ମୋଦି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ଭିତରେ ବଦଳିଲେ ୮ ରାଜ୍ୟର ରାଜ୍ୟପାଳ । କ୍ୟାବିନେଟରେ ସ୍ଥାନ ପାଇପାରନ୍ତି ୨୦ ନୂଆ ଚେହେରା । ଓଡିଶାର ଅଶ୍ୱିନୀ ବୈଷ୍ଣବଙ୍କୁ ନେଇ ଚର୍ଚ୍ଚା ।

219

କନକ ବ୍ୟୁରୋ: ମୋଦିଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣକୁ ନେଇ ଜୋରଦାର ଚର୍ଚ୍ଚା ଭିତରେ ମଙ୍ଗଳବାର ରାଜ୍ୟପାଳମାନଙ୍କ କ୍ଷେତ୍ରରେ ଏକ ବଡ ଧରଣର ପରିବର୍ତନ ହୋଇଛି । ୮ଟି ରାଜ୍ୟର ରାଜ୍ୟପାଳଙ୍କୁ ଅଦଳ ବଦଳ କରାଯାଇଛି ଏବଂ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ଏହି ଅଦଳବଦଳକୁ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପୂର୍ବର ଏକ ସଙ୍କେତ ବୋଲି କୁହାଯାଉଛି । ତେବେ ଏହି ମନ୍ତ୍ରିମଣ୍ଡଳ ସଂପ୍ରସାରଣକୁ ନେଇ ଓଡିଶାରେ ମଧ୍ୟ ଚର୍ଚ୍ଚା ଚାଲିଛି କାରଣ, ଓଡିଶାରୁ ମଧ୍ୟ ଏଥର ସଂପ୍ରସାରଣରେ ନୂଆ ଚେହେରାକୁ ସୁଯୋଗ ମିଳିପାରେ ବୋଲି କୁହାଯାଉଛି ।

ବର୍ତମାନ ଓଡିଶାରୁ କେନ୍ଦ୍ରରେ ଦୁଇଜଣ ମନ୍ତ୍ରୀ ଅଛନ୍ତି । କ୍ୟାବିନେଟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ରାଜ୍ୟସଭାରେ ସଦସ୍ୟ ଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ନେଇ ଏହି ଚର୍ଚ୍ଚା ବେଶୀ ଚାଲିଛି । ଏହି ସଂପ୍ରସାରଣ ବା ଅଦଳବଦଳରେ ଅଶ୍ୱିନୀ କ୍ୟାବିନେଟ ପାହ୍ୟା ପାଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି । ଏହାଛଡା ବୈଜୟନ୍ତ ପଣ୍ଡାଙ୍କୁ ନେଇ ମଧ୍ୟ କିିଛି ମହଲରେ ଚର୍ଚ୍ଚା ଚାଲିଛି । ତେବେ କେଉଁ ରାଜ୍ୟରୁ ତାଙ୍କୁ ରାଜ୍ୟସଭା ନିଆଯିବ ତାହା ଏକ ବଡ ପ୍ରଶ୍ନ । କୁହାଯାଉଛି ମୋଦି ମନ୍ତ୍ରିମଣ୍ଡଳରେ ୨୦ ନୂଆ ଚେହେରା ସ୍ଥାନ ପାଇପାରନ୍ତି । ଆଗକୁ ଉତ୍ତରପ୍ରଦେଶ , ପଞ୍ଜାବ ଓ ଅନ୍ୟ ରାଜ୍ୟରେ ନିର୍ବାଚନ ଥିବାରୁ ଏହି ସଂପସାରଣରେ ଏହାର ପ୍ରତିଫଳନ ଦେଖିବାକୁ ମିଳିପାରେ ।

ସବୁଠୁ ବଡ କଥା ହେଉଛି କଂଗ୍ରେସ ଛାଡି ବିଜେପିକୁ ଆସିଥିବା ମଧ୍ୟପ୍ରଦେଶର ଟାଣୁଆ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମୋଦି ମନ୍ତ୍ରିମଣ୍ଡଳରେ ସୁଯୋଗ ମିଳିପାରେ । ମଙ୍ଗଳବାରଦିନ ତାଙ୍କୁ ମନ୍ଦିରରେ ପୂଜାର୍ଚ୍ଚନା କରିବାକୁ ଦେଖିବାକୁ ମିଳିଥିଲା । ଏହାଛଡା ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେ, ପଶ୍ଚିମବଙ୍ଗର ନିଶିଥ ପ୍ରାମାଣିକ, ଅପନା ଦଳର ଅନୁପ୍ରିୟା ପଟେଲଙ୍କ ସମେତ ଆଉ କିଛି ନେତାଙ୍କୁ ଦିଲ୍ଲୀରୁ ଡାକରା ଆସିଛି । କୁହାଯାଉଛି, ଗୁରବାର ସକାଳେ ଶପଥଗ୍ରହଣ ସମାରୋହ ଅନୁଷ୍ଠିତ ହୋଇପାରେ ।