ଆରଟିପିସିଆର ଟେଷ୍ଟରେ ହାଇଦର କରୋନା ପଜିଟିଭ : ଆଜି ରିମାଣ୍ଡରେ ଆଣିବ ନାହିଁ ପୋଲିସ

237

କନକ ବ୍ୟୁରୋ : ପୁଣି ହୋସ୍ ଉଡ଼ାଇଛି ଗ୍ୟାଙ୍ଗଷ୍ଟର୍ ହାଇଦର୍ । କଟକ ବଡ଼ ମେଡିକାଲରୁ ଫେରାର ହୋଇ ଧରାପଡ଼ିବା ପର୍ଯ୍ୟନ୍ତ ପୁଲିସ ଆଖିରୁ ନିଦ ହଜାଇ ଦେଇଥିଲା ହାଇଦର୍। ଏବେ ଧରାପଡ଼ିବା ପରେ ବି ପୁଲିସ ଆଖିରୁ ନିଦ ହଜିଯାଇଛି । ଆରଟିପିସିଆର୍ ପରୀକ୍ଷା ରିପୋର୍ଟରେ ହାଇଦର କରୋନା ପଜିଟିଭ୍ ଥିବା ଜଣାପଡ଼ିଛି । ଅଦାଲତ ଆସନ୍ତାକାଲି ସକାଳ ୭ଟାରୁ ହାଇଦରକୁ ୭ ଦିନିଆ ପୁଲିସ ରିମାଣ୍ଡ୍ ପାଇଁ ଅନୁମତି ଦେଇଥିଲେ ତାକୁ ଆଣିବ ନାହିଁ ପୋଲିସ । ଏଭଳି ସ୍ଥିତିରେ କିନ୍ତୁ ପୁଲିସ ବିଭାଗରେ ଭାଳେଣି ପଡ଼ିଯାଇଛି ।

ଅନ୍ୟ ଏକ ସୂଚନା ଅନୁସାରେ, ହାଇଦରକୁ କାବୁ କରିଥିବା ଇନ୍ସପେକ୍ଟର ରଶ୍ମିରଂଜନ ମହାପାତ୍ର ଓ ଇନ୍ସପେକ୍ଟର ତାପସ ପ୍ରଧାନଙ୍କୁ ଟିମ୍ ସଦସ୍ୟଙ୍କୁ ହାଇଦରର ଆରଟିପିସିଆର୍ ରିପୋର୍ଟ ଆସିବା ପରେ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି। ହାଇଦର୍ ସହିତ ନିକଟତର ହୋଇଥିବା ଅନ୍ୟ ଅଧିକାରୀ ମାନଙ୍କୁ ବି ସତର୍କ କରି ଦିଆଯାଇଛି । ହାଇଦର୍ ଯେଉଁ ବିମାନରେ ଆସିଥିଲା, ସେହି ବିମାନ ସଂସ୍ଥାକୁ ବି ଘଟଣା ସଂପର୍କରେ ଅବଗତ କରାଯାଇଛି । ଆରଟିପିସିଆର୍ ପରୀକ୍ଷା ରିପୋର୍ଟ ହାଇଦରର ପଜିଟିଭ୍ ତେବେ ତାର କଣ୍ଟାକ୍ଟ୍ ଟ୍ରେସିଂ ଆରମ୍ଭ ହେବ । ଏଭଳି ସ୍ଥିତିରେ ହାଇଦର ପାଖ ଆଖରେ ଦୀର୍ଘ ସମୟ ଧରି ଜମା ହୋଇଥିବା ବ୍ୟକ୍ତିବିଶେଷ କରୋନା ବିପଦ ମୁହଁକୁ ଆସି ଯାଉଛନ୍ତି । ହାଇଦରକୁ ଜେଏମ୍ଏଫସି କୋର୍ଟରେ ହାଜର କରାଯାଇଥିବା ବେଳେ ସେଠି ବି ବିପଦ ସୃଷ୍ଟି ହୋଇଛି ।

ଶୁକ୍ରବାର ଦିନ ହାଇଦରକୁ ରାତି ପ୍ରାୟ ସାଢେ ଆଠଟା ବେଳେ ଚୌଦ୍ବାର ଜେଲକୁ ନିଆଯାଇଥିଲା ।‌ ସେ ସମୟରେ ବି ବହୁ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ । ହାଇଦରକୁ ଜେଲ୍ କ୍ୟାଣ୍ଟିନ୍ ସାମ୍‌ନାରେ ଥିବା ସ୍କୁଲର ପଛ ପଟେ ୧ ନମ୍ବର ୱାର୍ଡର ତିନି ନମ୍ବର ସେଲ୍‌ରେ ରଖାଯାଇଛି। ଏହା ଏକ ଆଇସୋଲେସନ ସେଲ୍ ହୋଇଥିବା ବେଳେ ସେଠାରେ ଜଣେ ୱାର୍ଡରଙ୍କୁ ନିୟୋଜିତ କରାଯାଇଛି। ବ୍ୟବସ୍ଥା ଅନୁଯାୟୀ ତାକୁ ଗୋଟିଏ କମ୍ବଳ, ଥାଳି  ଦିଆଯାଇଛି । ଏବେ ଆରଟିପିସିଆର୍ ପରୀକ୍ଷାରୁ ହାଇଦର କରୋନା ସଂକ୍ରମିତ ବୋଲି ସ୍ପଷ୍ଟ ହୋଇଛି ।