ଝାରସୁଗୁଡାରେ ଚାଞ୍ଚଲ୍ୟକର ଘଟଣା । ଘରେ ପଶି ଦିନ ଦ୍ୱିପହରରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂୂର୍ବତନ କୁଳପତିଙ୍କୁ ହତ୍ୟା ।

324

କନକ ବ୍ୟୁରୋ: ସମୟ ଦିନ ପ୍ରାୟ ସାଢ଼େ ୧୧ଟା ଏବଂ ସ୍ଥାନ ଥିଲା ଲାଇକେରା ଥାନା ଅନ୍ତର୍ଗତ କୁଅଁରମାଲ ଗାଁ । ସପ୍ତାହନ୍ତ ସଟଡାଉନ ଚାଲିଥିବା ବେଳେ କୁଅଁରମାଲ ଗାଁରେ ଏପରି ଏକ ଘଟଣା ଘଟିଛି, ଯାହା କେବଳ ଝାରସୁଗୁଡ଼ା ଜିଲ୍ଲା ନୁହେଁ, ପୁରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି, ସେହି ଗାଁର ୨୦ ବର୍ଷୀୟ ଯୁବକ ପ୍ରବୀଣ ଧାରୁଆ ଓରଫ ରିନିତ । ଅଭିଯୋଗ ହୋଇଛି ମାତ୍ର ୧୦୦ ଟଙ୍କା ପାଇଁ ଏପରି ନାରକୀୟ କାଣ୍ଡ ଘଟାଇଛି ଦୁର୍ବୃତ୍ତ ।

ଧ୍ରୁବରାଜ ନାୟକ ଘରେ ନଥିବା ବେଳେ ଅଭିଯୁକ୍ତ ପ୍ରବୀଣ ଟାଙ୍ଗିଆ ଧରି ଘରେ ଭିତରେ ପଶିଯାଇଥିଲା । ଘର ଲୋକଙ୍କ କହିବା କଥା ସେମାନଙ୍କୁ ଟଙ୍କା ମାଗିଥିଲା ଅଭିଯୁକ୍ତ । ଏହି ସମୟରେ ଧ୍ରୁବରାଜ ଘରେ ପହଁଚିଥିଲେ ଏବଂ ପ୍ରବୀଣକୁ ଘରୁ ବାହାରି ଯିବାକୁ କହିଥିଲେ । ଘର ବାହାରେ ବି ପ୍ରବଳ ପାଣିତୁଣ୍ଡ କରିଥିଲା ଅଭିଯୁକ୍ତ । ଏହାର ପ୍ରତିବାଦ କରିବାକୁ ଧ୍ରୁବରାଜଙ୍କ ବେକକୁ ଟାଙ୍ଗିଆରେ ହାଣି ଦେଇଥିଲା ପ୍ରବୀଣ ।

ଗୁରୁତର ଅବସ୍ଥାରେ ଧ୍ରୁବରାଜ ନାୟକଙ୍କୁ ଝାରସୁଗୁଡ଼ା ସ୍ଥିତ ସମଲେଶ୍ୱରୀ ନର୍ସିଂହୋମଙ୍କୁ ନିଆଯାଇଥିଲା । ହେଲେ ତାଙ୍କୁ ବଂଚାଇବାକୁ ସମର୍ଥ ହୋଇ ନଥିଲେ ଡାକ୍ତର । ପ୍ରଫେସର ନାୟକଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ପଶ୍ଚିମ ଓଡ଼ିଶାରେ ଶୋକର ଛାୟା ଖେଳି ଯାଇଥିଲା । ଏପଟେ ହତ୍ୟାକାଣ୍ଡ ଭିଆଇବା ପରେ ଅନ୍ଧାରୀ ଜଙ୍ଗଲରେ ଲୁଚି ଯାଇଥିଲା ଅଭିଯୁକ୍ତ ପ୍ରବୀଣ । ଗାଁ ଲୋକ, ଜଙ୍ଗଲ ସାଥୀ ଓ ପୁଲିସ ଜଙ୍ଗଲ ଭିତରେ ରେକି କରି ତାକୁ କାବୁ କରିଛନ୍ତି ।

ହତ୍ୟାକାଣ୍ଡ ପଛର କାରଣ ଜାଣିବା ପାଇଁ ଛାନଭିନ ଚଳାଇଛି ଝାରସୁଗୁଡ଼ା ପୁଲିସ । ମଦ ଖାଇବା ପାଇଁ ଅଭଯୁକ୍ତ ୧୦୦ ଟଙ୍କା ମାଗୁଥିଲା, ପ୍ରଫେସର ନାୟକ ମନା କରିବା ପରେ ସେ ଉତ୍ୟକ୍ତ ହୋଇ ହାଣି ଦେଇଥିବା ପରିବାର ଲୋକ କହୁଥିବା ବେଳେ ଜମିବାଡି ବିବାଦ ଦିଗ ପ୍ରତି ମଧ୍ୟ ତଦନ୍ତ କରୁଛି ପୁଲିସ ।

ପ୍ରଫେସର ଧ୍ରୁବରାଜ ନାୟକ, ଅବସର ନେବା ପରେ ଗାଁ ଫେରିଆସି ଅନ୍ଧାରୀ ଜଙ୍ଗଲର ସୁରକ୍ଷା ପାଇଁ ଅଭିଯାନ ଚଳାଇଥିଲେ । ପରିଣତ ବୟସରେ ସାଇକେଲରେ ବୁଲି ବୁଲି ପରିବେଶ ସଂରକ୍ଷଣ ପାଇଁ ସଚେତନତା ସୃଷ୍ଟି କରିବା କାର୍ଯ୍ୟରେ ଲାଗିଥିଲେ । ପରିବେଶ ଓ ବିଜ୍ଞାନ କ୍ଷେତ୍ରରେ ତାଙ୍କର ଅବଦାନ ଲାଗି ରାଜ୍ୟ ସରକାର, ଓଡ଼ିଶା ବିଜ୍ଞାନ ଏକାଡେମୀ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଥିଲା ।