହ ବଢ଼ିବା ସାଙ୍ଗକୁ ପିଇବା ପାଣିର ସମସ୍ୟା ବଢ଼ିବା ଲାଗିଛି । ଜଗତସିଂହପୁର ଜିଲ୍ଲାର ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ ଜଳ ସମସ୍ୟା ଦିନକୁ ଦିନ ଉତ୍କଟ ରୂପ ନେଉଛି । ଭୂତଳ ଜଳସ୍ତର କମୁଛି । ପିଇବା ପାଣି ପାଇଁ ମାଇଲ୍ ମାଇଲ୍ ବାଟ ଯିବାକୁ ପଡ଼ୁଛି । ସ୍ୱାଧୀନତା ସାତ ଦଶନ୍ଧି ପରେ ସର୍ବନିମ୍ନ ସୁବିଧାରୁ ବଂଚିତ ହୋଇଥିବା ବାଲିକୁଦା-ଏରସମାବାସୀ ଆଉ କେତେ ଦିନ ଯନ୍ତ୍ରାଣା ସହିବେ ବୋଲି ପ୍ରଶ୍ନ କରୁଛନ୍ତି । ଏପଟେ ପାଇପ୍ ଯୋଗେ ପାଣି ଯୋଗାଇବା ଉଦେଶ୍ୟରେ ନିର୍ମାଣ ହେଉଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଅଧାପନ୍ତରିଆ ହୋଇ ପଡ଼ିରହିଛି ।

ଉପକୂଳ ଅଂଚଳ ହୋଇଥିବାରୁ ବାଲିକୁଦା ଓ ଏରସମାରେ ପିଇବା ପାଣି ପାଇଁ ନାନା ସମସ୍ୟା ଦେଖା ଦେଇଥାଏ । ନଳକୂପ ପାଇଁ ଶହେ-ଦୁଇ ଶହ ଫୁଟ ଖୋଳିଲେ ଆଇରନ୍ ମିଶା ପାଣି ବାହାରୁଛି । ପୁଣି କେଉଁଠି ପଙ୍କୁଆ ପାଣି ତ କେଉଁଠି ଗୋଳିଆ ପାଣି । ଯାହା ପାନୀୟ ଉପଯୋଗୀ ନୁହେଁ । ତେଣୁ ଏହି ଅଂଚଳରେ ପିଇବା ପାଣି ପାଇଁ ଲୋକେ ବହୁ ଅସୁବିଧା ଭୋଗ କରନ୍ତି । ଜଗତସିଂହପୁର ଜିଲ୍ଲାରେ ୧ ହଜାର ୩୨୧ ରାଜସ୍ୱ ଗାଁ ରହିଛି । ପ୍ରାୟ ୬ ଶହରୁ ଅଧିକ ଗାଁକୁ ପାନୀୟ ଜଳ ଯୋଗାଣ ହୋଇ ପାରିନାହିଁ । ଯାହା ଚିନ୍ତା ଜନକ ।

୨୦୧୬-୧୭ ମସିହାରେ ତତ୍କାଳୀନ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ଉଦ୍ୟମରେ ବାଲିକୁଦା-ଏରସମା ଓ ନାଉଗାଁର ଏକ ପଂଚାୟତ ପାଇଁ ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶୁଭ ଦିଆଯାଇଥିଲା । ୧କୋଟି ୪୨ ଲକ୍ଷ ୮୮ ହଜାର ଟଙ୍କା ବ୍ୟୟରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ୨ ବର୍ଷ ଭିତରେ ଶେଷ କୁହାଯାଇଥିଲା । ହେଲେ ଏହାରି ଭିତରେ ପଂଚାୟତ ଗୁଡିକରୁ ୧୦ ଲକ୍ଷ ଲେଖାଏଁ ଟଙ୍କା ନିଆଯାଇଛି । ତଥାପି ୫ ବର୍ଷ ହେଲା ପ୍ରକଳ୍ପ କାମ ସରିନାହିଁ ।

ପ୍ରକଳ୍ପ କାମ ଏଲ୍ଆଣ୍ଡଟି ନେଇଥିବା ବେଳେ ଛୋଟ ଛୋଟ ଠିକାଦାରଂକୁ କାମ ଦିଆଯାଇଛି । କାମର ସୂଚନା ଫଳକ ନଲଗାଇ ପାଇପ୍ ବିଛାଇବା, ଓଭରହେଡ୍ ଟାଙ୍କି ନିର୍ମାଣ, ମୁଖ୍ୟ କାର୍ଯ୍ୟାଳୟ ନିର୍ମାଣ କରାଯାଉଛି । ଏହାଅତି ନିମ୍ନମାନର ହେଉଥିବା ନେଇ ଅଭିଯୋଗ କଲେ ବି ଅଧିକାରୀ କର୍ଣ୍ଣପାତ କରୁନାହାନ୍ତି । ଏସବୁ ଭିତରେ ପ୍ରକଳ୍ପ କାମ କେବେ ସରିବ? କେବେ ପାଣି ଆସିବ? ଆଉ କେତେ ବର୍ଷ ଲାଗିବ? ପାଣି ଶେଷ ମୁଣ୍ଡରେ ପହଞ୍ଚିବ ନା ନାହିଁ? ଗ୍ରାମବାସୀଙ୍କ ମନରେ ଉଠୁଥିବା ଏଭଳି ପ୍ରଶ୍ନର ଉତର ଦେବାକୁ ଅରାଜି ଅଧିକାରୀ ।

ରାଜନୌତିକ ଇଚ୍ଛାଶକ୍ତିର ଅଭାବ ଓ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ଲୋକେ ଜଳ ଯନ୍ତ୍ରଣା ଭୋଗୁଛନ୍ତି । ତୁରନ୍ତ ଜଳ ଯେଗାଣ କରାନଗଲେ ଲୋକେ ଆନ୍ଦୋଳନର ଚେତାବନୀ ଦେଇଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲାପାଳ ।