ସିବିଆଇ ଅଫିସରେ ଶିଳ୍ପପତି ମହିମା ମିଶ୍ର: ପୁଅ ଚନ୍ଦନ ମିଶ୍ରଙ୍କୁ ବି ପଚରାଉଚରା, ଚର୍ଚ୍ଚିତ ମିଶ୍ରଙ୍କୁ ଗିରଫ ପରେ କୋର୍ଟଚାଲାଣ

170

କନକ ବ୍ୟୁରୋ: ପୁଣିଥରେ ସିବିଆଇ ଅଫିସରେ ହାଜର ହେଲେ ଶିଳ୍ପପତି ମହିମା ମିଶ୍ର । ମହିମା ମିଶ୍ର ଓ ପୁଅ ଚନ୍ଦନ ମିଶ୍ରଙ୍କୁ ସିବିଆଇ ଅଫିସ୍ରେ ଚାଲିଛି ପଚରାଉଚୁରା । ସେପଟେ ଚର୍ଚ୍ଚିତ ମିଶ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସିବିଆଇ । ଭୋର ୪ଟା ବେଳେ ଚର୍ଚ୍ଚିତ ମିଶ୍ର, ସିବିଆଇ ଅଫିସରେ ହାଜର ହୋଇଥିଲେ । ତାଙ୍କୁ ପଚରାଉଚରା କରିବା ପରେ ଗିରଫ କରିଛି ତଦନ୍ତକାରୀ ସଂସ୍ଥା । ଆଇପିସି ୧୨୦-ବି ଓ ଦୁର୍ନୀତି ବିରୋଧୀ ଧାରା ୭,୮, ୯, ୧୦,୧୨ରେ ମାମଲା ରୁଜ । ଅପରାଧିକ ଷଡଯନ୍ତ୍ର, ସରକାରୀ କର୍ମଚାରୀଙ୍କ ଲାଂଚ ଏବଂ ବାଣିଜ୍ୟକ ସଂସ୍ଥା ଦ୍ୱାରା ଲାଂଚ ଦେବା ଅଭିଯୋଗରେ ଗିରଫ କରାଯାଇଥିଲା । ଏବେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅନ୍ୟପଟେ ମହିମା ମିଶ୍ର ଓ ଚନ୍ଦନ ମିଶ୍ରଙ୍କୁ ମଧ୍ୟ ପଚରା ଉଚୁରା କରାଯାଉଛି । ୨୫ ଲକ୍ଷ ଟଙ୍କା ଲାଂଚ କାରବାର ମାମଲାରେ ଅଭିଯୁକ୍ତ ତାଲିକାରେ ରହିଛି ଚର୍ଚ୍ଚିତ ମିଶ୍ରଙ୍କ ନାଁ । ସେ ଫେରାର ଥିବା ନେଇ ଖବର ଆସିଥିଲା ।

ଏହା ପରେ ସେ ଭୁବନେଶ୍ୱର ସ୍ଥିତ ସିବିଆଇ ଅଫିସରେ ହାଜର ହେବା ପରେ ତାଙ୍କୁ ଗିରଫ କରାଯାଇଛି । ଚର୍ଚ୍ଚିତ ମିଶ୍ରଙ୍କ ସହ ଲାଂଚ କାରବାର ମାମଲାରେ ଦେବପ୍ରିୟ ମହାନ୍ତିଙ୍କୁ ମଧ୍ୟ ଗିରଫ କରିଛି ସିବିଆଇ । ୨୫ ଲକ୍ଷ ଟଙ୍କା ଲାଂଚ କାରବାର ମାମଲାର ତଦନ୍ତ କରୁଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ । ଗତକାଲି ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଥିଲା । ଆଜି ଚର୍ଚ୍ଚିତ ମିଶ୍ର ଓ ଦେବପ୍ରିୟ ମହାନ୍ତିଙ୍କୁ ଗିରଫ କରିବା ପରେ ମୋଟ ଗିରଫଦାରୀ ୬ରେ ପହଂଚିଛି । ଗତକାଲି ପାରାଦୀପ ପୋର୍ଟର ଚିଫ୍ ମେକାନିକାଲ ଇଞ୍ଜିନିୟର ସରୋଜ ଦାସ, କେସିଟି ଗ୍ରୁପର ମ୍ୟାନେଜର ପୋର୍ଟ ଅପରେସନ ଶଙ୍ଖ ଶୁଭ ମିତ୍ର, ଠିକାଦାର ସୁମନ୍ତ ରାଉତ ଏବଂ ଓଏସଏଲ ସଂସ୍ଥାର ଡିଜିଏମ ଅପରେସନ ସୂର୍ଯ୍ୟ ନାରାୟଣ ସାହୁଙ୍କୁ ସିବିଆଇ ଗିରଫ କରିଛି । ଏହା ସହ ଶିଳ୍ପପତି ମହିମା ମିଶ୍ରଙ୍କୁ ମଧ୍ୟ ଜେରା କରିଛି ସିବିଆଇ । ଗତକାଲି ରାତି ସାରା ମହିମା ମିଶ୍ରଙ୍କୁ ଜେରା କରାଯାଇଥିବା ଜଣାପଡ଼ିଛି । କୁହାଯାଉଛି ପାରାଦୀପ ବନ୍ଦରରେ ବ୍ୟବସାୟିକ କାରବାରରେ ଲାଂଚ ଦିଆନିଆ ନେଇ ସିବିଆଇ ପାଖରେ ପୂର୍ବରୁ ଖବର ଥିଲା । ଏହାର ପର୍ଦ୍ଦାଫାସ କରିବାକୁ ସିବିଆଇ ଏକ ଟିମ କରିଥିଲା । ପାରାଦୀପ ପୋର୍ଟର ଚିଫ୍ ମେକାନିକାଲ ଇଂଜିନିୟରଙ୍କ ସମେତ ଆହୁରି କିଛି ବ୍ୟକ୍ତିଙ୍କ ଫୋନ ଟ୍ୟାପିଂ ଆରମ୍ଭ ହୋଇଥିଲା । କଥାବାର୍ତା ବୁଝିବା ପାଇଁ ଟିମରେ ଜଣେ ଓଡିଆ ଅଧିକାରୀ ମଧ୍ୟ ସାମିଲ କରାଯାଇଥିବା ସୂଚନା ମିଳିଛି ।