ସୁପ୍ରିମକୋର୍ଟଙ୍କ ହାତରେ ପାକିସ୍ତାନ ରାଜନୈତିକ ସଙ୍କଟ: ସମସ୍ୟା ପଛରେ ବାହ୍ୟ ଶକ୍ତିର ରହିଛି କି ହାତ ପ୍ରଶ୍ନ କଲେ କୋର୍ଟ?

94

କନକ ବ୍ୟୁରୋ: ପାକିସ୍ତାନ ରାଜନୀତିରେ ଜାରି ରହିଛି ଡ୍ରାମା । ଅନାସ୍ଥା ପ୍ରସ୍ତାବ ଖାରଜ ଏବଂ ନ୍ୟାସନାଲ ଆସେମ୍ବଲି ଭଙ୍ଗ ମାମଲାରେ ସୁପ୍ରିମକୋର୍ଟଙ୍କ ଶୁଣାଣୀ ଗୁରୁବାର ପର୍ଯ୍ୟନ୍ତ ସ୍ଥଗିତ ରଖିଦେଇଛନ୍ତି । ମଙ୍ଗଳବାର ଶୁଣାଣି କରି କୋର୍ଟ ଏହି ମାମଲାରେ ବିଦେଶୀ ରାଷ୍ଟ୍ରର ହସ୍ତକ୍ଷେପ ଥିଲା କି ନାହିଁ ପ୍ରଶ୍ନ କରିଥିଲେ । ବୁଧବାର ଏହାକୁ ନେଇ ଜବାବ ରଖିଛି ସେନା । ପାକିସ୍ତାନରେ ଚାଲିଥିବା ରାଜନୈତିକ ସଂକଟ ପଛରେ କୌଣସି ଦେଶର ଭୂମିକା ନଥିବା ସେନା ପକ୍ଷରୁ କୁହାଯାଇଛି ।

ସେପଟେ ବୁଧବାର ଶୁଣାଣୀ ବେଳେ ରାଷ୍ଟ୍ରପତି ଆରିଫ ଅଲବୀଙ୍କ ଓକିଲ ପକ୍ଷ ରଖି କହିଥିଲେ ଯେ, ଡେପୁଟି ସ୍ପିକରଙ୍କ ନିର୍ଣ୍ଣୟ ଉପରେ ଶୁଣାଣୀ କରିବାର ହକ୍ ସୁପ୍ରିମକୋର୍ଟଙ୍କ ପାଖରେ ନାହିଁ । ଯେପରି କୋର୍ଟଙ୍କ ଫଇସିଲା ଉପରେ ସଂସଦରେ ଆଲୋଚନା ହୋଇ ପାରିବ ନାହିଁ ସେହିପରି ସଂସଦର କାର୍ଯ୍ୟ ଉପରେ କୋର୍ଟ ହସ୍ତକ୍ଷେପ କିର ପାରିବେ ନାହିଁ ବୋଲି ରାଷ୍ଟ୍ରପତିଙ୍କ ପକ୍ଷ ରଖିଥିବା ଓକିଲ କହିଛନ୍ତି । ପୂର୍ବରୁ ସୁପ୍ରିମକୋର୍ଟ ସଂସଦରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବକୁ ଖାରଜ କରାଯାଇପାରିବ ନାହିଁ ବୋଲି ରୋକଠୋକ କହିଥିଲେ । ସୁପ୍ରିମକୋର୍ଟଙ୍କ ମନୋଭାବ ଦେଖି ଲାଗୁଛି ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ପାଇଁ ସେ ନିର୍ଦ୍ଦେଶ ଦେଇ ପାରନ୍ତି । ଆଉ ଏପରି ହେଲେ ଇମ୍ରାନ ଖାନ୍ଙ୍କ ପାଇଁ ପରିସ୍ଥିତି ବେଶ ଖରାପ ହୋଇଯିବ । ଆଉ ଏଭଳି ପରିସ୍ଥିତିରେ ପାକ୍ ସେନାର କଣ ଭୂମିକା ରହିବ ତାହା ଉପରେ ନଜର ।