୨୦୨୪ରେ ବଦଳିବନି ବିଜେପିର ପ୍ରଧାନମନ୍ତ୍ରୀ ଚେହେରା: ଦଳୀୟ କର୍ମୀଙ୍କୁ ଉଦବୋଧନ ଅମିତ ଶାହ କହିଲେ ଏମିତି

221

କନକ ବ୍ୟୁରୋ: ୨୦୨୪ ପାଇଁ ବିଜେପି ଆପଣାଇବ ୨୦୧୪ ଓ ୨୦୧୯ ଫର୍ମୁଲା । ସେହି ପୁରୁଣା ଚେହେରା ନରେନ୍ଦ୍ର ମୋଦୀଙ୍କୁ ସାମ୍ନାରେ ରଖି ବିଜେପି ନିର୍ବାଚନ ମୈଦାନକୁ ଓହ୍ଲାଇବ ବୋଲି ସ୍ପଷ୍ଟ ହୋଇଛି । ଏହା ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଯଦିଓ ମୋଦୀ ସରକାର ବେରୋଜଗାରୀ, ମୁଦ୍ରାସ୍ପୀତି ଆଦି ପ୍ରସଙ୍ଗରେ ଅଡୁଆରେ ପଡିଛନ୍ତି । ହେଲେ ନରେନ୍ଦ୍ର ମୋଦୀ ହିଁ ୨୦୨୪ରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ । ମୋଦୀଙ୍କୁ ଏବେ ୭୧ ବର୍ଷ ହୋଇଛି । ୨୦୨୪ରେ ତାଙ୍କୁ ୭୪ ବର୍ଷ ହୋଇଥିବ । ୟୁପି ନିର୍ବାଚନରେ ଯୋଗୀଙ୍କ ବିଜୟ, ଅମିତ ଶାହଙ୍କ ଲୋକପ୍ରିୟତା ବଢୁଥିବାରୁ କୁହାଯାଉଥିଲା ହୁଏତ ମୋଦୀ ୨୦୨୪ରେ ନିର୍ବାଚନ ନଲଢି ଅନ୍ୟ କାହାକୁ ଏହି ଆସନରେ ବସାଇପାରେ ବିଜେପି । କିନ୍ତୁ ଏହି ଚର୍ଚ୍ଚାରେ ଫୁଲଷ୍ଟପ ମାରିଛନ୍ତି ଅମିତ ଶାହ । ବିଜେପି କର୍ମୀଙ୍କୁ ଅମିତ ଶାହ ଉଦବୋଧନ ଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ୨୦୨୪ ନିର୍ବାଚନର ସମ୍ମୁଖୀନ ହେବ ଓ ତୃତୀୟ ଥର ପାଇଁ ସରକାର ଗଠନ କରିବ । ଏଥିସହ ସେ ବୁଥ ସ୍ତରରେ ଦଳକୁ ଆହୁରି ମଜବୁତ କରିବାକୁ ମଧ୍ୟ ଦଳର ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି । ସେହିପରି ବିଜେପିର ଜାତୀୟ ସାଧାରଣ ସମ୍ପାଦକ ଅରୁଣ ସିଂହ କହିଛନ୍ତି, ବିହାରର ସହଯୋଗୀ ଜେଡିୟୁ ସହ ବାଦ ବିବାଦ ରହିଥିଲେ ବି ଏକାଠି ହୋଇ ଉଭୟ ନିର୍ବାଚନ ଲଢିବେ ।