ରୋଗ ଶଯ୍ୟାରେ ସ୍ୱାମୀ, ଚିକିତ୍ସା ପାଇଁ ଭିକ୍ଷା ବୃତି କରୁଛନ୍ତି ସ୍ତ୍ରୀ । ତଥାପି ମେଣ୍ଟୁନି ପରିବାରର ଭୋକ, ସ୍ୱାମୀଙ୍କ ମିଳୁନି ଚିକିତ୍ସା

146

କନକ ବ୍ୟୁରୋ: ସରକାର ମୋ ସ୍ୱାମୀଙ୍କୁ ଭଲ କରି ଦିଅ । ନହେଲେ ୬ପ୍ରାଣୀଙ୍କ ମୁହଁରେ ଦାନା କିଏ ଦେବ? ଦିନେ ଖାଇଲେ ଦୁଇ ଦିନ ଉପବାସ ରହୁଛି ମୋ ପରିବାର । ଚାନ୍ଦବାଲି ମେଡ଼ିକାଲ ବେଡ଼ରେ ୩୫ ବର୍ଷିୟ ଯୁବକ ଦୁର୍ଘଟଣାରେ ଶିକାର ହୋଇ ଚିକିତ୍ସିତ ହେଉଥିବା ବେଳେ ସାହାଯ୍ୟ ପାଇଁ ଆକୁଳ ନିବେଦନ କରିଛନ୍ତି ପତ୍ନୀ  ।

ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏହି ଦୃଶ୍ୟ ଅତ୍ୟନ୍ତ ଦୁଃଖ ଦାୟକ । ଶ୍ରମିକ ଭାବେ କାମ କରୁଥିବା ବେଳେ ଛାତରୁ ଖସି ପଡ଼ିବାରୁ ସ୍ୱାମୀଙ୍କ ମେରୁଦଣ୍ଡ ହାଡ଼ ଭାଙ୍ଗିଯାଇଛି । ଆଉ ଏବେ ଏହି ଡାକ୍ତରଖାନା ବେଡରେ ଜୀବନ ସହ ସଂଗ୍ରାମ କରୁଛନ୍ତି ମାନସୀଙ୍କ ସ୍ୱାମୀ ଗଣେଶ ଜେନା । ଚାନ୍ଦବାଲି ବ୍ଲକ ବଡ଼ରୂପା ଗାଁର ଗଣେଶ, ଶ୍ରମିକ ଭାବରେ କାମ କରି ୬ ପ୍ରାଣୀ କୁଟୁମ୍ବ ମୁହଁରେ ଦାନା ଦେଉଥିଲେ । କରୋନା କାଳରେ ଗାଁରେ କାମ ନମିଳିବାରୁ ଭୁବନେଶ୍ୱର ଆସି ରାଜମିସ୍ତ୍ରୀଙ୍କ ପାଖରେ ହେଲପର କାମ କରୁଥିଲେ । କାମ କରିବା ସମୟରେ ଦୁର୍ଘଟଣାର ଶିକାର ହୋଇ ଏବେ ଡାକ୍ତରଖାନା ବେଡରେ ପଡିଛନ୍ତି ।

ଗତ ଅଗଷ୍ଟ ମାସରେ ଛାତରୁ ଖସି ପଡିବାରୁ ଗଣେଶଙ୍କ ମେରୁଦଣ୍ଡ ହାଡ ଭାଙ୍ଗି ଯାଇଛି । ସେ ପ୍ରଥମେ ଭୁବନେଶ୍ୱର, ପରେ କଟକ ଏସସିବି ମେଡିକାଲରେ ଚିକିତ୍ସିତ ହେବା ପରେ ଏବେ ଡାନ୍ଦବାଲି ଡାକ୍ତରଖାନା ବେଡରେ ପଡି ରହିଛନ୍ତି । ଆଉ ସ୍ୱାମୀ ଶଯ୍ୟାଶାୟୀ ହେବା ପରେ ଭିକ୍ଷାବୃତି କରି ପରିବାର ମୁହଁରେ ଦାନା ଦେବା ସହ ସ୍ୱାମୀଙ୍କ ଚିକିତ୍ସା କରିବା ମାନସୀଙ୍କ ପକ୍ଷେ ଅସମ୍ଭବ ହୋଇପଡିଛି । ଗଣେଶଙ୍କ ଦୁଇଥର ଅପରେସନ୍ ହୋଇଛି,  ୭ଲକ୍ଷ ଟଙ୍କା ଖର୍ଚ ହୋଇଛି । କିନ୍ତୁ ସ୍ୱାସ୍ଥ୍ୟବସ୍ଥାରେ କୌଣସି ପରିବର୍ତନ ଆସିନାହିଁ । ଦିନକୁ ଦିନ ସ୍ୱାମୀଙ୍କ ସ୍ଥିତି ବିଗୁଡୁ ଥିବା ବେଳେ ସରକାରୀ ସହାୟତାରେ ସ୍ୱାମୀଙ୍କୁ ସୁସ୍ଥ କରିବା ପାଇଁ ନିବେଦନ କରିଛନ୍ତି ଗଣେଶଙ୍କ ସ୍ତ୍ରୀ ମାନସୀ ।

ଗଣେଶଙ୍କୁ ଭରସା କରି ବଂଚୁଛନ୍ତି ୮୦ ବର୍ଷିୟ ବୁଢାବାପା ଦୈତ୍ୟାରୀ ଜେନା, ୭୦ ବର୍ଷିୟ ବୁଢି ମାଆ, ଦୁଇ ନାବାଳକ ପୁଅ ଓ ସ୍ତ୍ରୀ । ସିନ୍ଦୁର ସଂକଟରେ ପଡିଥିବା ବେଳେ ସଂସାର ବଂଚାଇବା ପାଇଁ ସଂଘର୍ଷ କରୁଛନ୍ତି ମାନସୀ ।