ସିବିଏସଇ ପରୀକ୍ଷା ଢ଼ାଞ୍ଚାକୁ ପରିବର୍ତ୍ତନ ପରେ ଓଡିଶାରେ ବି ଉଠିଲା ପରିବର୍ତନ ସ୍ୱର । ଶିକ୍ଷାବିତ କହିଲେ, ମାଟ୍ରିକ ଓ ଯୁକ୍ତ ଦୁଇରେ ଦୁଇଟି ବୋର୍ଡ ପରୀକ୍ଷା ହେଲେ ଭଲ ।

244

କନକ ବ୍ୟୁରୋ: ୨୦୨୧-୨୨ ଶିଷାବର୍ଷରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ସିବିଏସଇ ନୂଆ ପାଠ୍ୟ ଖସଡ଼ା ଘୋଷଣା କରିବା ପରେ ଓଡିଆ ସ୍କୁଲ ପାଇଁ ସରକାର ନୂଆ ନିୟମ ଆଣିବେ କି ? କରୋନା ଯୋଗୁଁ ଦୁଇବର୍ଷ ହେବ ପାଠପଢ଼ାଠାରୁ ଆରମ୍ଭ କରି ପରୀକ୍ଷା ପର୍ଯ୍ୟନ୍ତ ବହୁ ଅସୁବିଧା ଉପୁଜିଛି । ତେଣୁ ଚଳିତ ବର୍ଷ କଣ ହେବ, ଏହାକୁ ନେଇ ଓଡିଆ ସ୍କୁଲରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ମନରେ ଏକାଧିକ ପ୍ରଶ୍ନ ଉଠୁଛି ।

  • ସିବିଏସଇ ଭଳି ଗଣଶିକ୍ଷା ବିଭାଗ ସମାନ ଢ଼ାଞ୍ଚା ଆଣିବ କି?
  • ଯଦି ପାଠ୍ୟ ଖସଡା ବଦଳାଯାଏ ତେବେ କେମିତି ରହିବ ପାଠ୍ୟକ୍ରମ?
  • କେମିତି ରହିବ ପରୀକ୍ଷା ଓ ମୂଲ୍ୟାୟନ ପଦ୍ଧତି?

ଏମିତି ଏକାଧିକ ପ୍ରଶ୍ନକୁ ନେଇ ଛାତ୍ରଛାତ୍ରୀ ଦ୍ୱନ୍ଦ୍ୱରେ ଥିବାବେଳେ ଶିକ୍ଷାବିତଙ୍କ ମତ ସିବିଏସଇ ଢ଼ାଞ୍ଚାରେ ଓଡିଆ ସ୍କୁଲର ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ପାଠ୍ୟ ଖସଡା ପ୍ରସ୍ତୁତ ହେଲେ ଭଲ ହେବ । କରୋନା ପାଇଁ ଶିକ୍ଷାଦାନ ଓ ପରୀକ୍ଷା ବାଧାପ୍ରାପ୍ତ ହେବାରୁ ଚଳିତ ଶିକ୍ଷାବର୍ଷ ପାଇଁ ବଡ ନିଷ୍ପତି ନେଇଛନ୍ତି ସିବିଏସଇ କର୍ତୁପକ୍ଷ । ନୂଆ ପାଠ୍ୟ ଖସଡା ଅନୁସାରେ…

ସିବିଏସଇ ନୂଆ ନିୟମ..
– ଦୁଇ ଭାଗ ହେବ ଶିକ୍ଷାବର୍ଷ
– ପ୍ରତି ଟର୍ମରେ ରହିବ ୫୦ ପ୍ରତିଶତ ସିଲାବସ୍
– ପ୍ରତି ଟର୍ମ ଶେଷରେ ହେବ ବୋର୍ଡ ପରୀକ୍ଷା
– ଅର୍ଥାତ ଦୁଇଟି ବୋର୍ଡ ପରୀକ୍ଷା ଦେବେ ଛାତ୍ରଛାତ୍ରୀ
– ଉଭୟର ମାର୍କ ମିଶି ଚୂଡାନ୍ତ ଫଳ ପ୍ରକାଶ କରାଯିବ

୨୦୨୦-୨୧ ଶିକ୍ଷାବର୍ଷର ପରୀକ୍ଷା ବେଳକୁ କରୋନାର ଦ୍ୱିତୀୟ ଲହର ଯୋଗୁଁ ଦଶମ ଓ ଦ୍ୱାଦଶ ପରୀକ୍ଷା ବାତିଲ ହୋଇଥିଲା ।ଆଉ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ପିଲାଙ୍କୁ ମାର୍କ ଦିଆଯିବାକୁ ନିଷ୍ପତି ହୋଇଥିଲା । ମହାମାରୀ ଯୋଗୁଁ ଆଗକୁ ଯେମିତି ସେଭଳି ଅସୁବିଧା ନଉପୁଜେ ସେଥିପାଇଁ ସିବିଏସଇ ପକ୍ଷରୁ ଏଭଳି ପରିବର୍ତନ କରାଯାଇଛି । ପୂର୍ବରୁ ସିବିଏସଇ ନେଇଥିବା ଏକାଧିକ ନିଷ୍ପତିକୁ ଅନୁସରଣ କରିଛି ରାଜ୍ୟ ଗଣଶିକ୍ଷା ବିଭାଗ । ତେଣୁ ଏଥର ବି ସିବିଏସଇ ଢ଼ାଞ୍ଚାକୁ ଗ୍ରହଣ କରି ନୂଆ ନିୟମ ଆଣିପାରେ ବୋଲି କୁହାଯାଉଛି ।