ହୋଇଯାଆନ୍ତୁ ସତର୍କ : ଦ୍ୱିତୀୟ ଲହରରେ ଛୋଟ ଶିଶୁଙ୍କୁ ବି ହେଉଛି କରୋନା; ଶିଶୁଙ୍କୁ ନିମୋନିଆ ଓ ଜ୍ୱର ହେବା ଭଳି ଦେଖାଯାଉଛି ଲକ୍ଷଣ 

210

କନକ ବ୍ୟୁରୋ : କରୋନାର ଦ୍ୱିତୀୟ ଲହର ପ୍ରଥମ ଲହରଠାରୁ ଅଧିକ ବିପଦପୂର୍ଣ୍ଣ ମନେ କରାଯାଉଛି । ଛୋଟ ଛୋଟ ଶିଶୁ ବି ଏବେ କରୋନାରେ ଆକ୍ରାନ୍ତ ହେଉଛନ୍ତି । ଶିଶୁଙ୍କୁ ନିମୋନିଆ ଓ ଜ୍ୱର ଭଳି ଗମ୍ଭୀର ଲକ୍ଷଣ ଦେଖାଦେବା ପରେ ମେଡିକାଲରେ ଭର୍ତି କରିବାକୁ ପଡୁଛି । କରୋନାର ପ୍ରଥମ ଲହର ଶିଶୁଙ୍କ ପାଇଁ ସେଭଳି ବିପଦପୂର୍ଣ୍ଣ ନଥିଲା । କିନ୍ତୁ ଏଥର ସ୍ଥିତି ବଦଳିଛି । ଦିଲ୍ଲୀର ଲୋକନାୟକ ହସ୍ପିଟାଲରେ ୮ ଜଣ ଶିଶୁ କରୋନାରେ ଆକ୍ରାନ୍ତ ହୋଇ ଭର୍ତ୍ତି ହୋଇଛନ୍ତି ।

ଜଣେ ଶିଶୁର ବୟସ ମାତ୍ର ୮ ମାସ ହୋଇଥିବାବେଳେ ଅନ୍ୟ ସବୁ ଶିଶୁ ୧୨ ବର୍ଷରୁ କମ ବୋଲି ଜଣାପଡିଛି । ସମସ୍ତ ଶିଶୁଙ୍କ ନିକଟରେ ନିମୋନିଆ, ଜ୍ୱର , ଡିହାଇଡ୍ରେସନ ଓ ପାଟିର ସ୍ୱାଦ କମିଯିବା ଭଳି ଲକ୍ଷଣ ଦେଖାଦେଇଛି । ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରେ ବି କିଛି ଶିଶୁ କରୋନାରେ ଆକ୍ରାନ୍ତ ହୋଇ ଭର୍ତି ହୋଇଛନ୍ତି । ଡାକ୍ତରଙ୍କ କହିବା ଅନୁସାରେ, କରୋନାରେ ସଂକ୍ରମିତ ଶିଶୁଙ୍କ ପରିବାର ପକ୍ଷରୁ ଦିନକୁ ୪୦ରୁ ୫୦ ଫୋନ ଆସୁଛି । ସବୁଠାରୁ ବଡ ସମସ୍ୟା ହେଲା, ଶିଶୁଙ୍କ ପାଇଁ ଅଲଗା ୱାର୍ଡ ନଥିବାରୁ ସମସ୍ୟା ସୃଷ୍ଟି ହୋଇଛି ।

ସେହିଭଳି ବରିଷ୍ଠ ସାମ୍ବାଦିକା ବରଖା ଦତ ମୁମ୍ବାଇର ଏସଆରସିସି ହସପିଟାଲରେ କିଭଳି ଶିଶୁମାନେ କରୋନା ସହ ଲଢୁଛନ୍ତି ସେ ନେଇ ଏକ ଟ୍ୱିଟ କରିଛନ୍ତି । ଏହି ହସ୍ପିଟାଲରେ ୧୮ ଦିନର ଶିଶୁ କରୋନାରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଗ୍ରାମ କରୁଛି । ସେହିଭଳି ୧୭ ଶିଶୁ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ଗୁରୁତର ଅଛି ।