କ୍ରାଇମବ୍ରାଞ୍ଚ ଆଗରେ ମୁହଁ ଖୋଲିଲେ ଶର୍ମିଷ୍ଠା । କହିଲେ ଚିପ୍ ପାଇଁ ୧୦ ହଜାର ଟଙ୍କା ମାଗୁଥିଲେ ମାନସ ।

435

କନକ ବ୍ୟୁରୋ : ମାନସ ସ୍ୱାଇଁ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ସହଯୋଗୀ ଝୁନା ଭୋଇଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ । ଜେରାବେଳେ ଶର୍ମିଷ୍ଠା କ୍ରାଇମବ୍ରାଂଚ ଆଗରେ ମେମୋରି ଚିପକୁ ନେଇ ନୂଆ ସୂଚନା ଦେଇଛନ୍ତି । ମାନସ ସ୍ୱାଇଁ ହତ୍ୟା ମାମଲାର ମୂଳ କାରଣ ଚିପକୁ ନେଇ ଶର୍ମିଷ୍ଠାଙ୍କ ୩ ଦିନିଆ ରିମାଣ୍ଡ ଅବଧିର ଶେଷ ଦିନରେ କ୍ରାଇମବ୍ରାଂଚକୁ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ଚିପ୍ ଦେବାକୁ ମାନସ ସ୍ୱାଇଁ ଶର୍ମିଷ୍ଠା ରାଉତ ଓ ନିରଞ୍ଜନ ସେଠିଙ୍କ ସହ ମୁଲଚାଲ କରୁଥିବା ଜଣାପଡିଛି ।

କ୍ରାଇମବ୍ରାଂଚ ଆଗରେ ମୁହଁ ଖୋଲିଲେ ଶର୍ମିଷ୍ଠା । ଚିପ୍ ପାଇଁ ୧୦ ହଜାର ଟଙ୍କା ମାଗୁଥିଲେ ମାନସ । ଯେଉଁ ମେମୋରୀ କାର୍ଡ ପାଇଁ ମାନସଙ୍କୁ ହତ୍ୟା କରାଗଲା ସେହି ଚିପ ଏଯାଏଁ ପାଇଲା ନାହିଁ କ୍ରାଇମବ୍ରାଂଚ । ଦ୍ୱିତୀୟ ଥର ପାଇଁ ରିମାଣ୍ଡରେ ନେଇ ଶର୍ମିଷ୍ଠା ରାଉତ ଓ ଝୁନା ଭୋଇଙ୍କୁ ପଚରା ଉଚରା କରୁଥିବା କ୍ରାଇମବ୍ରାଂଚ ଚିପକୁ ନେଇ ନୂଆ ତଥ୍ୟ ପାଇଛି । ଜେରା ବେଳେ ଶର୍ମିଷ୍ଠା ତଦନ୍ତ କରୁଥିବା ଅଧିକାରୀଙ୍କୁ କହିଛନ୍ତି, ମାନସ ଚିପ୍ ଦେବା ପାଇଁ ୧୦ ହଜାର ଟଙ୍କା ଦାବି କରୁଥିଲେ । ଦୟାଲ ଆଶ୍ରମରେ ଜାନୁୟାରୀ ୩୦ତାରିଖରେ ଶର୍ମିଷ୍ଠା ଓ ନିରଞ୍ଜନ ସେଠୀ ମାନସଙ୍କୁ ସମ୍ପୁର୍ଣ୍ଣ ଅଫିସକୁ ଡାକି ଚିପ୍ ଦେବାକୁ କହି ଦୁର୍ବ୍ୟବହାର କରି କ୍ୟାମେରା ଛଡେଇ ନେଇଥିଲେ । ତାପର ଦିନ ମାନସ ଚିପ ଫେରାଇବା ପାଇଁ କ୍ୟାମେରା ଫେରାଇବା ସହ ୧୦ ହଜାର ଟଙ୍କା ଦେବାକୁ ଦାବି କରିଥିବା ଶର୍ମିଷ୍ଠା କହିଛନ୍ତି ।

କ୍ରାଇମବ୍ରାଂଚ ଆଗରେ ଶର୍ମିଷ୍ଠା ଦେଇଥିବା ଏହି ସୂଚନା ବେଶ ଗୁରୁତ୍ୱ ବହନ କରୁଛି । ଅନ୍ୟପଟେ ଚିପରେ ଏମିତି କଣ ଥିଲା ଯେ ମାନସ ତାଙ୍କୁ ଟଙ୍କା ଦେବାକୁ ଦାବି କରିବା ଯାଏ କଥା ଗଲା । ଉଭୟ ଶର୍ମିଷ୍ଠା ଓ ନିରଞ୍ଜନ ସେଠୀଙ୍କ ପାଇଁ ସେହି ଚିପରେ ଥିବା ଭିଡିଓ କଣ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା ତାହା କ୍ରାଇମବ୍ରାଂଚ ଆଗରେ କହୁନାହାନ୍ତି ଶର୍ମିଷ୍ଠା । ମେମୋରି ଚିପ୍ ପାଇବା ପାଇଁ କ୍ରାଇମବ୍ରାଂଚ ମାନସ ସ୍ୱାଇଁଙ୍କ ଗାଁ ରଣପୁର ନିକଟ ଗୋଡିପୋଖରୀକୁ ଯାଇ ଛାନଭିନ୍ କରିଛି । ଏହାପରେ ଭୁବନେଶ୍ୱରରେ ଯେଉଁଠି ମାନସ ଭଡା ଘରେ ରହିଥିଲେ ସେଠାକୁ ଯାଇ ମଧ୍ୟ ଖାଲତଲାସୀ କରିଛନ୍ତି । କିନ୍ତୁ ମେମୋରି ଚିପ୍ ପାଇ ପାରି ନାହାନ୍ତି ।