ଡେଲଟା ପ୍ଲସ ଭାଇରସ ଉପରେ ବିଶେଷଜ୍ଞ ପ୍ୟାନେଲର ମତ । କହିଲେ, ଫୁସଫୁସ ପ୍ରତି ଡେଲଟା ପ୍ଲସ ଅଧିକ ହୋଇପାରେ ଆକର୍ଷିତ, ହେଲେ କରିନପାରେ କ୍ଷତି ।

254

କନକ ବ୍ୟୁରୋ: ଦେଶର ୧୦ଟି ରାଜ୍ୟରେ ପ୍ରାୟ ୫୦ ମାମଲା ଆସିବା ପରେ ଡେଲଟା ପ୍ଲସ କରୋନା ଭୂତାଣୁ ନେଇ ଚିନ୍ତା ବଢ଼ିଯାଇଛି । କୋଭିଡ୍ ୱାର୍କିଂ ଗ୍ରୁପର ମୁଖ୍ୟ କହିଛନ୍ତି, ଫୁସଫୁସ ଟିସୁ ସହିତ ଏହି ଷ୍ଟ୍ରେନର ନିବିଡ଼ ସଂପର୍କ ରହିଛି । ନ୍ୟାସନାଲ ଟେକ୍ନିକାଲ ଆଡଭାଇଜରୀ ଗ୍ରୁପ ଅଫ୍ ଇମୁନାଇଜେସନ୍ ଅଧ୍ୟକ୍ଷ ଡକ୍ଟର ଏନ କେ ଆରୋରା କହିଛନ୍ତି, ଅନ୍ୟ ଷ୍ଟ୍ରେନ୍ ତୁଳନାରେ ଡେଲ୍ଟା ପ୍ଲସ୍, ଫୁସଫୁସରେ ମ୍ୟୁକୋଜାଲ୍ ଲାଇନ୍ ସହିତ ଅଧିକ ସଂପର୍କ ରହିଛି । କିନ୍ତୁ ଏହା ଅଧିକ କ୍ଷତି ଘଟାଇବାକୁ ସମର୍ଥ ଏ ନେଇ କିଛି ତଥ୍ୟ ମିଳିନାହିଁ ।

ଏପରିକି ଏହା ଅଧିକ ଗୁରୁତର ରୋଗ ସୃଷ୍ଟି କରିବ କିମ୍ବା ଅଧିକ ସଂକ୍ରାମକ ହେବ ବୋଲି ମଧ୍ୟ କିଛି ପ୍ରମାଣ ମିଳିନାହିଁ । ଜୁନ ୧୧ ତାରିଖରେ ଡେଲଟା ପ୍ଲସ କରୋନା ଭୂତାଣୁ ଚିହ୍ନଟ ହେବା ପରେ ନିକଟରେ ଏହାକୁ ଭେରିଆଂଟ ଅଫ୍ କନସର୍ନ ଆଖ୍ୟା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଦେଶରେ ୫୦ ମାମଲା ଚିହ୍ନଟ ହେବା ସହ ସବୁଠୁ ଅଧିକ ମାମଲା ଆସିଛି ମହାରାଷ୍ଟ୍ରରୁ । ଡକ୍ଟର ଆରୋରା କହିଛନ୍ତି, ଅଧିକ ମାମଲା ଆସିବା ପରେ ଏହି ଷ୍ଟ୍ରେନର ପ୍ରଭାବ କଣ ପଡ଼ିବ, ତାହା ସ୍ପଷ୍ଟ ହେବ । ଯେଉଁମାନେ ଟିକା ନେଇଛନ୍ତି, ସେମାନଙ୍କ ନିକଟରେ ଏହାର ପ୍ରଭାବ କମ୍ ରହିଛି । ତେବେ କୋଭିଡ୍ ୱାର୍କିଂ ଗ୍ରୁପର ମୁଖ୍ୟ କହିଛନ୍ତି, ଏହି ଭୂତାଣୁ ଉପରେ ତୀକ୍ଷ୍ଣ ନଜର ରଖିବାକୁ ପଡ଼ିବ । ଏହା କିପରି ଅଧିକ ନ ବ୍ୟାପିବ, ସେଥିପ୍ରତି ଦୃଷ୍ଟି ଦେବାକୁ ହେବ ।