ଭୁବନେଶ୍ୱର ମୋବାଇଲ ସୋ ରୁମରୁ ଚୋରି କରି ଧରାପଡିଲେ ସୁନ୍ଦରୀ ଲୁଟେରା । ଆଇଫୋନ ନେଇ ଫେରାର ହୋଇଯାଇଥିଲେ ଯୁବତୀ ।

421

କନକ ବ୍ୟୁରୋ: ଭୁବନେଶ୍ୱର ବାପୁଜୀ ନଗରର ମୋବାଇଲ ଷ୍ଟୋରକୁ ବେଶ ଆଭିଜାତ୍ୟପୁର୍ଣ୍ଣ ଠାଣି ସହ ଆସିଥିଲେ ଜଣେ ଯୁବତୀ । ଏହାପରେ ଦେଢ ଲକ୍ଷ ଟଙ୍କାର ଆଇଫୋନ୍ କିଣିବା ପାଇଁ ଦୋକାନୀଙ୍କୁ କହିଥିଲେ । ଦୋକାନ ଭିତରେ ମୋବାଇଲ ଦେଖିବା ସହ ବେଶ କିଛି ସମୟ କାଟିଥିଲେ ଆଉ ସୁବିଧା ଦେଖି ଚମ୍ପଟ ମାରିଥିଲେ ।

ଆଇ ଫୋନ୍ କିଣିବା ନେଇ ଚୂଡାନ୍ତ କରିବା ପରେ ଯୁବତୀ ଜଣଙ୍କ ଦୋକାନୀଙ୍କୁ ବିଲ୍ କରିବାକୁ କହିଥିଲେ । କିଛି ସମୟ ଭିତରେ ବିଲ୍ ବି ହୋଇଯାଇଥିଲା । ହେଲେ ପେମେଣ୍ଟ ବେଳକୁ ଯୁବତୀ ଜଣଙ୍କ କହିଲେ, ଏଟିଏମ କାର୍ଡ ଖରାପ ହୋଇଯାଇଛି, ଘର ପାଖକୁ ଆସିଲେ ବାପାଙ୍କ ଏଟିଏମରୁ ପେମେଣ୍ଟ କରିଦେବେ ବୋଲି କହିଲେ । ଯୁବତୀ ସହ ଦୋକାନୀ ଜଣେ କର୍ମଚାରୀଙ୍କୁ ପଠାଇଥିଲେ । ହେଲେ ପେଟ୍ରୋଲ ପମ୍ପରେ ପେଟ୍ରୋଲ ପକାଇବା କହି ଛୁ ମାରିଥିଲା ଯୁବତୀ ଜଣଙ୍କ । ଆଉ ଏହି ପୁରା ଘଟଣା ଚର୍ଚ୍ଚାକୁ ଆସିବା ପରେ ସିସିଟିଭିରୁ ଯୁବତୀଙ୍କୁ ଠାବ କରିବା ସହ ଗିରଫ କରାଯାଇଥିଲା ।

ଚୋରୀ ହୋଇଥିବା ନେଇ ଉକ୍ତ ଦୋକାନ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା । ସିସିଟିଭି ଫୁଟେଜ ଆଧାରରେ ସଂପୃକ୍ତ ଯୁବତୀଙ୍କ ପାଖରେ ପୁଲିସ ପହଂଚି ତଦନ୍ତକୁ ଆଗକୁ ବଢାଇଛି ।