ଅବହେଳିତ ଯାଜପୁରର ଐତିହ୍ୟ ଓ କିର୍ତୀରାଜି । ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିରୁଜି ଗଲାଣି ବହୁ ପୁରାତନ ମନ୍ଦିର ।

119

କନକ ବ୍ୟୁରୋ : ଓଡିଶାର ଐତିହ୍ୟ ସହର ଯାଜପୁର । ଯାହାର ଐତିହ୍ୟ ଏବେ ବିପଦରେ । ଐତିହ୍ୟ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଅର୍ଥ ବ୍ୟୟ ବରାଦ ହେଉଛି, କିନ୍ତୁ ବାସ୍ତବ ଚିତ୍ର କିନ୍ତୁ ସଂପୂର୍ଣ୍ଣ ଭିନ୍ନ । କାଗଜ କଲମରେ ଐତିହ୍ୟ ସୁରକ୍ଷା ନାଁରେ ଟଙ୍କା ହରିଲୁଟ ହେଉଥିବା ବେଳେ ମାଟିରେ ମିଶିଲାଣି ଐତିହ୍ୟ ସ୍ଥଳ । ୧୮ ନଳା ଏବେ ପୋତି ହୋଈ ୧୧ ନଳାର ଐତିହ୍ୟ ବହନ କରୁଛି । ତେଣେ ଭୁଷୁଡିବାକୁ ବସିଲାଣି ବିରଳ ଶୁଭସ୍ତମ୍ଭ । ବରାହ ଓ ଜଗନ୍ନାଥ ମନ୍ଦିର ନିଜର ଅସ୍ତିତ୍ୱ ହରାଉଥିବା ବେଳେ ତ୍ରିଲୋଚନେଶ୍ୱର ମନ୍ଦିର ମଦ୍ୟପଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଐତିହ୍ୟ ସ୍ଥଳୀର ସୁରକ୍ଷା ପାଇଁ କର୍ମଚାରୀ ନିୟୋଜିତ ଥିଲେ ବି ଏପରି ଅବ୍ୟବସ୍ଥା ଯାଜପୁରବାସୀଙ୍କୁ ଅସନ୍ତୁଷ୍ଟ କରୁଛି ।

ଯାଜପୁରର ଐତିହ୍ୟ ଏବଂ କୀର୍ତିରାଜୀ ସାରା ଦେଶରେ ପରିଚିତ । ହେଲେ ଏବେ ଏହି ଜିଲ୍ଲାର ଐତିହ୍ୟ ଏବଂ କୀର୍ତିରାଜି ସଂକଟରେ ପଡିଛି । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ଦର୍ଶନ ପାଇଁ ଯିବା ବାଟରେ ୧୮ ନଳା ପାରି ହେବାକୁ ପଡେ । ଓଡିଶାର ୨ଟି ସ୍ଥାନ, ଶ୍ରୀକ୍ଷେତ୍ର ଓ ବିରଜା କ୍ଷେତ୍ରରେ ଅଠରନଳା ରହିଛି । ରକ୍ଷଣାବେକ୍ଷଣ ଅଭାବରୁ ଯାଜପୁର ୧୮ନଳା ଏବେ ପୋତି ହୋଇ ୧୧ ନଳାରେ ପରିଣତ ହୋଇଛି । ଖଣ୍ଡିଏ ପଥରରେ ନିର୍ମିତ ଶୁଭସ୍ତମ୍ଭ ବି ଜରାଜୀର୍ଣ୍ଣ ଅବସ୍ଥାରେ । ବୈତରଣୀ କୂଳରେ ଅବସ୍ଥିତ ବରାହ ଓ ଜଗନ୍ନାଥଙ୍କ ମନ୍ଦିରର ଦୃଶ୍ୟକୁ ଦେଖନ୍ତୁ ।.. ଏବେ ନଜର ପକାନ୍ତୁ ଯାଜପୁରର ଆଉ ଏକ କିର୍ତୀରାଜି ବିରଳ ପଶ୍ଚିମାମୁଖୀ ଶୈବପୀଠ ତ୍ରିଲୋଚନେଶ୍ୱର ମନ୍ଦିର ଉପରେ । ରକ୍ଷଣାବେକ୍ଷଣ ଅଭାବରୁ ନିଜର ପରିଚୟ ହରାଇବାକୁ ବସିଛି ଏହି ଶୈବପୀଠ । ଐତିହ୍ୟ ସିନା ପରିଚୟ ହରାଉଛି କିନ୍ତୁ କୀର୍ତିରାଜିର ସୁରକ୍ଷା ପାଇଁ ଆସୁଥିବା ଅର୍ଥକୁ ଲୁଟି ନେଉଛନ୍ତି କିଛି ଅସାଧୁ ଅଧିକାରୀ ।

ଯାଜପୁର ଜିଲ୍ଲାର ପ୍ରମୁଖ ୧୦ଟି ପର୍ଯ୍ୟଟନସ୍ଥଳୀ ପ୍ରତ୍ନତତ୍ୱ ବିଭାଗ ଅଧିନରେ ରହିଛି । ସେଗୁଡିକର ରକ୍ଷଣାବେକ୍ଷଣ ପାଇଁ ୫୦ରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଛନ୍ତି । କିନ୍ତୁ କୌଣସି ସ୍ଥାନରେ ଜଣେ ବି କର୍ମଚାରୀଙ୍କ ଦେଖା ମିଳୁନାହିଁ । ଯେଉଁଠି କର୍ମଚାରୀଙ୍କ ଦର୍ଶନ ମିଳେ ନାହିଁ ସେଠାରେ ରକ୍ଷଣାବେକ୍ଷଣ କେମିତି ହେଉଥିବା ଥରେ ଚିନ୍ତା କରନ୍ତୁ । ସେପଟେ କିନ୍ତୁ ଐତିହ୍ୟର ରକ୍ଷଣାବେକ୍ଷଣ ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ସରକାରୀ ରିପୋର୍ଟରେ ଦର୍ଶାଯାଇଛି ।

ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟ ଅନୁସାରେ, ୨୦୨-୨୧ ଆର୍ଥିକ ବର୍ଷ କରୋନା କାଳରେ ଭାରତୀୟ ପ୍ରତ୍ନତତ୍ୱ ବିଭାଗ ଟଙ୍କା ଖର୍ଚ୍ଚ କରିଛି । ଗତ ୫ ବର୍ଷରେ ୧୮ନଳା ପାଇଁ ୧ଲକ୍ଷ ୩୧ ହଜାର ଟଙ୍କା, ତ୍ରିଲୋଚନେଶ୍ୱର ମନ୍ଦିର ପାଇଁ ୬ ଲକ୍ଷ ୪୦ ହଜାର ଟଙ୍କା, ବରାହ ମନ୍ଦିର ପାଇଁ ୨୩ ଲକ୍ଷ ୮୩ ହଜାର ଟଙ୍କା, ଶୁଭସ୍ତମ୍ଭ ପାଇଁ ୨ଲକ୍ଷ ୯୯ ହଜାର ଟଙ୍କା, ଜଗନ୍ନାଥ ମନ୍ଦିର ପାଇଁ ୭ ଲକ୍ଷ ୮୯ ହଜାର ଟଙ୍କା ଖର୍ଚ୍ଚ ହୋଇଛି । କିନ୍ତୁ ଏହି ସବୁ ସ୍ଥାନରେ ବାସ୍ତବରେ ଟଙ୍କାକର ବି କାମ ହୋଇନଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି । ଲୋକଙ୍କ ଅଭିଯୋଗ ଅନୁସାରେ ଏହି ସବୁ ସ୍ଥାନକୁ ଦେଖିଲେ ଉନ୍ନତିମୂଳକ କାମର ଛାପ୍ ବି ଦେଖିବାକୁ ମିଳୁନାହିଁ ।