ୟୁକ୍ରେନରେ ଋଷ ସେନାର ନରସଂହାରକୁ ନେଇ ମତ ରଖିଛି ଭାରତ: ସଂସଦରେ ବୈଦେଶିକ ମନ୍ତ୍ରୀ କହିଲେ ଏମିତି କଥା…

165

କନକ ବ୍ୟୁରୋ: ରୁଷ-ୟୁକ୍ରେନ ଯୁଦ୍ଧ ୪୨ ଦିନରେ ପହଂଚିଛି । ୟୁକ୍ରେନରେ ଧ୍ୱଂସ ଲ୍ିଳା ରଚି ଚାଲିଛି ରୁଷ ସେନା । ଏହାଭିତରେ ବୁଚା ସହରରେ ରୁଷ ସେନାର ନରସଂହାରକୁ ନେଇ ସାରା ବିଶ୍ୱରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଘଟଣାକୁ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କଡା ନିନ୍ଦା କରିଛନ୍ତି । ନିରୀହ ଲୋକଙ୍କ ହତ୍ୟା କରି ରକ୍ତ ବୁହାଇବା ଦ୍ୱାରା କୌଣସି ସମସ୍ୟାର ସମାଧାନ ନୁହେଁ ବୋଲି ଜୟଶଙ୍କର କହିଛନ୍ତି । ଆଲୋଚନା ମାଧ୍ୟରେ ରୁଷ-ୟୁକ୍ରେନ ଯୁଦ୍ଧର ସମାଧାନ ହୋଇପାରିବ ବୋଲି ସେ ଦୋହରାଇଛନ୍ତି । ସେହିପରି ଭାରତ ଯଦି ଏହି ମାମଲାରେ ମଧ୍ୟସ୍ଥତା କରେ ତେବେ ଏହା ଖୁସିର କଥା ବୋଲି କହିଛନ୍ତି ଏସ. ଜୟଶଙ୍କର ।

ୟୁକ୍ରେନ ଉପରେ ରୁଷ ସେନାର ଆତଙ୍କ ଜାରି ରହିଛି । ଲାଗତାର ବୋମା ଓ ରକେଟ ମାଡ ଫଳରେ ୟୁକ୍ରେନର ଅବସ୍ଥା ବେହାଲ ହୋଇ ସାରିଲାଣି । ଆକ୍ରମଣ ଜାରି ରହିବା ଫଳରେ ୟୁକ୍ରେନରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ମଧ୍ୟ ସମ୍ଭବପର ହେଉନାହିଁ । ଏହାରି ଭିତରେ ଆମେରିକା ୟୁକ୍ରେନକୁ ୧୦୦ ମିଲିୟନ ଡଲାରର ଅତିରିକ୍ତ ସହାୟତା ଘୋଷଣା କରିଛି । ସେହିପରି ଆମେରିକା, ୟୁରୋପିୟନ ସଙ୍ଘ ଓ ଜି-୭ ରୁଷରେ ହେବାକୁ ଥିବା ସମସ୍ତ ପୁଂଜି ନିବେଶ ଉପରେ ପ୍ରତିବନ୍ଧକ ଲଗାଇବାକୁ ଯୋଜନା କରୁଛନ୍ତିି ।

ସେପଟେ ଯୁଦ୍ଧକୁ ନେଇ ରୁଷିଆ ଉପରେ କଟକଣା ଆହୁରି ବଢାଇବାକୁ ଆମେରିକା ଓ ପାଶ୍ଚାତ୍ୟ ଦେଶ ଘୋଷଣା କରିଛନ୍ତି । ରାଷ୍ଟ୍ରପତି ବାଇଡେନ୍, ପୁଟିନ୍ଙ୍କ ବିରୋଧରେ ଯୁଦ୍ଧ ବିରୋଧୀ ଅପରାଧର ମକଦ୍ଦମା କରିବା ନେଇ ଜୋର ଦେଉଛନ୍ତି ।