ରେଳ ମନ୍ତ୍ରଣାଳୟ ବଦଳେଇବ ଏସି କୋଚର ଚେହେରା ! ଯାତ୍ରୀଙ୍କୁ ଆକର୍ଷିତ ପାଇଁ ଖର୍ଚ୍ଚ କରିବ ବଗି ପିଛା ୧୦ଲକ୍ଷ ଟଙ୍କା

29

କନକ ବ୍ୟୁରୋ : ଭାରତୀୟ ରେଳରେ ଯାତ୍ରା କରୁଥିବା ଲୋକମାନଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ତେବେ ଯାତ୍ରୀମାନଙ୍କ ସୁବିଧା ଲାଗି ମନ୍ତ୍ରଣାଳୟ ମଧ୍ୟ ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି । କିପରି ଭାବରେ ଲୋକମାନେ ଆରାମ ଦାୟକ ଯାତ୍ରା କରିବେ ସେନେଇ ଅନେକ ଅତ୍ୟାଧୁନିକ ବ୍ୟବସ୍ଥା ମଧ୍ୟ ବିଭାଗ କରୁଛନ୍ତି । ଟ୍ରେନର ଏସି କୋଚ୍ରେ ଯାତ୍ରା କରୁଥିବା ଲୋକମାନଙ୍କ ପାଇଁ ଏବେ ଖୁସି ଖବର । ଏବେ ଭାରତୀୟ ଟ୍ରେନରେ ଥିବା ଏସି କୋଚର ସୁଧାର ଆଣିବା ପାଇଁ କୋଚ ପିଛା ୧୦ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ବୋଲି ଜଣାପଡ଼ିଛି । ପୂର୍ବରୁ ଏସି କୋଚରେ ଯାତ୍ରା କରୁଥିବା ଯାତ୍ରୀମାନେ କୋଚର ରକ୍ଷଣାବେକ୍ଷଣ ଏବଂ ଏଥିରେ ଉପଲବ୍ଧ ହେଉଥିବା ସୁବିଧାକୁ ନେଇ ଅନେକ ଥର ଅଭିଯୋଗ କରିଥିବା ବେଳେ ଏବେ ଏହି ସମସ୍ୟାକୁ ଆଖି ଆଗରେ ରଖି ଭାରତୀୟ ରେଳବାଇ ସୁଧାର ଆଣିବାକୁ ଯାଉଛି ।

ଭାରତୀୟ ରେଳବାଇ ଟ୍ରେନରେ ଥିବା ସବୁ ଏସି କୋଚକୁ ଏକ ନୂଆ ରୂପ ଦେବାକୁ ଯାଉଛି । ଜଣେ ବରିଷ୍ଠ ରେଳ ଅଧିକାରୀ ଦେଇଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପ୍ରୋଜେକ୍ଟର ନାଁ କିଛି ଦିଆ ଯାଇ ନଥିବା ବେଳେ ଭାରତୀୟ ରେଳବାଇ ତରଫରୁ ଏହି ପ୍ରୋଜେକ୍ଟକୁ ଅନୁମତି ମିଳି ସାରିଛି । ଯାହା ଦ୍ୱାରା ଭାରତରେ ଚାଲୁଥିବା ସବୁ ଟ୍ରେନର ଏସି କୋଚଗୁଡ଼ିକୁ ଏକ ନୂଆ ରୂପ ଦିଆଯିବ । ଏହା ଦ୍ୱାରା ଯାତ୍ରୀମାନେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ଶୌଚାଳୟଠାରୁ ଆରମ୍ଭ କରି ଶୋଇବା ସ୍ଥାନ ପର୍ଯ୍ୟନ୍ତ ସବୁକୁ ନୂଆ ରୂପ ଦେବ ଭାରତୀୟ ରେଳବାଇ । ତେବେ ବର୍ତ୍ତମାନ ସମୟରେ ପ୍ରତ୍ୟେକ ଦିନ ଭାରତରେ ରେଳ ଯାତ୍ରୀମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି । ତେଣୁ ସମସ୍ତ ଯାତ୍ରୀଙ୍କୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ବିଭାଗ ନେଇ ଥିବା ଜଣାପଡିଛି ।