ପାଣ୍ଡ୍ୟାଙ୍କ ଚମତ୍କାର ବୋଲିଂ: ୬୬ ରନରେ ନ୍ୟୁଜିଲାଣ୍ଡ ଅଲଆଉଟ, ୧୬୮ ରନରେ ଜିତିଲା ଭାରତ

2,062

କନକ ବ୍ୟୁରୋ: ଆଜି ଶେଷ ଟି-୨୦ରେ ଭାରତ ବାଜି ମାରିନେଇଛି । ବ୍ୟାଟିଂ ପରେ ବୋଲିଂରେ ଚମତ୍କାର ପ୍ରଦର୍ଶନ ପରେ ଭାରତ ଏହି ବିଜୟ ହାସଲ କରିଛି । ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୪ ୱିକେଟର ସଫଳତା ହାସଲ କରିଥିଲେ । ନ୍ୟୁଜିଲାଣ୍ଡ ୬୬ ରନରେ ଅଲଆଉଟ ହୋଇଯାଇଥିଲା । ଫଳରେ ଭାରତ ଏହି ମ୍ୟାଚରେ ଭାରତ ୧୬୮ ରନରେ ବିଶାଳ ବିଜୟ ହାସଲ କରିଛି । ଏହି ବିଜୟ ସହ ଭାରତ ୨-୧ରେ ସିରିଜ ମଧ୍ୟ ଜିତିନେଇଛି ।

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ ଇଶାନ କିଷାନ ଓ ଶୁଭମନ ଗିଲ ପାଳି ଆରମ୍ଭ କରିଥିଲେ । ହେଲେ ଇଶାନ ଆରମ୍ଭରୁ ପାଭିଲିୟନ ଫେରିଯାଇଥିଲେ । ପ୍ରଥମ ୱିକେଟରେ ରାହୁଲ ତ୍ରିପାଠୀ ଗିଲଙ୍କ ସହ ଭଲ ପାର୍ଟନରସିପ କରିଥିଲେ । ଗୋଟିଏ ପଟେ ଶୁଭମନ ଗିଲ ରନ କରିଚାଲିଥିଲା ବେଳେ ଆଉ ଗୋଟିଏ ପଟେ ୱିକେଟ ଗଳି ଚାଲିଥିଲା । ହେଲେ ଗିଲ ଶେଷ ଯାଏଁ ବ୍ୟାଟିଂ ଜାରି ରଖିଥିଲେ । ଭାରତ ପକ୍ଷରୁ ଗିଲ ୧୨୬, ରାହୁଲ ତ୍ରିପାଠୀ ୪୪, ହାର୍ଦ୍ଦିକ ପାଣ୍ଡ୍ୟା ୩୦ ଓ ସୂର୍ଯ୍ୟ କୁମାର ୨୪ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୪ ୱିକେଟ ହରାଇ ୨୩୪ ରନ କରିଥିଲା ।

୨୩୫ ରନର ଟାର୍ଗେଟ ନେଇ ମୈଦାନକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡ ଦଳର ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିଲେ । ଡାର୍ଲି ମିଚେଲ ଓ ମିଚେଲ ସାଣ୍ଟନରଙ୍କୁ ଛାଡିଦେଲେ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଫଳରେ ଦଳ ୧୨ ଓଭର ୧ ବଲ ଖେଳି ୬୬ ରନରେ ଅଲଆଉଟ ହୋଇଯାଇଥିଲା । ଆଉ ଭାରତ ଏହି ମ୍ୟାଚ ଜିତିନେଇଥିଲା ।