ବଢୁଛି ସଂକ୍ରମଣ… ବଢୁଛି ଚିନ୍ତା… ୫ରାଜ୍ୟରେ ସ୍ଥିତି ସଂଗୀନ୍ । ଘରକୁ ଘର ବୁଲି ରୋଗୀଙ୍କୁ ଚିହ୍ନଟ କରିବାକୁ କେନ୍ଦ୍ରର ନିର୍ଦ୍ଦେଶ

244

ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ସ୍ଥିତି ଲଗାତାର ଜଟିଳ ହେବାରେ ଲାଗିଛି । ଆଜି ପୁଣି ୨ ଲକ୍ଷରୁ ଅଧିକ ମାମଲା ଚିହ୍ନଟ ହେବାପରେ ବିଭିନ୍ନ ରାଜ୍ୟରେ କଟକଣା ବଢ଼ିଛି । ମହାରାଷ୍ଟ୍ରରେ ବିଗତ ୨୪ ଘଣ୍ଟାରେ ପ୍ରାୟ ୬୪ ହଜାର ମାମଲା ସାମ୍ନାକୁ ଆସିଛି ଏବଂ ୩୯୮ ମୃତ୍ୟୁ ଘଟିଛି । ଏବେ ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତରପ୍ରଦେଶ, ଦିଲ୍ଲୀ ଏବଂ କର୍ଣ୍ଣାଟକ ସଂକ୍ରମଣ ଚିନ୍ତା ବଢ଼ାଇଛି । ଉଭୟ ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା କରିବାକୁ କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା ଆଜି ଉତ୍ତରପ୍ରଦେଶ ଏବଂ ଛତିଶଗଡ଼ର ମୁଖ୍ୟ ସଚିବଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଆଜି କୁହାଯାଇଛି କେବଳ ଛତିଶଗଡ଼, ଉତ୍ତରପ୍ରଦେଶ ଏବଂ ମହାରାଷ୍ଟ୍ରର ସଂକ୍ରମଣ ମାମଲା ଦୈନିକ ୧ ଲକ୍ଷରୁ ଅଧିକ ରହୁଛି । ଏହି ୩ ରାଜ୍ୟରେ ସଂକ୍ରମଣ ବଢ଼ିବା ସହ ମୃତ୍ୟୁ ମଧ୍ୟ ବଢ଼ୁଛି । ଛତିଶଗଡ଼ରେ ଗତ ୨ ସପ୍ତାହ ମଧ୍ୟରେ ୧୩୧ ପ୍ରତିଶତ ସଂକ୍ରମଣ ବୃଦ୍ଧି ହୋଇଛି। ରାଜ୍ୟରେ ୨୪ ଘଣ୍ଟାରେ ୧୫୨୫୬ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶରେ ଦୈନିକ ନୂଆ ମାମଲାରେ ୧୯.୨୫ ପ୍ରତିଶତ ବୃଦ୍ଧି ହୋଇଛି । କେନ୍ଦ୍ର ସରକାର ଏହି ରାଜ୍ୟମାନଙ୍କୁ ଟେଷ୍ଟ୍‌, ଟ୍ରାକ୍‌, ଟ୍ରିଟ୍‌ ରଣନୀତିକୁ ୫ ଗୁଣା କାର୍ଯ୍ୟକାରୀ କରିବାକୁ କହିଛନ୍ତି । ଦିଲ୍ଲୀରେ ବିଗତ ୨୪ ଘଣ୍ଟାରେ କରୋନାର ୧୯, ୪୮୬ ନୂଆ ମାମଲା ଆସିଛି ଏବଂ ୧୪୧ ଜଣଙ୍କ ମୃତ୍ୟୁ ହୋଇଛି । କର୍ଣ୍ଣାଟକରେ ମଧ୍ୟ ସଂକ୍ରମଣ ଅତି ଉଦ୍‌ବେଗଜନକ ଭାବେ ବଢ଼ୁଛି ଏବଂ ଆଜି ପ୍ରାୟ ୧୫ ହଜାର ମାମଲା ଚିହ୍ନଟ ହୋଇଥିବା ବେଳେ ୭୮ ଜଣଙ୍କ ମୃତ୍ୟୁ ହୋଇଛି ।

ଉତ୍ତରପ୍ରଦେଶ ଏବଂ ଛତିଶଗଡ଼ରେ ଘରେ ଘରେ କୋଭିଡ୍‌ ରୋଗୀଙ୍କୁ ଟ୍ରାକ୍‌ କରିବାପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ସବୁ ରାଜ୍ୟର ଅକ୍ସିଜେନ୍‌ ଏବଂ ଭେଣ୍ଟିଲେଟର ଦାବି ପୂରଣ କରାଯିବ ବୋଲି ସରକାର କହିଛନ୍ତି । ଶୁକ୍ରବାର ଉତ୍ତରପ୍ରଦେଶ ୨୭,୪୨୬ ସଂକ୍ରମଣ ମାମଲା ଦେଖିଛି ଏବଂ ୧୦୪ ଜଣ କରୋନାରେ ପ୍ରାଣ ହରାଇଛନ୍ତି । ସଂକ୍ରମଣ ବଢ଼ିବାରୁ ରାଜ୍ୟ ସରକାର ପ୍ରତି ରବିବାର ରାଜ୍ୟସାରା ଲକ୍‌ଡାଉନ୍‌ ହେବ ବୋଲି ଘୋଷଣା କରିଛନ୍ତି । ୟୁପିରେ ଥରେ ମାସ୍କ ନିୟମାବଳୀ ଉଲ୍ଳଂଘନ କଲେ ୧ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ଏବଂ ଦ୍ବିତୀୟ ଥର ଉଲ୍ଳଂଘନ କଲେ ୧୦ ହଜାର ଜରିମାନା ଦେବାକୁ ପଡ଼ିବ । ଲକ୍‌ଡାଉନ୍‌ ସମୟରେ କେବଳ ଅତ୍ୟାବଶ୍ୟକ ସେବା ଉପଲବ୍ଧ ହେବ । ଗତକାଲି ରାଜ୍ୟ ସରକାର ମେ’ ୧୫ ପର୍ଯ୍ୟନ୍ତ ରାଜ୍ୟରେ ସମସ୍ତ ସ୍କୁଲ୍‌ ବନ୍ଦ ଘୋଷଣା କରିଛନ୍ତି ।