ଯେତେ ଖୋଜିଲେ ସେତେ ବାହାରୁଛି । ବେଡରୁମ ଠୁ ନେଇ ବାଥରୁମ,  ମିଳୁଛି ଟଙ୍କା ବିଡା, ବିଦେଶୀ ମୁଦ୍ରା ଓ ସୁନାଗହଣା

217

କନକ ବ୍ୟୁରୋ : ପାର୍ଥ ଚାଟାର୍ଜୀଙ୍କ ବାନ୍ଧବୀ ତଥା ବଙ୍ଗଳା ସିନେମାର ଚର୍ଚ୍ଚିତ ନାୟୀକା  ଅର୍ପିତା ମୁଖାର୍ଜୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ତାଙ୍କ ଘର ଭିତରୁ ବାହାରୁଛି ବିଡା ବିଡା ଟଙ୍କା । ଏହି ଟଙ୍କା କାଳେ ମନ୍ତ୍ରୀ ଥିବା ପାର୍ଥ ଚାଟାର୍ଜୀ ରାଜ୍ୟର ଶିକ୍ଷକ ନିଯୁକ୍ତି ମାମଲାରେ ଦୁର୍ନୀତି କରି ଅର୍ପିତାଙ୍କ ଘରେ ରଖିଥିଲେ ବୋଲି କୁହାଯାଉଛି । ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ତଥା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ୨ୟ ଠିକଣାରୁ ଏଭଳି କିଛି ବିପୁଳ ପରିମାଣର ଟଙ୍କା, ସୁନା ରୂପା ଗହଣା ଓ ବିଦେଶୀ ମୁଦ୍ରା ମିଳିଛି । ଗତ ଚଢାଉରେ ୨୧କୋଟିରୁ ଅଧିକ ମୂଲ୍ୟର ନଗଦ ଟଙ୍କା ମିଳିଥିବାବେଳେ ଏଥରକ ମିଳିଛି ପାଖାପାଖି ୨୯କୋଟି ଟଙ୍କା । ଏଥିସହ ୫କେଜି ସୁନା ଓ ବହୁ ମୂଲ୍ୟ ବିଦେଶୀ ମୁଦ୍ରା ମଧ୍ୟ ମିଳିଛି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଅର୍ପିତା ନିଜର ବାଥରୁମରେ ଲୁଚାଇ ରଖିଥିବାବେଳେ ଏହାକୁ ଜବତ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ ।

ଅର୍ପିତା ମୁଖାର୍ଜୀଙ୍କ ଘରୁ ଜବତ ସମ୍ପତି
•    ପ୍ରଥମ ଚଢାଉରେ ୨୧କୋଟି ନଗଦ ଟଙ୍କା ଜବତ
•    ୪କେଜି ସୁନା ଓ ୭୫ଲକ୍ଷ ଟଙ୍କାର ବିଦେଶୀ ମୁଦ୍ରା ଜବତ
•    ଦ୍ୱିତୀୟ ଚଢାଉରେ ୨୯କୋଟି ନଗଦ ଟଙ୍କା ଜବତ
•    ୫କେଜି ସୁନା ଓ ୨୩ଲକ୍ଷର ବିଦେଶୀ ମୁଦ୍ରା ଜବତ
•    ୪.୩୧କୋଟି ମୂଲ୍ୟର ସୁନା ଜବତ
•    ୧କେଜି ଓଜନର ୩ଟି ସୁନା ଇଟା ଜବତ
•    ୫ଶହ ଗ୍ରାମର ଦୁଇଟି ସୁନା ଚୁଡି ଓ ସୁନା ପେନ ଜବତ

ଦୁଇ ପର୍ଯ୍ୟାୟ ଚଢାଉରେ ଏବେ ସୁଦ୍ଧା ପ୍ରବର୍ତନ ନିର୍ଦ୍ଦେଶାଳୟ କେବଳ ଅର୍ପିତାଙ୍କ ଘରୁ ୫୦କୋଟି ନଗଦ ଟଙ୍କା ଜବତ କରିସାରିଛି । ଅନ୍ୟପଟେ ଘରୁ ମିଳୁଥିବା ପୁଳା ପୁଳା ଟଙ୍କା ସହ ଦୁନୀର୍ତି ମାମଲାର କନେକ୍ସନ ଥିବା ଜେରା ସମୟରେ ସ୍ୱିକାର କରିଛନ୍ତି ଅର୍ପିତା । ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଅନ୍ୟ ଜଣେ ସହଯୋଗୀଙ୍କ ସହାୟତାରେ ତାଙ୍କ ଘରେ ଏହି ଟଙ୍କା ସୁନା ଓ ବିଦେଶୀ ମୁଦ୍ରା ରଖୁଥିବା ଅର୍ପିତା କହିଛନ୍ତି । ସେପଟେ ତାଙ୍କର ୩ଟି ବ୍ୟାଙ୍କ ଆକାଉଁଟକୁ ଫ୍ରିଜ କରିଛି ଇଡି । ପଶ୍ଚିମବଙ୍ଗ ସରକାରରେ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଦୁର୍ନୀତିର ପେଡି ଲମ୍ବୁଛି । ରାଜ୍ୟରେ ହୋଇଥିବା ବହୁ ଚର୍ଚ୍ଚିତା ଶିକ୍ଷକ ନିଯୁକ୍ତି ଘୋଟାଲାରେ ପାର୍ଥ ଚାଟାର୍ଜୀଙ୍କ ସିଧାସଳଖ ସମ୍ପୃ୍କ୍ତିର ପ୍ରମାଣ ମଧ୍ୟ ମିଳିସାରିଛି । ନିଯୁକ୍ତି ଦେବାକୁ କହି ଆଶାୟୀଙ୍କଠୁ ମୋଟା ଅଙ୍କର ଅର୍ଥ ଆଦାୟ କରୁଥିଲେ ମନ୍ତ୍ରୀ । ଯାହା ପର୍ଦ୍ଦାଫାଶ କରିଛି ଇଡି ।

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା
•    ଶିକ୍ଷକ ନିଯୁକ୍ତି ମାମଲାର ତଦନ୍ତ କରୁଛି ସିବିଆଇ
•    ମାମଲାର ଆର୍ଥିକ କାରବାରର ତଦନ୍ତ କରୁଛି ଇଡି
•    ରାଜ୍ୟ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ଶିକ୍ଷକ ଓ ଗ୍ରୁପ୍-ସି ଓ ଗ୍ରୁପ୍-ଡି ପଦବୀ ନିଯୁକ୍ତିରେ ବଡ଼ ଦୁର୍ନୀତି
•    ଉଭୟ ପାର୍ଥ ଓ ଅର୍ପିିତାଙ୍କୁ ରିମାଣ୍ଡରେ ନେଇଛି ଇଡି
•    ଅଗଷ୍ଟ ୩ ପର୍ଯ୍ୟନ୍ତ ଚାଲିବ ଜେରା

କିଛି ଦିନ ପୂର୍ବରୁ ମିଳିଥିବା କଳା ଡାଏରୀ ଆଧାରରେ ଇଡି ବୁଧବାର ଚଢାଉ କରିଥିଲା । ସେପଟେ ପୁଣି ଥରେ ଅର୍ପିତାଙ୍କ ଠିକଣାରୁ ମିଳିଛି ୩ଟି ନୂଆ ଡାଏରୀ । ୨୬ଶହ ପୃଷ୍ଠାର ଏହି ଡାଏରୀ ଗୁଡିକରେ ଅର୍ଥ ନେଣଦେଣ ହିସାବ ରହିବା ସହ ଅର୍ପିତା ଓ ପାର୍ଥଙ୍କ ଜଏଂଟ ପ୍ରପଟିର ତାଲିକା ମଧ୍ୟ ରହିଛି । ମାମଲାକୁ ନେଇ  ଅଡୁଆରେ ଟିଏମସି ସରକାର ।ଗୁରୁବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ନେଇ କୌଣସି ବଡ ନିଷ୍ପତି ନିଆଯାଇପାରେ ।